ବାହାର ରାଜ୍ୟ ଶ୍ରଦ୍ଧାଳୁଙ୍କୁ ଅଯୋଧ୍ୟା ମନା: ସୀମାରେ ଲାଗିଲା ବ୍ୟାରିକେଡ୍, ପୋଲିସ ଫୋର୍ସ ନିୟୋଜିତ

Published By : Prameya-News7 Bureau | November 21, 2020 IST

ଅଯୋଧ୍ୟା ୨୧/୧୧ : ଅଯୋଧ୍ୟାରେ ଶନିବାର ଦିନ ଠାରୁ ସମସ୍ତ ସୀମା ସିଲ କରାଯାଇଛି। କାର୍ତିକ ମେଳା ପାଇଁ ଶ୍ରଦ୍ଧାଳୁଙ୍କ ଆସିବା ଉପରେ ରୋକ ଲଗାଯାଇଛି। ବାହାର ରାଜ୍ୟର ନାଗରିକଙ୍କ ଆସିବା ଉପରେ ରୋକ ଲଗାଯାଇଛି। ଅଯୋଧ୍ୟାର ସ୍ଥାନୀୟ ଲୋକ ନିଜର ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ। କାର୍ତ୍ତିକ ମେଳା ସମୟରେ ନଭେମ୍ବର ୨୨ ତାରିଖରେ ୧୪ କୋଷ ପରିକ୍ରମା ଅଛି। ନଭେମ୍ବର ୨୫ ତାରିଖରେ ପାଞ୍ଚକୋଶୀ ପରିକ୍ରମା ଅଛି ଏବଂ ୩୦ ତାରିଖ ରାତିରେ ପୂର୍ଣ୍ଣମୀ ସ୍ନାନ ଅଛି। ଏଥିପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ଆସନ୍ତି। କିନ୍ତୁ କୋଭିଡ ମହାମାରୀ ଯୋଗୁଁ ଚଳିତ ବର୍ଷ ପ୍ରଶାସନ ଶ୍ରଦ୍ଧାଳୁଙ୍କୁ ଅପିଲ କରିଛି ଯେ କାର୍ତ୍ତିକ ମେଳା ସମୟରେ ଅଯୋଧ୍ୟା ନ ଆସନ୍ତୁ। ନିଜ ନିଜ ଘରେ ରହି ପୂଜାର୍ଚ୍ଚନା କରନ୍ତୁ। ଶ୍ରଦ୍ଧାଳୁଙ୍କ ସହ ସାଧୁ ସନ୍ଥଙ୍କୁ ମଧ୍ୟ ଅଯୋଧ୍ୟା ନ ଆସିବାକୁ ଅପିଲ କରିଛି। 

ଏସଏସପି ବିଜୟପାଲ ସିଂହ କହିଛନ୍ତି ଯେ କୋଭିଡ ସଂକ୍ରମଣ ଯୋଗୁଁ ଅଯୋଧ୍ୟା ସୀମାରେ ବ୍ୟାରିକେଡ଼ ଲଗାଇ ବନ୍ଦ କରିଦିଆଯାଇଛି। ଅଯୋଧ୍ୟାର ୧୩ଟି ସ୍ଥାନର ସୀମାକୁ ସିଲ କରାଯାଇଛି।

ସୂଚନାଯୋଗ୍ୟ ଯେ, ଅଯୋଧ୍ୟାରେ କାର୍ତ୍ତିକ ମେଳା ଆରମ୍ଭ ହୋଇସାରିଛି। ବର୍ତ୍ତମାନ ଉତ୍ତର ପ୍ରଦେଶ ପ୍ରଶାସନ ସାମ୍ନାରେ ବଡ ଚ୍ୟାଲେଞ୍ଜ ଛିଡା ହୋଇଛି ଯେ ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁଙ୍କୁ କିପରି ରୋକାଯାଇପାରିବ। କରୋନା ସଂକ୍ରମଣ ବିପଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜ୍ୟର ଅନେକ ସୀମାରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ଏହାସହ ରାଜ୍ୟରେ ଗୁଇନ୍ଦା ସଂସ୍ଥାକୁ ମଧ୍ୟ ସକ୍ରିୟ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.