ଅଯୋଧ୍ୟାରେ ଜାରି ହେଲା ୧୪୪ ଧାରା, ଆଗାମୀ ପର୍ବପର୍ବାଣୀ ଲାଗି କଟକଣା ଲାଗୁ କଲେ ଡିଏମ
13/10/2019 at 11:01 PM

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ମାମଲାର ଶୁଣାଣି ଏବେ ସୁପ୍ରିମକୋର୍ଟରେ ଚାଲିଛି। ଚଳିତ ସପ୍ତାହର ମାମଲାର ଶୁଣାଣି ସମ୍ପୂର୍ଣ୍ଣ ହେବ। ଏଣୁ ଆଶା କରାଯାଉଛି ମଧ୍ୟ ନଭେମ୍ବର ସୁଦ୍ଧା କୋର୍ଟ ଦୀର୍ଘ ମୋକଦ୍ଦମାର ରାୟ ପ୍ରକାଶ କରିବେ। କାରଣ ନଭେମ୍ବର ୧୭ ତାରିଖରେ ମୁଖ୍ୟ ନ୍ୟାୟାଧୀଶ ପଦରୁ ରଞ୍ଜନ ଗୋଗଇ ଅବସର ଗ୍ରହଣ କରିବେ। ତେବେ କୋର୍ଟରେ ମୋକଦ୍ଦମାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ରବିବାର ଅଯୋଧ୍ୟ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ) ବିବାଦୀୟ ସ୍ଥଳ ଉପରେ ୧୪୪ ଧାରା ଜାରି କରିଛନ୍ତି।

ଆଗାମୀ ପର୍ବପର୍ବାଣୀକୁ ନଜରରେ ରଖି ଏହି କଟକଣା ଜାରି କରାଯାଇଥିବା ଡିଏମ ଅନୁଜ କୁମାର ଝା କହିଛନ୍ତି। ତେବେ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଥିବା ଜଣାପଡିଛି। ତେବେ କୋର୍ଟସ୍ଥିତିରୁ ଦୀପାବଳି ପୂର୍ବରୁ ମାମଲାର ଶୁଣାଣି ଶେଷ ହେବାର ଅନୁମାନ କରାଯାଉଥିବା ବେଳେ ଦୀପାବଳି ପରେ ରାୟ ଆସିଯିବ ବୋଲି ଅନୁମାନ କରାଯାଉଛି। ଅଧିକରୁ ଅଧିକ ଆସନ୍ତା ଗୁରୁବାର ଅଥବା ଶୁକ୍ରବାର କୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହେବା ସହ କୋର୍ଟ ରାୟ ସଂରକ୍ଷିତ ରଖିନେବେ।

ଏଥିଲାଗି ପୂର୍ବରୁ କୋର୍ଟ ଶୁଣାଣୀ ଲାଗି ସିଡ୍ୟୁଲ ଚୂଡାନ୍ତ କରିଥିଲେ ଓ ପକ୍ଷମାନଙ୍କୁ ୧୮ ଅକ୍ଟୋବର ସୁଦ୍ଧା ନିଜନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କୋର୍ଟ ଆଉ କାହାର ଆବେଦନ ଅଥବା ନିବେଦନ ଶୁଣିବେ ନାହିଁ। ଏଣୁ ରବିବାର ଅଯୋଧ୍ୟାରେ ଡିଏମଙ୍କ ଆଗ୍ରୀମ ପଦକ୍ଷେପ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ସବୁ ପକ୍ଷଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି। ତେବେ ଯଦିଓ ଡିଏମଙ୍କ କଟକଣା ଜାରି ହୋଇଛି ତେବେ ଏହା ଉତ୍ସବକାଳୀନ କଟକଣା ବୋଲି କୁହାଯାଉଥିବା ବେଳେ କୋର୍ଟଙ୍କ ରାୟ ପରେ ଏହା ସମ୍ପ୍ରସାରିତ ହେବ।