Thursday, June 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାନୁଆରୀ ୨୯କୁ ଘୁଞ୍ଚିଲା ଅଯୋଧ୍ୟା ମାମଲାର ଶୁଣାଣି ; ଖଣ୍ଡପୀଠରୁ ଓହରିଲେ ଜଷ୍ଟିସ୍ ୟୁୟୁ ଲଳିତ, ଗଠନ ହେବ ନୂଆ ଖଣ୍ଡପୀଠ

ନୂଆଦିଲ୍ଲୀ ୧୦|୧:  ଅଯୋଧ୍ୟାରେ ରାମ ଜନ୍ମଭୂମି-ବ୍ରାବ୍ରି ମସଜିଦ ବିବାଦୀୟ ଜମି ମାମଲାର ଶୁଣାଣି ଘୁଞ୍ଚାଇ ଦିଆଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୯ତାରିଖରେ ହେବ । ସୁପ୍ରିମକୋର୍ଟ ବିଚାରପତିଙ୍କ ଖଣ୍ଡପୀଠରୁ ଓହରି ଯାଇଛନ୍ତି ଜଷ୍ଟିସ୍ ୟୁୟୁ ଲଳିତ । ଫଳରେ ଶୁଣାଣି ପାଇଁ ଗଠନ ହେବ ସୁପ୍ରିମକୋର୍ଟର ନୂଆ ଖଣ୍ଡପୀଠ ।

ଆଜି ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ହେବାର ଥିଲା । ଏହି ଶୁଣାଣିରୁ ବାହାରିଥାନ୍ତା ମନ୍ଦିର-ମସଜିଦ ବିବାଦର ସମାଧାନର ଖିଅ। ଯାହା ଉପରେ ନଜର ରଖିଥିଲା ପୂରାଦେଶ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବାର ଥିଲା । ଏହି ଖଣ୍ଡପୀଠରେ ବିଚାରପତି ଏସ.ଏ. ବୋବଡେ, ଏନ.ଭି ରମଣା, ୟୁୟୁ ଲଳିତ, ଡିୱାଇ ଚନ୍ଦ୍ରଚୂଡ ଅନ୍ୟ ସଦସ୍ୟ ଥିଲେ । ମାତ୍ର  ବିଚାରପତିଙ୍କ ଖଣ୍ଡପୀଠରୁ ଓହରି ଯାଇଛନ୍ତି ଜଷ୍ଟିସ୍ ୟୁୟୁ ଲଳିତ । ୧୫୦ବର୍ଷରୁ ଅଧିକ ପୂରୁଣା ଏହି ମାମଲାର ସମାଧାନର ବାଟ ବାହାରିଥାନ୍ତା । ସାମ୍ବିଧାନିକ ବେଞ୍ଚ ଗଠନର ମୂଳ ଉଦ୍ଦେଶ୍ୟ ରହିଥିଲା, ଏହି ମାମଲା ତୁରନ୍ତ ବିଚାର ହୋଇ ଫୈସଲା ହୋଇଯିବା ଆବଶ୍ୟକ । ମାମଲାରେ ସଂପୃକ୍ତ ପକ୍ଷମାନେ ମଧ୍ୟ ସେୟା ହିଁ ଚାହୁଁଥିଲେ । ସୁପ୍ରିମକୋର୍ଟ ଗତ ଅକ୍ଟୋବରରେ ଏହି ମାମଲାର ଶୁଣାଣି କରି ୨୦୧୯ ଜାନୁଆରୀ ପ୍ରଥମ ସପ୍ତାହରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ । ମାମଲା ଡେରି ହେଉଥିବା ଦେଖି ରାମମନ୍ଦିର ତୁରନ୍ତ ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାକୁ ବିଭିନ୍ନ ହିନ୍ଦୁ ସଂଗଠନ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଅଧ୍ୟାଦେଶ ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି । ବିଚାର ବିଭାଗୀୟ ସମାଧାନ ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଅଯୋଧ୍ୟା ମାମଲାର ପୁରା ଘଟଣାକ୍ରମ :

୧୫୨୮- ବାବରଙ୍କ ସେନାମୁଖ୍ୟ ମିର୍ ବକି ବାବ୍ରି ମସଜିଦ ନିର୍ମାଣ କରିଥିଲେ ।

୧୮୮୫- ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ ବାହାରେ ମନ୍ଦିର ନିର୍ମାଣ ନେଇ ଫୈଜାବାଦ କୋର୍ଟରେ ମହନ୍ତ ରଘୁବୀର ଦାସଙ୍କ ଆବେଦନ ।

୧୯୪୯- ବିବାଦୀୟ ବାବ୍ରି ମସଜିଦ ବାହାରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ।

୧୯୫୦- ରାମଲାଲାଙ୍କ ପୂଜାର୍ଚ୍ଚନା ନେଇ ଫୈଜାବାଦ କୋର୍ଟରେ ଗୋପାଳ ସିମ୍ଲା ବିଶାରଦଙ୍କ ଆବେଦନ ।

୧୯୫୦- ରାମଲାଲାଙ୍କ ନିୟମିତ ପୂଜାର୍ଚ୍ଚନା ନେଇ ପରମହଂସ ରାମଚନ୍ଦ୍ର ଦାସଙ୍କ ଆବେଦନ ।

୧୯୫୯- ଅଯୋଧ୍ୟା ବିବାଦୀୟ ଜମି ଉପରେ ଅଧିକାର ନେଇ ନିର୍ମୋହି ଆଖଡାର ଆବେଦନ ।

୧୯୮୧- ଅଯୋଧ୍ୟା ବିବାଦୀୟ ଜମି ଉପରେ ଅଧିକାର ନେଇ ସୁନ୍ନି ୱାକଫ୍ ବୋର୍ଡର ଆବେଦନ ।

୧୯୮୬- ହିନ୍ଦୁ ଭକ୍ତଙ୍କ ପାଇଁ ବିବାଦୀୟ ସ୍ଥଳରେ ଥିବା ମନ୍ଦିର କବାଟ ଖୋଲିବାକୁ ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶ ।

୧୯୮୯- ବିବାଦୀୟ ସ୍ଥଳରେ ସ୍ଥିତାବସ୍ଥା ବଜାୟ ପାଇଁ ଆହ୍ଲାବାଦ କୋର୍ଟଙ୍କ ନିର୍ଦ୍ଦେଶ ।

୧୯୯୨- ରାମ ଜନ୍ମଭୂମି-ବାବ୍ରି ମସଜିଦ ଭାଙ୍ଗିଲା ।

୧୯୯୩- ବିବାଦୀୟ ସ୍ଥଳୀରେ ଜମି ଅଧିକାର ନେଇ ନିୟମ ।

୧୯୯୩- ଜମି ଅଧିକାର ନିୟମ ବିରୋଧରେ ଇସମାଇଲ୍ ଫାରୁକିଙ୍କ ରିଟ୍ ପିଟିସନ୍ ।

୨୦୦୨- ବିବାଦୀୟ ଜମି ଅଧିକାର ନେଇ ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ।

୨୦୧୦- ବିବାଦୀୟ ଜମିକୁ ୩ଭାଗ କରି ବାଣ୍ଟିଲେ ଆହ୍ଲାବାଦ ହାଇ କୋର୍ଟ ।

୨୦୧୧- ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ।

୨୦୧୮- ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ।

254 Views

   ସମ୍ବନ୍ଧିତ ଖବର