ଅଯୋଧ୍ୟା ନଗରୀ ରାମମୟ, ଭୂମି ପୂଜନ ସହ ରାମ ମନ୍ଦିରର ପଡିଲା ଭିତ୍ତି, କିନ୍ତୁ ଭାରତରେ ଉତ୍ସାହ ଦେଖି ବିଚଳିତ ପାକିସ୍ତାନ
5/08/2020 at 6:33 PM

ଅଯୋଧ୍ୟା, ୦୫|୦୮: ଭୂମି ପୂଜନ ସହ ରାମମୟ ହୋଇ ଉଠିଛି ଅଯୋଧ୍ୟ ନଗରୀ । ଜୟ ଶ୍ରୀରାମ ଧ୍ବନୀରେ ଗୁଞ୍ଜରିତ ହୋଇଉଠିଥିଲା ସାରା ଦେଶ । ବିଦେଶରେ ବି ଶୁଭିଛି ରାମ ନାମ । ଅଯୋଧ୍ୟାର ସଡକଠୁ ଆରମ୍ଭ କରି ସରଜୁ ନଦୀ, ସବୁଠି ଯେମିତି ବିରାଜମାନ କରିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର । ଐହିତାସିକ କ୍ଷଣର ସାକ୍ଷୀ ରହିଛନ୍ତି ସବୁ ଧର୍ମର ପ୍ରତିନିଧି ଏବଂ ସାଧୁସନ୍ଥ ।
ଭୂମି ପୂଜନ ପାଇଁ ନବବଧୁ ବେଶରେ ସଜା ଯାଇଥିଲା ପୂରା ଅଯୋଧ୍ୟା ନଗରୀକୁ । କରୋନା କଟକଣା ପାଇଁ ଉତ୍ସବ ସ୍ଥଳକୁ ଆସି ପାରିନଥିବା ଶ୍ରଦ୍ଧାଳୁଙ୍କ ଉତ୍ସାହ ବି କିଛି କମ୍ ନଥିଲା । ରାମ ଜନ୍ମଭୂମି ପରିସର ଗର୍ଭଗୃହସ୍ଥଳକୁ ସୁନ୍ଦର ଭାବେ ଫୁଲରେ ସଜ୍ଜା ଯାଇଥିଲା । ରଙ୍ଗ ବେରଙ୍ଗର ଝୋଟି ସହ ଝଟକୁ ଥିଲା ମଂଚ । କାଶୀ, ଅଯୋଧ୍ୟା, ଦିଲ୍ଲୀ, ପ୍ରୟାଗରାଜରୁ ଆସିଥିବା ବିଦ୍ବାନ ପଣ୍ଡିତ ପୂଜାବିଧି ସଂପନ୍ନ କରିଥିଲେ ।
ଆଜିର ଦିନକୁ ଐତିହାସିକ କହିବା ସହ ତାଙ୍କ ସ୍ବପ୍ନ ପୂରଣ ହୋଇଥିବା କହିଛନ୍ତି ବିଜେପିର ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାନୀ । ଗତକାଲି ଏକ ଭିଡିଓ ଜାରି କରିଥିଲେ ଆଡଭାନୀ। ଯିଏ ଦିନେ ରାମ ମନ୍ଦିର ପାଇଁ ସୋମନାଥରୁ ଅଯୋଧ୍ୟ ଯାଏ କରିଥିଲେ ରଥଯାତ୍ରା ।
ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଧ୍ୟାରେ ଆରମ୍ଭ ହୋଇଛି ରାମମନ୍ଦିର ନିର୍ମାଣ କାର୍ଯ୍ୟ। ସେହିପରି ମସଜିଦ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ କିନ୍ତୁ ବାବ୍ରି ମସଜିଦ ନିର୍ମାଣ ସ୍ବପ୍ନ ଛାଡ଼ିନାହାନ୍ତି ବୋଲି କିଛି ନେତା କହିଥିବା ବେଳେ ରାମ ମନ୍ଦିର ନିର୍ମାଣ ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଏଆଇଏମ୍ଆଇଏମ୍ ନେତା ଓସଦୁଦ୍ଦୀନ ଓୱେସୀ କହିଛନ୍ତି । ସେପଟେ ବୁଲେଇ ବଙ୍କେଇ ଏହାର ଜବାବ ରଖିଛନ୍ତି ଯୋଗୀ ଆଦିତ୍ୟନାଥ
ସେପଟେ ରାମ ମନ୍ଦିର ଆୟୋଜନକୁ ଦେଖି ବିଚଳିତ ହେଲାଣି ପାକିସ୍ତାନ । ଭାରତ ଆଉ ଧର୍ମନିରପେକ୍ଷ ଦେଶ ହୋଇ ରହିନାହିଁ ବୋଲି କହିଛନ୍ତି ପାକ୍ ରେଳମନ୍ତ୍ରୀ ଶେଖ ରସିଦ୍।