Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ଶେଷ , ରାୟ ସଂରକ୍ଷିତ

16/10/2019 at 8:42 PM

ନୂଆଦିଲ୍ଲୀ ୧୬।୧୦-  ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରେ ସରିଛି ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସେମାନଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ଚିଫ୍‌ ଜଷ୍ଟିସ୍ ନଭେମ୍ବର ୧୮ରେ ଅବସର ଗ୍ରହଣ କରିବେ । ତେଣୁ ତାଙ୍କ ଅବସର  ପୂର୍ବରୁ ଏହି ଐତିହାସିକ ମାମଲାରେ ରାୟ ଆସିବା ସମ୍ଭାବନା ରହିଛି ।…

ବହୁତ ହୋଇଗଲା । ଏନଫ ଇଜ୍‌ ଏନଫ। ଅଯୋଧ୍ୟା ମାମଲାରେ ଦୈନିକ ଶୁଣାଣିକୁ ନେଇ ଆଜି ଏମିତି ଟିପ୍ପଣୀ ଦେଇଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ଆଉ ଆଜି ସଧ୍ୟା ୫ ଟା ପୂର୍ବରୁ ଶେଷ ହୋଇଛି ଦେଶର ସବୁଠାରୁ ବିବାଦୀୟ ମାମଲାର ଶୁଣାଣି। ଆଜି ଶୁଣାଣି ଆରମ୍ଭ ସମୟରେ ଯେତେବେଳେ ଅନ୍ୟ କେତେକ ପିଟିସନ ଦାୟର କରାଗଲା ସେତେବେଳେ ପ୍ରଧାନ ବିଚାରପତି ମନା କରିଦେଇଥିଲେ ଏସବୁକୁ ଗ୍ରହଣ କରିବା ପାଇଁ । ଆଜି ୪୦ ତମ ଦିନରେ ଏହି ଐତିହାସିକ ମାମଲାରେ ଶୁଣାଣି ଶେଷ କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଶେଷ ଦିନରେ ପ୍ରଥମ ଦିନରେ ହିନ୍ଦୁ ପକ୍ଷ ଏବଂ ଏହାପରେ ମୁସଲମାନ ପକ୍ଷ ନିଜର ଦଲିଲ ରଖିଥିଲେ ।…

ଶେଷ ଦିନରେ ଶୁଣାଣି ବେଳେ ମୁସଲିମ ପକ୍ଷର ଓକିଲ ରାଜୀବ ଧାୱନ, ହିନ୍ଦୁ ମହାସଭାର ଓକିଲ ବିକାଶ ସିଂହଙ୍କ ପକ୍ଷରୁ ଦାୟର କରାଯାଇଥିବା ନକ୍‌ସାକୁ ଚିରି ଦେଇଥିଲେ । ଏନେଇ ଚିଫ୍ ଜଷ୍ଟିସ ରଞ୍ଜନ ଗୋଗୋଇ କହିଥିଲେ ଯେ ଯଦି କୋର୍ଟର ନିୟମକୁ ଉଲ୍ଲଂଘନ କରାଯିବ ତେବେ ସେମାନେ ଉଠି ଚାଲିଯିବେ । ହିନ୍ଦୁ ପକ୍ଷରୁ ନିର୍ମୋହି ଆଖଡ଼ା, ହିନ୍ଦୁ ମହାସଭା ଏବଂ ରାମ ଜନ୍ମଭୂମି ନ୍ୟାସ ପକ୍ଷରୁ ଦଲିଲ ରଖାଯାଇଥିବା ବେଳେ ମୁସଲମାନ ପକ୍ଷରୁ ଆଇନଜୀବୀ ରାଜୀବ ଧାୱନ ତାଙ୍କର ଦଲିଲ ରଖିଥିଲେ । ୧୯୪୯ରେ ଅଯୋଧ୍ୟା ରାମ ଜନ୍ମଭୂମି ବାବ୍ରୀ ମସଜିଦ୍ ମାମଲା ପ୍ରଥମେ କୋର୍ଟକୁ ଯାଇଥିଲା । କିନ୍ତୁ ଗତ ଅଗଷ୍ଟ ୬ରେ ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ଆଜି ଏହା ଶେଷ ହୋଇଛି ।

ଆଜି ଶୁଣାଣି ବେଳେ ଜଷ୍ଟିସ ଚନ୍ଦ୍ରଚୁଡ଼ କହିଥିଲେ ଯେ ଯାହା ଜଣାପଡୁଛି ରାମ ଚବୁତରା ମସଜିଦ୍ ଭିତରେ ହିଁ ଥିଲା ।ତେବେ ମୁସଲିମ ପକ୍ଷରୁ କୁହାଯାଇଥିଲା ଯେ ମାମଲା ଚାଲିଥିବା ଜମି ସଂପୂର୍ଣ୍ଣ ଭାବେ ବାବ୍ରୀ ମସଜିଦ୍‌ର ଅଂଶବିଶେଷ ।ବାବ୍ରୀ ମସଜିଦ ଭଙ୍ଗା ଯାଇଥିବାରୁ ଏହାର ପୁନଃନିର୍ମାଣ ଅଧିକାର ମୁସଲିମ ପକ୍ଷର ରହିଛି ।ବିବାଦୀୟ ଜମିରେ କୌଣସି ମନ୍ଦିର ଥିବା ନେଇ ବିଶେଷ ପ୍ରମାଣ ନାହିଁ ବୋଲି ମୁସଲିମ ପକ୍ଷର ଓକିଲ ରାଜୀବ ଧାୱନ କହିଥିଲେ ।୧୮୮୬ରେ ଫୈଜାବାଦ କୋର୍ଟ କହିଥିଲେ ଯେ ସେଠାରେ ମନ୍ଦିର ଥିବାର କୌଣସି ପ୍ରମାଣ ନାହିଁ ।ବାବରଙ୍କ ଦ୍ବାରା ଏହି ମସଜିଦ ନିର୍ମାଣର ଗ୍ରାଣ୍ଟ ଏବଂ ଲଗାନ୍‌ ମାଫିର ଦସ୍ତାବିଜ୍‌ ଅଛି ବୋଲି ରାଜୀବ ଧାୱନ କହିଥିଲେ ।

ଅଯୋଧ୍ୟା ମାମଲାରେ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ୩୦ ସେପ୍‌ଟେମ୍ବର ୨୦୧୦ରେ ବିବାଦୀୟ ୨.୭୭ ଏକର  ଜମି ସଂପର୍କରେ ରାୟ ଦେଇସାରିଛନ୍ତି । ସେତେବେଳେ ଆହ୍ଲାବାଦ ହାଇକୋର୍ଟ ଏହି ଜମିକୁ ସୁନ୍ନି ୱାକଫ୍‌ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଥିଲେ । ଏହାପରେ ସୁପ୍ରିମକୋର୍ଟରେ ଏହି ରାୟ ବିରୋଧରେ ୧୪ଟି ଯାଚିକା ଦାୟର ହୋଇଥିଲା । ଏବେ ଏହି ୧୪ଟି ଯାଚିକା ଉପରେ ଶୁଣାଣି ଶେଷ କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।…

   Related Posts