ଆୟେଷା ଆତ୍ମହତ୍ୟା ମାମଲା: ପୋଲିସ ହାତରେ ଶେଷ କଲ୍ ରେକଡିଂ, ସ୍ୱାମୀ କହିଥିଲା-‘ତୁ ମରିଯା, ମରିବା ଭିଡିଓ ନିଶ୍ଚୟ ପଠେଇବୁ’
5/03/2021 at 10:27 AM

ଅହମଦାବାଦ ୦୫/୦୩ : ଗୁଜରାଟ ଅହମଦାବାଦରେ ଆୟେଷା ଆତ୍ମହତ୍ୟା ମାମଲାରେ ପୋଲିସକୁ ବଡ ସଫଳତା ମିଳିଛି। ଆତ୍ମହତ୍ୟା କରିବା ପୂର୍ବରୁ ଆୟେଷା ନିଜ ସ୍ୱାମୀଙ୍କ ସହ କଥା ହୋଇଥିଲେ। ପୋଲିସକୁ ଏହି କଲ ରେକଡିଂ ମିଳିଛି। ଏହି କଲ୍ ରେକଡିଂରୁ ଅନେକ ରହସ୍ୟ ଉଜାଗର ହୋଇପାରେ ବୋଲି ଅନୁମାନ କରାଯାଉଛି।
ରାଜସ୍ଥାନ ପାଲିରୁ ଗିରଫ ଆରିଫ ଠାରୁ ପୋଲିସ ତାର ମୋବାଇଲ ଜବତ କରିଛି। ଆୟେଷାଙ୍କ ପରିବାର ଲୋକ ଦାବି କରିଛନ୍ତି ଯେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଆରିଫ୍ ସହ ପାଖାପାଖି ଘଣ୍ଟେ ୧୦ ମିନିଟ୍ କଥା ହୋଇଥିଲେ। ପୋଲିସ ହାତରେ ସେହି ଫୋନ କଲର ରେକଡିଂ ଅଛି ଯେଉଁଥିରେ ଆରିଫ୍ ଆୟେଷାଙ୍କୁ କହିଛନ୍ତି ଯେ-‘ତୁ ମରିଯା ଆଉ ମରିବା ଭିଡିଓ ମୋତେ ପଠେଇ ଦେବୁ।’

ଆୟେଷାଙ୍କ ପରିବାର ଲୋକ ଦାବି କରିଛନ୍ତି ଆରିଫ ଆଉ ଜଣେ ଯୁବତୀକୁ ପ୍ରେମ କରୁଥିଲା। ମୋବାଇଲ ଡାଟା ଜରିଆରେ ପୋଲିସ ଏ ସମ୍ବନ୍ଧରେ ଯାଞ୍ଚ କରିବ। ସେ ଯୁବତୀ ଜଣକ କିଏ ଯାହା ସହ ଆରିଫର ପ୍ରେମ ପ୍ରସଙ୍ଗ ଚାଲିଥିଲା ସେ ନେଇ ମଧ୍ୟ ପୋଲିସ ଯାଞ୍ଚ କରିବ।
୨୦୨୦ ରେ ଆୟେଷା ଆରିଫ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ମାମଲା ରୁଜ୍ଜୁ କରିଥିଲେ। ଏହାପରେ ଆରିଫ ଓ ତାଙ୍କ ଘର ଲୋକ ଗିରଫ ମଧ୍ୟ ହୋଇଥିଲେ। ପରେ ସମସ୍ତେ ଜାମିନରେ ଆସିଥିଲେ।

ପୋଲିସକୁ ଆରିଫର ଫୋନରୁ ଯେଉଁ ରେକଡିଂ ମିଳିଛି ସେଥିରେ ବି ସେ ଯୌତୁକ ସମ୍ବନ୍ଧରେ କଥା ହେଉଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ପୋଲିସ ଆରିଫର ମୋବାଇଲ ଭିଡିଓ, ଅଡିଓ ଯାଞ୍ଚ କରି ମାମଲାରେ ପ୍ରମାଣ ଯୋଗାଡ କରୁଛି।