ଆକ୍ସିସ୍ ବ୍ୟାଙ୍କ୍ ଗ୍ରାହକଙ୍କୁ ଝଟ୍‌କା : ଜୁନ୍ ୧ରୁ ବଦଳିଯିବ ଏହିସବୁ ନିୟମ, ଦେବାକୁ ପଡିବ ଅଧିକ ଚାର୍ଜ

Published By : Prameya-News7 Bureau | May 28, 2022 IST

ନୂଆଦିଲ୍ଲୀ ୨୮।୫: ଆକ୍ସିସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଆକ୍ସିସ୍ ବ୍ୟାଙ୍କ ତାର ଗ୍ରାହକଙ୍କୁ ଝଟ୍‌କା ଦେଇ ସଞ୍ଚୟ ଖାତା ଉପରେ ସେବା ଶୁଳ୍କ ବୃଦ୍ଧି କରିଛି । ଏହାର ପ୍ରଭାବ ଆକ୍ସିସ୍ ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ଉପରେ ପଡିବ । ବ୍ୟାଙ୍କର ଏହି ନିୟମ ଜୁନ୍ ୧ ତାରିଖରୁ ଲାଗୁ ହେବ । ବ୍ୟାଙ୍କ୍ ଖାତାରେ ରଖାଯାଉଥିବା ସର୍ବନିମ୍ନ ଜମା ରାଶି ମଧ୍ୟ ବୃଦ୍ଧି କରିଛି । ଯଦି ଆପଣ ବର୍ଦ୍ଧିତ ରାଶି ରଖିବାରେ ସକ୍ଷମ ନୁହଁନ୍ତି ତେବେ ମାସିକ ସେବା ଶୁଳ୍କ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଦେବାକୁ ପଡିବ ।

ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସଞ୍ଚୟ /ବେତନ ଖାତାର ଶୁଳ୍କ ଷ୍ଟ୍ରକ୍‌ଚରକୁ ୨୦୨୨ ଜୁନ୍ ୧ତାରିଖରୁ ପରିବର୍ତ୍ତନ କରାଯାଉଛି । ସହର ଏବଂ ଗ୍ରାମାଞ୍ଚଳରେ ମାସିକ ସର୍ବନିମ୍ନ ବାଲାନ୍ସକୁ ୧୫ହଜାରରୁ ୨୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଅଟୋ ଡେବିଟ୍ ସକ୍‌ସେସ୍ ନହେଲେ ଲାଗୁଥିବା ଚାର୍ଜ ମଧ୍ୟ ବୃଦ୍ଧି କରାଯାଇଛି । ଏହା ଆସନ୍ତା ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ ।

ଆକ୍ସିସ୍ ବ୍ୟାଙ୍କ ଗ୍ରାହକ ଯଦି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାରେ ସକ୍ଷମ ନ ହୁଅନ୍ତି ତେବେ ପୂର୍ବାପେକ୍ଷା ଅଧିକ ସର୍ଭିସ୍ ଚାର୍ଜ ଦେବାକୁ ପଡିବ । ମେଟ୍ରୋ ଏବଂ ସହରାଞ୍ଚଳ ପାଇଁ ସର୍ବାଧିକ ମାସିକ ସର୍ଭିସ୍ ଚାର୍ଜ ବର୍ତ୍ତମାନ ୬ଶହ ଟଙ୍କା ହେବ । ସେମି ସହରାଞ୍ଚଳ ପାଇଁ ଏହା ୩ଶହ ଟଙ୍କା ଏବଂ ଗ୍ରାମାଞ୍ଚଳ ପାଇଁ ୨୫୦ ଟଙ୍କା ହେବ ।

ନ୍ୟାସନାଲ ଅଟୋମେଟେଡ୍ କ୍ଲିୟରିଙ୍ଗ ହାଉସ୍ (NACH) ଫେଲ୍ ହେଲେ ଶୁଳ୍କ ବୃଦ୍ଧି ପାଇ ୫ଶହ ଟଙ୍କା କରିଦିଆଯାଇଛି । ଏହା ଆଧାରରେ ପ୍ରଥମ ଥର ରିଟର୍ଣ୍ଣ ହେବା ପାଇଁ ୩୭୫ ଟଙ୍କା, ଦ୍ବିତୀୟ ଥର ପାଇଁ ୪୨୫ ଟଙ୍କା ଏବଂ ତୃତୀୟ ଥର ପାଇଁ ୫୦୦ ଟଙ୍କା ଦେବାକୁ ପଡିବ । ଅଟୋ ଡେବିଟ୍ ଫେଲ୍ ହେଲେ ଏଥିପାଇଁ ଚାର୍ଜ ୨୦୦ରୁ ୨୫୦ଟଙ୍କାକୁ ବୃଦ୍ଧି ପାଇଛି ।

ଏହାସହ ଯଦି ବର୍ତ୍ତମାନ ଆପଣ ବ୍ୟାଙ୍କରୁ ଚେକ୍ ବୁକ୍ ଇସ୍ୟୁ କରାନ୍ତି ତେବେ ଆପଣଙ୍କୁ ଏଥିପାଇଁ ଅଧିକ ମୂଲ୍ୟ ଦେବାକୁ ପଡିବ । ପରିବର୍ତ୍ତନ ପରେ ପ୍ରତି ଲିଫ୍ ଚେକ୍ ବୁକ୍ ମୂଲ୍ୟ ୨.୫୦ରୁ ୪ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପରିବର୍ତ୍ତନ ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ । ଫିଜିକାଲ ଡିଟେଲ୍ ଏବଂ ଡୁପ୍ଲିକେଟ୍ ପାସବୁକ୍ ଫି ଆକାରରେ ୭୫ଟଙ୍କା ପରିବର୍ତ୍ତେ ଏବେ ୧୦୦ଟଙ୍କା ଦେବାକୁ ପଡିବ । ଏହି ପରିବର୍ତ୍ତନ ମଧ୍ୟ ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.