Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ପାଞ୍ଚ ବରଷ : ଦିବ୍ୟାଙ୍ଗ ପ୍ରଫୁଲ୍ଲ ବାଣ୍ଟି ଚାଲିଛନ୍ତି ସଚେତନତାର ବାର୍ତ୍ତା

25/04/2019 at 4:04 PM

ଯାଜପୁର ୨୫|୪: ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ପାଞ୍ଚ ବରଷ । ଗୀତ ମାଧ୍ୟମରେ ଭୋଟରଙ୍କ ପାଖରେ ଏହି ସଚେତନତା ବାର୍ତ୍ତା ପହଞ୍ଚାଇବାର ପ୍ରୟାସ । ଜନ୍ମରୁ ଦେଖିପାରନ୍ତିନି । ହାତର ଲାଠି ତାଙ୍କୁ ବାଟ କଢ଼ାଏ । ସେମିତି ଜଣେ ଦିବ୍ୟାଙ୍ଗ ସମଗ୍ର ଯାଜପୁର ଜିଲ୍ଲାରେ ସଚେତନତା ବାର୍ତ୍ତା ବାଣ୍ଟି ଚର୍ଚ୍ଚାର କାରଣ ପାଲଟିଛି । ଯାଜପୁର ରଗଡ଼ି ଗାଁକୁ, ଆଉ ଭେଟିବା ପ୍ରଫୁଲ୍ଲ ଦାସଙ୍କୁ । 

ଦିନେ କି ୨ ଦିନ ନୁହେଁ । ଆଜିକୁ ୩ ମାସ ହେବ ନିଜ ସଂଗୀତ ଦଳ ସହ ଲୋକଙ୍କୁ ସଚେତନ କରାଇ ଆସୁଛନ୍ତି ପ୍ରଫୁଲ୍ଲ ଦାସ। ଗୀତରେ ଗୀତରେ ଲୋକଙ୍କୁ ବୁଝାଉଛନ୍ତି ଭୋଟ୍ ଗ୍ରହଣ ପକ୍ରିୟାରେ ବହୁ ସଂଖ୍ୟାରେ ସାମିଲ ହେବାକୁ । ମତଦାନ କରି ଜଣେ ଉତ୍ତମ ପ୍ରାର୍ଥୀକୁ ଚୟନ କରିବା ସହ ଦେଶର ବିକାଶରେ ଭାଗିଦାର ହେବାକୁ କରାଉଛନ୍ତି ସଚେତନ ।

ଖାଲି ସେତିକି ନୁହେଁ, ଭୋଟ୍ ନଦେଇ ପରବର୍ତ୍ତୀ ସମୟରେ ଦେଶ ନିକଟରୁ କେବଳ ନିଜର ଅଧିକାର ଚାହିଁବା ଅମଣିଷ ପଣିଆ ବୋଲି କହନ୍ତି ପ୍ରଫୁଲ୍ଲ । ଭୋଟ୍ ଦାନ ପ୍ରତି ବିମୁଖ ହେଉଥିବା ବ୍ୟକ୍ତିଙ୍କୁ ସଚେତନ କରିବାକୁ ଯାଜପୁର ରଗଡ଼ି ଗାଁର ପ୍ରଫୁଲ୍ଲ ଦାସ ନିଜର ପ୍ରୟାସ ଜାରି ରଖିଛନ୍ତି ।

ପ୍ରଫୁଲ୍ଲଙ୍କ ବ୍ୟତୀତ ତାଙ୍କ ଦଳରେ ଅଛନ୍ତି ଦିବ୍ୟାଙ୍ଗ ଫୁକୁନ ମଲ୍ଲିକ । ଏମାନଙ୍କ ବ୍ୟତୀତ ଦଳରେ ଆଉ ଦୁଇ ଜଣ ଝୁମୁକା ବାଦକ ଅଛନ୍ତି, ସେମାନେ ହେଲେ ଚନ୍ଦ୍ରମଣି ଜେନା ଓ ଭଗବାନ ଜେନା ।  ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତାୟତ ପାଇଁ ପ୍ରଫୁଲ୍ଲଙ୍କ ଦଳ ଲାଗି ରିକସା ଟ୍ରଲିଟି ହିଁ ଏକମାତ୍ର ସାହାରା ।

ପ୍ରଫୁଲ୍ଲଙ୍କ ଦଳରେ ଝୁମୁକା ବଜାଉଥିବା ଚନ୍ଦ୍ରମଣି ଜେନା ହିଁ ନିଜେ ଟ୍ରଲି ଚଳାଇ ଏହି ସଂଗୀତ ଦଳକୁ ବିଭିନ୍ନ ସ୍ଥାନକୁ ବୋହି ନିଅନ୍ତି । ଲୋକ ଗହଳି ଦେଖିବା ମାତ୍ରେ ଟ୍ରଲିର ଚକ ଅଟକିଯାଏ । ଆଉ ଟ୍ରଲିଟି ପାଲଟିଯାଏ ମଂଚ ।

କଣ୍ଠ ଶିଳ୍ପୀ ପ୍ରଫୁଲ୍ଲଙ୍କ ନିଜ ଘର ହେଉଛି କେନ୍ଦ୍ରାପଡା ଜିଲ୍ଲା ଲପଙ୍ଗ ଗ୍ରାମରେ । ଆଜିକୁ ପ୍ରାୟ ୨୫ ବର୍ଷ ହେବ ନିଜ ଗାଁ ଛାଡି ରଗଡି ଗାଁରେ ରହି ଆସୁଛନ୍ତି । ବିନା ପାରିଶ୍ରମିକରେ ବୁଲି ବୁଲି ଲୋକଙ୍କୁ ମତଦାନ ପାଇଁ ସେ ବୁଝାଇ ଆସୁଥିବାରୁ ସବୁ ମହଲରୁ ତାଙ୍କୁ ସାଧୁବାଦ ମିଳିଛି ।

   Related Posts