ଷ୍ଟେରଏଡ ଯୁକ୍ତ ଚର୍ମରୋଗ ଔଷଧ ବ୍ୟବହାର ନ କରିବାକୁ ଦେଶବ୍ୟାପୀ ସଚେତନତା ଅଭିଯାନ

Published By : Prameya-News7 Bureau | February 02, 2019 IST

ଭୁବନେଶ୍ୱର ୨/୨ : ଚର୍ମରୋଗକୁ ନେଇ ସଚେତନତା ସୃ୍ଷ୍ଟି ଏବଂ ଷ୍ଟେରଏଡ୍ଯୁକ୍ତ ଔଷଧ ସେବନ ବିରୁଦ୍ଧରେ ଆରମ୍ଭ ହୋଇଛି ଦେଶବ୍ୟାପୀ ଅଭିଯାନ । ଏହି ଅଭିଯାନରେ ୧୮ଟି ରାଜ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ବୁଲୁଛି ଏକ ସଚେତନତା ଭ୍ୟାନ୍ । ଦେଶବ୍ୟାପି ବୁଲୁଥିବା ଏହି ଭ୍ୟାନ୍ଟି ପହଂଚିଛି ରାଜଧାନୀରେ ।


ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଡର୍ମାଟୋଲୋଜିଷ୍ଟସ୍, ଭେନେରୋଲୋଜିଷ୍ଟସ୍ ଆଣ୍ଡ ଲେପ୍ରୋଲୋଜିଷ୍ଟସ୍ ଆନୁକୂଲ୍ୟରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ “ସ୍କିନ୍ ସଫର୍ ରଥ“ ଗତ ଡିସେମ୍ବର ୨୧ ତାରିଖଠାରୁ ଦିଲ୍ଲୀରୁ ବାହାରିଛି । ଚର୍ମରୋଗ ପାଇଁ ଷ୍ଟେରଏଡ୍ ଯୁକ୍ତ ମଲମ ବ୍ୟବହାର କିଭଳି କ୍ଷତିକାରକ ସେ ନେଇ ବିଭିନ୍ନ ଭିଡିଓ ଫିଲ୍ମ ମାଧ୍ୟମରେ ପ୍ରସାରଣ କରି ଏହି ରଥଟି ଜନସାଧାରଣଙ୍କୁ ସଚେତନ କରୁଛି ।


ଲୋକମାନେ ବୁଝିବା ଦରକାର ବିଭିନ୍ନ ମେଡିସିନ୍ ଦୋକାନରେ ମିଳୁଥିବା ଷ୍ଟେରଏଡ୍ ଯୁକ୍ତ କ୍ରିମ୍ କୋ÷ଣସି ମାତ୍ରାରେ ମଧ୍ୟ ସାହାଯ୍ୟ କରେ ନାହିଁ । ହୁଏତ ତୁରନ୍ତ ଉପଶମ ମିଳିଥାଏ କିନ୍ତୁ ଭବିଷ୍ୟତ ନମନ୍ତେ ଏହା କ୍ଷତିକାରକ ହୋଇଥାଏ ବୋଲି କହିଛନ୍ତି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡର୍ମାଟୋଲୋଜି ଏବଂ ଭେନେରିଆଲ୍ ଡିଜିଜେସ୍ ବିଭାଗର ମୁଖ୍ୟ ତଥା ଆଇଏଡିଭିଏଲ୍ ଓଡ଼ିଶା ଚାପ୍ଟରର ସଭାପତି ପ୍ରଫେସର ବିକାଶ ରଞ୍ଜନ କର ।


ଚଳିତବର୍ଷ ଆଇଏଡିଭିଏଲ୍ର ଥିମ୍ ରହିଛି “ ଷ୍ଟପିଂ ଟପିକାଲ୍ ଷ୍ଟେରଏଡ୍ ଆବ୍ୟୁଜ୍” । ଏହି ଭ୍ୟାନ୍ଟି ଦିଲ୍ଲୀ ପହଂଚିବା ପୂର୍ବରୁ ସଚେତନତା ବାର୍ତା ନେଇ ୧୧୦୦୦ କିମି ଯାତ୍ରା କରିବ ବୋଲି ସେ କହିଛନ୍ତି ।


ସାଧାରଣ ଚର୍ମରୋଗ ଏବଂ ତ୍ୱଚାକୁ ଉଜ୍ୱଳ କରିବା ପାଇଁ ଷ୍ଟେରଏଡ୍ଯୁକ୍ତ କ୍ରିମ୍ ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ । ନିଜେ ନିଜର ଚିକିତ୍ସା କରିବା ପୂର୍ବରୁ ଚର୍ମରୋଗ ସମ୍ବନ୍ଧରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ବୋଲି କହିଛନ୍ତି ଡିଭିଡି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ମୈତ୍ରେୟୀ ପଣ୍ଡା ।


କାର୍ଯ୍ୟକ୍ରମର ସିଟି କୋଅର୍ଡିନେଟର ଡ. ଭବାନୀ ସିଂ ମଧ୍ୟ ଷ୍ଟେରଏଡ୍ର ବ୍ୟବହାର ଅପକାରିତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ଡ. ପୁଷ୍ପରାଜ ସାମନ୍ତସିଂହାର, ଆଇଏଡିଭିଏଲ୍ ଓଡ଼ିଶା ଚାପ୍ଟରର ସାଧାରଣ ସମ୍ପାଦକ ଡ. ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଓ ଡ. ଅଜୟ କୁମାର ଜେନା ଭ୍ୟାନ୍ଟିର ଫ୍ଲାଗ୍ଅଫ୍ରେ ଉପସ୍ଥିତ ଥିଲେ । ଝାଡଖଣ୍ଡ ଯିବା ପୂର୍ବରୁ ଭ୍ୟାନ୍ଟି ହାଇଟେକ୍ ମେଡିକାଲ୍ କଲେଜ, କିମ୍ସ ଏବଂ ଏମ୍ସ ମଧ୍ୟ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.