ସଚେତନତା ଓ ସଂକ୍ରମଣ ପ୍ରତିରୋଧ କୋଭିଡ୍-୧୯ ନିୟନ୍ତ୍ରଣର ମୁଖ୍ୟସୂତ୍ର: କୋଭିଡ-୧୯ ସଂକ୍ରମିତଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ଏବଂ ଚିକିତ୍ସା ଟିମ୍ ସ୍ବତନ୍ତ୍ର
7/04/2020 at 1:00 PM

ଭୁବନେଶ୍ବର୭/୪: କୋଭିଡ-୧୯ ଭାଇରସ୍ ଅତିମାତ୍ରରେ ଏକ ସଂକ୍ରାମକ ଭୂତାଣୁ। ତେଣୁ ସଂକ୍ରମଣ ରୋକିବାକୁ କୋଭିଡ୍-୧୯ ସଂକ୍ରମିତଙ୍କ ଲାଗି ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୭ଟି ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ କରାଇଛନ୍ତି। ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି ସନ୍ଦିଗ୍ଧ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ଲାଗି ସ୍ବତନ୍ତ୍ର ତଥା ପୃଥକ ଡାକ୍ତର ଓ ଡାକ୍ତରୀ ଟିମ୍ ବ୍ୟବସ୍ଥା କରାଯାଇଛି। ଏହାସହ ରାଜ୍ୟରେ ତଥା ବିଭିନ୍ନ ଜିଲ୍ଲାରେ ଆଗକୁ ଆହୁରି କିଛି ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା ଲାଗି ଯୋଜନା ରହିଛି। ଏହାସହ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ କ୍ରମରେ ବିଭିନ୍ନ ଡାକ୍ତରଖାନକୁ ଚିକିତ୍ସା ପାଇଁ ଆସୁଥିବା ଜ୍ବର ତଥା ସେହିଭଳି ଲକ୍ଷଣ ଥିବା ରୋଗୀମାନେ ଅନ୍ୟ ରୋଗୀଙ୍କଠାରୁ ଅଲଗା ହୋଇ ସ୍ବତନ୍ତ୍ର ଭାବରେ ଚିକିତ୍ସା ସୁବିଧା ନେବାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଏବଂ ରାଜ୍ୟ ଡିଏମ୍ଇଟି ବା ଡାକ୍ତରୀ ଚିକିତ୍ସା ଓ ତାଲିମ ନିର୍ଦ୍ଦେଶକ କହିଛନ୍ତି।
ଗୀତ ଗୋବିନ୍ଦ ସଦନରେ କରୋନା ସଂପର୍କିତ ରାଜ୍ୟ ସରକାରଙ୍କ ଜରୁରୀ ପ୍ରେସ୍ମିଟରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି ଉପରୋକ୍ତ ତଥ୍ୟ ରଖିଛନ୍ତି। ପ୍ରଥମେ ଶ୍ରୀଧଳ ବିଶ୍ବ ଦିବସ ଅବସରରେ ସ୍ବାସ୍ଥ୍ୟ ସେବା ସହ ଜଡିତ ଡାକ୍ତର ଓ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ପାଇଁ ଆତଙ୍କ ସୃଷ୍ଟି କରିଥିବା କୋଭିଡ-୧୯ ମୁକାବିଲା ଏବଂ ଚିକିତ୍ସା ସେବାରେ ଡାକ୍ତର, ନର୍ସ ,ଏବଂ ଅନ୍ୟ କର୍ମଚାରୀମାନେ ଅହରହ କାର୍ଯ୍ୟରତ ଅଛନ୍ତି ବୋଲି କହିଛନ୍ତି। ଏହି ଅବସରରେ ସେ କହିଛନ୍ତି, କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅନ୍ୟ ରୋଗୀଙ୍କୁ ରୋଗୀଙ୍କୁ ଚିକିତ୍ସା କରି ପାରିବେ ନାହିଁ।
କ୍ୟାପିଟାଲରେ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ଜଣେ କରୋନା ରୋଗୀ ଅଛନ୍ତି। ରାଜ୍ୟ ସରକାର ୭ଟି କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ସାଧାରଣ ଲୋକ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ଅଧିକାଂଶ କୋଭିଡ-୧୯ ସଂକ୍ରମିତ ସ୍ବତନ୍ତ୍ର ଡାକ୍ତରଖାନାରେ ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ସଂକ୍ରମିତଙ୍କ ନମୁନା ନେଗେଟିଭ ଆସିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଦ୍ବିତୀୟ ପରୀକ୍ଷାରେ ତାହା ପୁଣି ନେଗେଟିଭ ଆସିଲେ, ତାଙ୍କୁ ଡାକ୍ତରଖାନରୁ ଛାଡି ଦିଆଯିବ। ଏହି ଅବସରରେ ଉଭୟ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଡିଏମ୍ଇଟି କୋଭିଡ୍-୧୯ର ସଂକ୍ରମତା, ସେହି ସଂପର୍କୀତ ସତର୍କ ସୂଚନା, ସଚେତନତା ଏବଂ ରାଜ୍ୟ ସରକାରଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ସବିସ୍ତୃତ ସୂଚନା ଦେବା ସହ ଜ୍ବର ବା କୋଭିଡ-୧୯ର କୌଣସି ପ୍ରକାର ସନ୍ଦେହ ହେଲେ ତୁରନ୍ତ ଟୋଲ ଫ୍ରି ନମ୍ବର ୧୦୪ ନମ୍ବରରେ ଯୋଗାଯୋଗ କରି ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି।