ବିଗ୍ ବି’ଙ୍କ ପରେ ପୁତ୍ର ଅଭିଷେକ କରୋନା ପଜିଟିଭ୍ ଚିହ୍ନଟ, ଜୟା ଓ ଐଶ୍ୱର୍ଯ୍ୟାଙ୍କ ରିପୋର୍ଟ ନେଗେଟିଭ୍
12/07/2020 at 7:31 AM

ମୁମ୍ବାଇ, ୧୨|୦୭: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ପରେ ପୁତ୍ର ତଥା ଅଭିଷେକ ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଉଭୟଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଜୟା ଓ ଐଶ୍ୱର୍ଯ୍ୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ।
ଶନିବାର ବଲିଉଡ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭୭ ବର୍ଷୀୟ ଅମିତାଭ ବଚ୍ଚନ ନିଜେ ଏହାର ସୂଚନା ଦେଇଥିଲେ।
ଅମିତାଭ ବଚ୍ଚନ ଟ୍ଵିଟ୍ କରି ଲେଖିଥିଲେ ଯେ, ମୋ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଛି। ପରିବାର ଏବଂ ବାକି ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଛି। ସେମାନଙ୍କ ରିପୋର୍ଟ ଆସିବା ବାକି ରହିଛି। ଗତ ୧୦ ଦିନରେ ଯେଉଁମାନେ ମୋର ନିକଟରେ ଥିଲେ, ସେମାନଙ୍କୁ ମୋର ଅନୁରୋଧ ନିଜର ଟେଷ୍ଟ କରାନ୍ତୁ।
କୁହାଯାଉଛି ଯେ, ଲକ୍ଡାଉନ୍ ପରଠୁ ଅମିତାଭ ବଚ୍ଚନ ନିଜର ନିୟମିତ ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ ଥରୁଟିଏ ହେଲେ ହସ୍ପିଟାଲ ଯାଇପାରିନଥିଲେ। ଏବେ ସ୍ଥିତି ଟିକେ ସ୍ଵାଭାବିକ ହେବାରୁ ଏବଂ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେବାରୁ ଶନିବାର ସନ୍ଧ୍ୟାରେ ସେ ନିଜ ଡାକ୍ତରଙ୍କ ପରାମର୍ଶ କ୍ରମେ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ନାନାବତୀ ହସ୍ପିଟାଲ ପହଞ୍ଚିଥିଲେ।