ସ୍କୁଲ ଖୋଲିବା ପାଇଁ ପିଲାମାନଙ୍କୁ ଭ୍ୟାକସିନ ଦେବା ନିହାତି ଜରୁରୀ, ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇପାରେ ଟ୍ରାଏଲ : ଏମସ୍‌ ମୁଖ୍ୟ ରଣଦୀପ ଗୁଲେରିଆ

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ ୨୮/ ୦୬ : ଏମସ୍‌ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଶିଶୁମାନଙ୍କ ଟିକାକରଣକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଦେଶରେ ଶିଶୁମାନଙ୍କ ପାଇଁ ଭ୍ୟାକସିନର ସଫଳ ପରୀକ୍ଷଣ ଏକ ମାଇଲଖୁଣ୍ଟ ଛିଡାକରିବ । ଯାହାଫଳରେ ଛୋଟି ପିଲାମାନଙ୍କ ପାଇଁ ସ୍କୁଲ ଯିବା ଏବଂ ଘରୁ ବାହାରକୁ ବାହାରିବା ସହଜ ହୋଇପାରିବ ।

ଶିଶୁମାନଙ୍କ ପାଇଁ ଭ୍ୟାକସିନ ଉପଲବ୍ଧକୁ ଦେଇ ଡାକ୍ତର ଗୁଲେରିଆ କହିଛନ୍ତି ଯେ, ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକାର ତିନୋଟି ଟ୍ରାଏଲ ଏବଂ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣର ଡାଟା ସମ୍ଭବତଃ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ୨ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ହୋଇପାରେ ବୋଲି ଆଶା କରାଯାଉଛି ।

ସେପଟେ ଅନ୍ୟ ଏକ ଭ୍ୟାକସିନ ଉତ୍ପାଦନକାରୀ କମ୍ପାନୀ ଜାୟଡସ୍ କାଡିଲା ଖୁବ ଶୀଘ୍ର ଏହାର ଟିକା ଜାୟକୋଭ୍-Dର ଜରୁରୀକାଳୀନ ବ୍ୟବହାର ପାଇଁ DCGI ନିକଟରେ ଆବେଦନ କରିପାରେ । ତେବେ ଯଦି ଜାୟଡସ୍ କାଡିଲାକୁ ଅନୁମତି ମିଳିଯାଏ ତେବେ ଏହା ଆଉ ଏକ ବିକଳ୍ପ ମଧ୍ୟ ହୋଇପାରିବ ବୋଲି ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।

ଅବଶ୍ୟ ଦେଶରେ ଛୋଟ ଛୋଟ ଶିଶୁମାନଙ୍କୁ କରୋନା ସଂକ୍ରମିତ କରୁଥିବା ଖବର ଖୁବ କମ କିନ୍ତୁ ଶିଶୁମାନେ ଯେଉଁମାନଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଏ କିମ୍ବା ଲକ୍ଷଣ ଆଦୌ ଦେଖାଯାଏନାହିଁ ସେମାନେ ହୁଏତ ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି । ଦେଶରେ ଗତ ଦେଢ ବର୍ଷ ହେଲା ଛାତ୍ରଛାତ୍ରୀମାନଙ୍କର ପାଠପଢା ଲକଦତମ ଠପ୍‌ ହୋଇଯାଇଛି ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କୋଭିଡ-୧୯ ମହାମାରୀ ପାଇଁ ସ୍କୁଲଗୁଡିକ ବନ୍ଦ ହୋଇ ରହିଛି । ତେଣୁ ଖବୁ ଶୀଘ୍ରରେ ଦେଶରେ ପିଲାମାନଙ୍କ ପାଇଁ ଭ୍ୟାକସିନ ଉପଲବ୍ଧ ହେ​‌ଲେ ତାହା ଏକ ମାଇଲଖୁଣ୍ଟ ହେବା ସହିତ ସ୍କୁଲ ଗୁଡିକ ପୁନଶ୍ଚ ଖୋଲିପାରିବ ।   

ନୀତି ଆୟୋଗ ସଦସ୍ୟ ଭି. କେ. ପୌଲ କହିଛନ୍ତି, ଦେଶରେ ୧୨ରୁ ୧୮ ବର୍ଷ ବୟସ ମଧ୍ୟରେ ପିଲାଙ୍କ ସଂଖ୍ୟା ୧୩ରୁ ୧୪ କୋଟି ହେବ । ସେମାନଙ୍କ ପାଇଁ ୨୫-୨୬ କୋଟି ଡୋଜ୍ ଆବଶ୍ୟକ । କୋଭାକ୍ସିନ ଏବଂ ଜାୟଡସ୍ କାଡିଲା ଉଭୟ ପିଲାମାନଙ୍କ ଉପରେ ଟ୍ରାଏଲ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.