ଅଟୋ ଚାଳକଙ୍କର କଟିଲା ଚାଲାଣ, ବିଚ୍ ରାସ୍ତାରେ ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | January 07, 2020 IST

ପଠାଣକୋଟ ୭।୧: ବାରମ୍ବାର ଚାଲାଣ କଟାଯିବାକୁ ନେଇ ଚିନ୍ତିତ ଥିବା ଜଣେ ଅଟୋ ଡ୍ରାଇଭର ରାସ୍ତା ଉପରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ପଞ୍ଜାବ ପଠାଣକୋଟରେ ଦେଖିବାକୁ ମିଳିଛି । ଟ୍ରାଫିକ୍ ପୋଲିସ ପକ୍ଷରୁ ଓଭରଲୋଡିଂ ପାଇଁ ଅଟୋ ଚାଳକଙ୍କର ଚାଲାଣ କଟାଯିବାରୁ ଅଟୋ ଚାଳକ ଜଣଙ୍କ ଏଭଳି ଉଦ୍ୟମ କରିଛନ୍ତି । ଅଟୋ ଚାଳକଙ୍କ କହିବା ଅନୁସାରେ ଦୁଇ ଦିନ ପୂର୍ବରୁ ମଧ୍ୟ ତାଙ୍କର ୫ହଜାର ଟଙ୍କାର ଚାଲାଣ କଟିଛି ।

ସୂଚନାଯୋଗ୍ୟ ଯେ, ପଠାଣକୋଟ ଗତ କିଛି ବର୍ଷ ହେବ ଟ୍ରାଫିକ୍ ସମସ୍ୟା ମଧ୍ୟଦେଇ ଗତିକରୁଛି । ଯାହାକୁ ଦୃଷ୍ଟିରେ ରଖି କାଗଜପତ୍ର ନଥାଇ ବେଆଇନ ଭାବେ ଚାଲୁଥିବା ଅଟୋଗୁଡିକର ଚାଲାଣ କଟାଯାଉଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଏକ ଅଟୋ ଚାଳକଙ୍କର ଓଭରଲୋଡିଂ ପାଇଁ ଚାଲାଣ କଟାଯାଇଥିଲା । ଫଳରେ ସଂପୃକ୍ତ ଅଟୋ ଚାଳକ ଅଟୋ ସହ ରଶି ବାନ୍ଧି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହା ଦେଖି ଅନ୍ୟ ଅଟୋ ଚାଳକମାନେ ଏକତ୍ରିତ ହୋଇଯାଇଥିଲେ । ଆତ୍ମହତ୍ୟା ଉଦ୍ୟମ କରୁଥିବା ଅଟୋ ଚାଳକଙ୍କ ବେକରୁ ରଶି କାଢି ତାଙ୍କୁ ବୁଝାସୁଝା କରିଥିଲେ ।

ଆତ୍ମହତ୍ୟା ଉଦ୍ୟମ କରୁଥିବା ଅଟୋ ଚାଳକ ଜଣଙ୍କ କହିଛନ୍ତି ଯେ, ସେ ତାଙ୍କ ଅଟୋ ପାସେଞ୍ଜରମାନଙ୍କୁ ବସାଇ ନେଇଯାଉଥିଲେ । ତାଙ୍କ ଅଟୋ ସହରର ପୀର ବାବା ଚୌକରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ଟ୍ରାଫିକ୍ ଏଏସଆଇ ତାଙ୍କ ଅଟୋକୁ ଅଟକାଇଥିଲେ । ଓଭରଲୋଡିଂ ପାଇଁ ଚାଲାଣ କାଟିଥିଲେ । ଟ୍ରାଫିକ୍ ପୋଲିସ ଯେତେବେଳେ ଚାଲାଣ ତାଙ୍କୁ ଦେବାରୁ ଚେଷ୍ଟା କରିଥିଲେ ସେତେବେଳେ ସଂପୃକ୍ତ ଅଟୋ ଚାଳକ ଚାଲାଣ ନନେଇ ଅଟୋରୁ ରଶି ବାହାର କରିଥିଲେ । ବେକରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଅଟୋ ଚାଳକ ଜଣଙ୍କ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ମଧ୍ୟ ତାଙ୍କ ୫ହଜାର ଟଙ୍କା ଚାଲାଣ କଟିଛି । ପୁଣି ଆଉ ଥରେ ଚାଲାଣ କଟାଯିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଯଦି ଏଭଳି ବାରମ୍ବାର ହେବ ତେବେ ସେ ତାଙ୍କ ପରିବାର ପ୍ରତିପୋଷଣ କିଭଳି ଭାବେ କରିବେ ବୋଲି ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଟ୍ରାଫିକ୍ ଅଧିକାରୀ କହିଛନ୍ତି ଯେଉଁ ଅଟୋ ଚାଳକ ସମସ୍ତ ନିୟମ ପାଳନ କରିବେ ସେମାନଙ୍କୁ ହଇରାଣ କରାଯିବନି । ଯେଉଁମାନେ ନିୟମ ପାଳନ ନକରିବେ ସେମାନଙ୍କର ଚାଳାଣ କଟାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.