କରୋନା ସଂକ୍ରମିତଙ୍କ ଦେହରେ ସୃଷ୍ଟି ହେଉଥିବା ଆଣ୍ଟି ବଡିଜ୍ ହେଉଛି ଘାତକ, କୋଭିଡରୁ ଆରୋଗ୍ୟ ପରେ ବି ଗୁରୁତର ହେଉଛି ସ୍ୱାସ୍ଥ୍ୟ ସମସ୍ୟା

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ, ୨୯।୧୦:  କରୋନା ସଂକ୍ରମିତଙ୍କ ଶରୀରରେ ଅଟୋ ଆଣ୍ଟି ବଡିଜ୍ ତିଆରି ହେଉଛି । ଏହା ଭାଇରସ ଉପରେ ଆକ୍ରମଣ କରିବା ବଦଳରେ ଶରୀର ଉପରେ ହିଁ ଆକ୍ରମଣ କରିଥାଏ । ଏକ ନୂଆ ଗବେଷଣାରେ ଏନେଇ ସୂଚନା ମିଳିଛି । ବିଶେଷଜ୍ଞଙ୍କ କହିବାନୁସାରେ ଲଙ୍ଗ୍ କୋଭିଡ୍ ପଛରେ ଅଟୋ ଆଣ୍ଟିବଡିଜ୍ ମଧ୍ୟ ଏକ ମୁଖ୍ୟ କାରଣ ହୋଇପାରେ ।

ଲଙ୍ଗ୍ କୋଭିଡ୍ ହେଉଛି ଏପରି ଏକ ସ୍ଥିତି ଯେଉଁଥିରେ କରୋନା ନେଗେଟିଭ୍ ଘୋଷିତ କରାଯିବାର ସପ୍ତାହ ପରେ ଲୋକଙ୍କ ଶରୀରରେ ବିବିନ୍ନ ସମସ୍ୟା ଉପୁଜିଥାଏ । ନୂଆ ଗବେଷଣାରେ ଜାଣିବାକୁ ମିଳିଛି ଯେ, ସଂକ୍ରମିତ ହେବା ପରେ କିଛି ବ୍ୟକ୍ତିଙ୍କ ଶରୀରରେ ହାନିକାରକ ଆଣ୍ଟିବଡି କୋଷିକା ସୃଷ୍ଟି ହୋଇଥାଏ ।

ଜର୍ଜିଆର ଇମୋରୀ ୟୁନିଭର୍ସିଟିର ବୈଜ୍ଞାନିକଙ୍କୁ ଏକ ଗବେଷଣାରେ ତଥ୍ୟ ମିଳିଛି ଯେ, ଏହି ଅଟୋ ଆଣ୍ଟିବଡିଜ୍ ମଧ୍ୟ ସେହିପରି । ହେପାଟାଇଟସ୍ ମାମଲାରେ ଏପରି ହୋଇଥାଏ । ଏଥିପାଇଁ  ଲଙ୍ଗ୍ କୋଭିଡ୍ ରୋଗର ଚିକିତ୍ସା ସନ୍ଧାନ କଷ୍ଟକର ହୋଇପାରେ ।

ଡେଲି ମେଲର ରିପୋର୍ଟ ଅନୁସାରେ, ଲଙ୍ଗ୍ କୋଭିଡ୍ ସହ ଜଡିତ ଲୋକଙ୍କୁ ଠାବ କରିବା ଅସମ୍ଭବ । କିନ୍ତୁ ଏପରି ରୋଗୀଙ୍କ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଉଛି । ଅନେକ କରୋନା ଆକ୍ରାନ୍ତ ନେଗେଟିଭ୍ ଘୋଷିତ ହେବାର କିଛି ମାସ ପରେ ଦୁର୍ବଳ ହୋଇ ପଡୁଛନ୍ତି । ସେମାନଙ୍କୁ ଥକ୍କାପଣ ଅନୁଭବ ହୋଇଥାଏ ।

ବ୍ରିଟେନରେ କରାଯାଇଥିବା ଏକ ଷ୍ଟଡି ଅନୁସାରେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୧୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୧ ଜଣ ଅର୍ଥାତ ୭୪ ପ୍ରତିଶତ ହସ୍ପିଟାଲରୁ ଘରକୁ ଫେରିବା ପରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସବୁ ବୟସର ଲୋକ ଏଥିରେ ସାମିଲ ଅଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.