ଗୋଟିଏ ଅଟୋରେ ଭୋଜି ଖାଇ ଯାଉଥିଲେ ୨୫ ଜଣ, ଭାରସାମ୍ୟ ହରାଇ ଓଲଟି ପଡ଼ିଲା, ୪ ଗୁରୁତର

Published By : Prameya-News7 Bureau | July 05, 2021 IST

ଦାରିଙ୍ଗବାଡ଼ି, ୫/୭: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ମେଡିକାଲ ନିକଟରେ ଏକ ଦୁର୍ଘଟଣା ଘଟିଛି ।  ଅଟୋରିକ୍ସା ଦୁର୍ଘଟଣା ଗ୍ରସ୍ତ ହୋଇ ୨୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଏକ ପାସେଞ୍ଜର ଅଟୋ( ଓଡ଼ି ୧୨ ଡ଼ି ୩୩୨୪) ୨୫ ଜଣ ଲୋକଙ୍କୁ ଧରି ସୋମବାର ଦିନ ସାଢ଼େ ୨ ଟା ସମୟରେ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଅରାକାମ୍ବା ଗ୍ରାମରୁ ପର୍ତମାହା ପଞ୍ଚାୟତ ଅନ୍ତର୍ଗତ କାଡାସପାଟା ଗ୍ରାମର ଏକ ଭୋଜିକୁ ଯାଉଥିବା ସମୟରେ ସିମନବାଡ଼ି ମେଡ଼ିକାଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଅଟୋ ଭିତରେ ବସିଥିବା ୨୫ ଜଣ ଲୋକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଅଧିକ ଛୋଟ ପିଲା ରହିଥିବା ବେଳେ ବୃଦ୍ଧବୃଦ୍ଧା ଓ  ବୟସ୍କ ଲୋକ ରହିଥିଲେ ।

୨୫ ଜଣ ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତର ଥିବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ସିମନବାଡ଼ି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ଛାଡି ଦିଆଯାଇଥିଲା । ଗୁରୁତର ୪ ଜଣ ହେଲେ ଅରାକାମ୍ବା ଗ୍ରାମର ଏକ ବର୍ଷର ଶିଶୁ ବର୍ଷା ମଳିକ, ଚିଣ୍ଟୁ ମଳିକ(୧୬), କାନିରୀ ମଳିକ(୬୦), ଲଳିତା ପ୍ରଧାନ(୩୫) । ଘଟଣା ସମ୍ପର୍କରେ ଖବର ପାଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ବିରେନ୍ଦ୍ର ପ୍ରଧାନ ଓ ଉମାଚରଣ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ହୋଇଥିବା ଅଟୋକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଗୋଟିଏ ଅଟୋରେ ୪ ଜଣ ବସିବା ପାଇଁ ପରିବହନ ବିଭାଗର ନିୟମ ରହିଥିବା ବେଳେ ଅଟୋ ଚାଳକ କିଭଳି ଭାବେ ୨୫ ଜଣ ଲୋକଙ୍କୁ ଗୋଟିଏ ଅଟୋରେ ବସେଇ ନେଉଥିଲେ ତାହା ଏବେ ତଦନ୍ତ ସାପେକ୍ଷ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.