ଆଫଗାନର ମହିଳା କ୍ରିକେଟ୍‌ ଟିମ୍‌କୁ ଅନୁମତି ନଦେଲେ ଖେଳିବନି ଅଷ୍ଟ୍ରେଲିଆ, ସହଜରେ ତାଲିବାନ୍‌କୁ ସ୍ୱୀକୃତି ଦେବେ ନାହିଁ ବିଭନ୍ନ ଦେଶ

Published By : Prameya-News7 Bureau | September 09, 2021 IST

କାବୁଲ, ୦୯/୦୯: ଆଫଗାନିସ୍ତାନରେ ତାଲିବାନ ସରକାରକୁ ସ୍ବୀକୃତି ଏତେ ସହଜରେ ଦେବ ନାହିଁ ବୋଲି ଆମେରିକା ସ୍ପଷ୍ଟ କରିଥିବା ବେଳେ ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ବଦଳୁଥିବା ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏତିକିବେଳେ ଆଜି ବ୍ରିକସ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ନାଇନ ଇଲେଭେନର ୨୦ ତମ ବାର୍ଷିକୀରେ ତାଲିବାନ ତାର ନୂଆ ସରକାର ଗଢୁଛି। ଏତିକିବେଳେ ଆଫଗାନିସ୍ତାନରେ ଚୀନ ଓ ପାକିସ୍ତାନର ଖେଳ ଆରମ୍ଭ ହୋଇଯାଇଛି।

9/11ର ୨୦ ବର୍ଷ । ଆମେରିକୀୟମାନେ ଏବେ ଆମେରିକାଠାରୁ ଜବାବ ମାଗିଲେଣି। ୨୦ ବର୍ଷର ଯୁଦ୍ଧରେ ଆମେରିକା କେତେ କଣ ପାଇଲା, କେତେ ଜୀବନ କେତେ ଧନଜୀବନ ହରାଇଲା। ଅପରେସନ ଏନଡ୍ୟୁରିଂ ଫ୍ରିଡମ। ଏମିତି ନାଁରେ ଆମେରିକା ୨୦୦୧ରେ ମିଶନ ଆଫଗାନିସ୍ତାନ ଆରମ୍ଭ କରିଥିଲା । ଆଉ ୩୧ ଅଗଷ୍ଟରେ ଆମେରିକା ଆଫଗାନିସ୍ତାନରୁ ବିଦାୟ ନେଇଥିଲା। ଆମେରିକା ଛାଡ଼ିଆସିଥିବା ବାମାନକୁ ଏବେ ତାଲିବାନ ଚଳାଉଥିବା ଦେଖିବାକୁ ମିଳିଛି । କିଛି ଭିଡିଓରେ ତାଲିବାନୀ ନେତା ହେଲିକପ୍ଟରରେ ଦୋଳି ଖେଳୁଥିବା ଦେଖିବାକୁ ମିଳିଛି । ତାଲିବାନୀ ହାତୀଙ୍କୁ ବାଆ ପାଣି ଯୋଗାଇ ଦେବାରେ ଲାଗିଛନ୍ତି ପାକିସ୍ତାନ ଓ ଚୀନ। ଆଫଗାନିସ୍ତାନରେ ପାକିସ୍ତାନ ବିମାନ ଓହ୍ଲାଇଥିବା ମଧ୍ୟ ଦେଖିବାକୁ ମିଳିଛି । ମାନବୀୟ ସହାୟତା ନାଁରେ ସେଠାରେ ପାକିସ୍ତାନୀ ବିମାନ ଓହ୍ଲାଇଛି। ସେହିପରି ଚୀନ ମଧ୍ୟ  ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି।

ଏଣେ ଆଫଗାନିସ୍ତାନରେ ତାଲିବାନର ଦମନଲୀଳା ଜାରି ରହିଛି। ୭ ତାରିଖରେ ମହିଳାମାନଙ୍କର ଆନ୍ଦୋଳନର ଚିତ୍ର ଉତ୍ତୋଳନ କରିଥିବା କିଛି ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନା ଦେଇଛି ତାଲିବାନ। ଏପରିକି ସେମାନଙ୍କ ଚିତ୍ର ଏବେ ନେଟ ଦୁନିଆରେ ଆସିଲାଣି। ଯେଉଁଥିରେ ସେମାନଙ୍କ ପିଠିରେ ନିସ୍ତୁକ ମାଡ଼ ମାରାଯାଇଥିବା ଦେଖାଯାଉଛି। ସେହିପରି ତାଲିବାନ ମଧ୍ୟ ଦେଶରେ ଆନ୍ଦୋଳନ ଏବଂ ବିକ୍ଷୋଭ ଉପରେ କଟକଣା ଲଗାଇଛି। କେହି ଆନ୍ଦୋଳନ କରିବାକୁ ହେଲେ ୨୪ ଘଣ୍ଟା ପୂର୍ବରୁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ ବୋଲି କହିଛି।

ସେପଟେ ଆମେରିକା ଭାରତ ସମେତ ୨୦ଟି ଦେଶ ସହିତ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା କରିଛି। ଆଫଗାନିସ୍ତାନ ସରକାରରୁ ସ୍ବୀକୃତି ଏତେ ସହଜରେ ଦେବେ ନାହିଁ ବୋଲି ଆମେରିକା, ଅଷ୍ଟ୍ରେଲିଆ, ଫ୍ରାନ୍‌ସ ଭଳି ଦେଶ ସ୍ପଷ୍ଟ କରିଦେଇଛନ୍ତି। ଅଷ୍ଟ୍ରେଲିଆ ଆଫଗାନିସ୍ତାନ କ୍ରିକେଟ ଟିମ୍‌ ସହିତ ଖେଳିବନି ବୋଲି ସ୍ପଷ୍ଟ କରିଦେଇଛି। ଯଦି ମହିଳା ଟିମ୍‌କୁ ଆଫଗାନିସ୍ତାନ ଅନୁମତି ଦେବନି ତେବେ ପୁରୁଷ ଟିମର ଅଷ୍ଟ୍ରେଲିଆ ଗସ୍ତକୁ ଅନୁମତି ଦେବନି ବୋଲି କହିଛି। ଆଫଗାନିସ୍ତାନରେ ସମସ୍ତଙ୍କୁ ସାମିଲ କରି ଏକ ଇନକ୍ଲୁସିଭ ସରକାର ଗଠନ କରାନଗଲେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଅଧିକାଂଶ ଦେଶ କହିଛନ୍ତି। ସେପଟେ ଆଫଗାନିସ୍ତାନର ସରକାରରେ ଆତଙ୍କବାଦୀମାନଙ୍କ ସ୍ଥାନ ଏବଂ ସେଠାରେ ପାକିସ୍ତାନର ଭଦ୍ରଲୋକି ବଢ଼ିବା ଭାରତର ଚିନ୍ତା ବଢାଇଲାଣି। ଏ ନେଇ ଭାରତ ଆମେରିକା-ରୁଷ ସହିତ କଥା ହୋଇଛି। ଆଜି ବ୍ରିକସ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ ଅଧ୍ୟକ୍ଷତାରେ ହୋଇଛି ବ୍ରିକସ ସମ୍ମିଳନୀ । ଏଥିରେ ମୁଖ୍ୟ ପ୍ରସଙ୍ଗ ଆଫଗାନିସ୍ତାନ ହିଁ ହୋଇଥିଲା ।

ସେପଟେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶ୍ରଫ ଘନି ଟ୍ବିଟରରେ ଏକ ବକ୍ତବ୍ୟରେ ଦେଶ ଛାଡ଼ି ଚାଲିଯାଇଥିବାରୁ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ତେବେ ସେ ଫେରିବେ ଏବଂ ଟଙ୍କା ନେଇ ଫେରାର ହୋଇନାହାନ୍ତି ବୋଲି ପୁଣି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.