କ୍ରିକେଟ୍ ଦୁନିଆକୁ ମିଳିଲା ନୂତନ ଟି-୨୦ ଚାମ୍ପିଅନ, କିଓ୍ଵି ଦଳକୁ ହରାଇ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | November 14, 2021 IST

ଦୁବାଇ ୧୪।୧୧: କ୍ରିକେଟ୍ ଦୁନିଆକୁ ମିଳିଲା ନୂତନ ଟି-୨୦ ଚାମ୍ପିଅନ। ସବୁ କଳ୍ପନା ଜଳ୍ପନା ଏବଂ ପୂର୍ବାନୁମାନ  ଭୁଲ୍ ପ୍ରମାଣିତ କରି ଟି-୨୦ ବିଶ୍ଵ କପ୍ ୨୦୨୧ର ଟାଇଟଲ୍ ଜିତିଲା ଅଷ୍ଟ୍ରେଲିଆ। ୧୫ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଟ୍ରଫି ଜିତିବାରେ ସଫଳ ହୋଇଛି। ଅନ୍ୟପଟେ  ନ୍ୟୁଜିଲାଣ୍ଡର ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ୨୦୧୫ରେ ମଧ୍ୟ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ଦିନିକିଆ ବିଶ୍ଵ କପ୍‌ ଫାଇନାଲ୍‌ରେ ପରାସ୍ତ କରିଥିଲା।  ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ମିଚେଲ୍ ମାର୍ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ୮ ଓ୍ଵିକେଟ୍‌ରେ ହରାଇ ଟି-୨୦ ବିଶ୍ଵ କପ୍ ଜିତିଛି। ଏଥିସହ ରନର୍ସ ଅପରେ ନ୍ୟୁଜିଲାଣ୍ଡକୁ ସନ୍ତୁଷ୍ଟ ହେବାକୁ ପଡିଛି। ଦଳ ପ୍ରଥମ ଟି-୨୦ ବିଶ୍ଵ କପ୍ ଜିତିବାକୁ ଲକ୍ଷ୍ୟ ରଖିଥିଲା। ୨୦୧୯ ଦିନିକିଆ ବିଶ୍ଵ କପରେ ମଧ୍ୟ ଅଷ୍ଟ୍ରେଲିଆ ହାତରୁ ହାରି ନ୍ୟୁଜିଲାଣ୍ଡକୁ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଶେଷରେ ୫ ଥର ଦିନିକିଆ ବିଶ୍ଵ କପ୍ ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାରେ ସକ୍ଷମ ହୋଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ୨୦୧୦ରେ ଫାଇନାଲ୍‌ରେ ପ୍ରବେଶ କରିଥିଲା। କିନ୍ତୁ ଇଂଲଣ୍ଡ ହାତରୁ ପରାଜିତ ହୋଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନଙ୍କ ଦମଦାର ୮୫ ରନର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୭୨ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଗୁପଟିଲ୍ ୨୮ ରନ କରିଥିଲେ। ଜବାବରେ ମିଚେଲ ମାର୍ଶଙ୍କ ଅପରାଜିତ ୭୭ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୩ ରନ ବଳରେ ଅଷ୍ଟ୍ରେଲିଆ ୧୮.୫ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଗ୍ଲେନ ମ୍ୟାକ୍ସଓ୍ଵେଲ ୨୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଟ୍ରେଣ୍ଟ ବୋଲ୍ଟ ଦଳ ପକ୍ଷରୁ ଏକ ମାତ୍ର ବୋଲର ଭାବେ ପ୍ରଭାବଶାଳୀ ବୋଲିଂ କରି ୨ ଓ୍ଵିକେଟ୍ ନେଇଥିଲେ। ନ୍ୟୁଜିଲାଣ୍ଡ ଇନିଂସରେ ଅଷ୍ଟ୍ରେଲିଆ ତରଫରୁ ହେଜେଲଡ ମାତ୍ର ୧୬ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ।

{"id":543874,"sizeSlug":"full","linkDestination":"none"}

ରେକର୍ଡ ୧୭୩ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆକୁ ୧୫ ରନରେ ଅଧିନାୟକ ଆରୋନ ଫିଞ୍ଚ(୭)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଡେଭିଡ୍ ଓ୍ଵାର୍ଣ୍ଣର ଓ ମିଚେଲ୍ ମାର୍ଶ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଓ୍ଵାର୍ଣ୍ଣର ନିଜର ଚମତ୍କାର ଫର୍ମକୁ ବଜାୟ ରଖି ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଉଭୟ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୯୨ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ। ଓ୍ଵାର୍ଣ୍ଣର ୩୮ ବଲ୍‌ରୁ ୪ ଚୌକା ଓ ୩ ଛକା ସହ ସହ ୫୩ ରନ କରି ପାଭିଲିୟନ ଫେରିଥିଲେ।

ଏହା ପରେ ମିଚେଲ୍ ମାର୍ଶ ଓ ଗ୍ଲେନ ମ୍ୟାକ୍ସଓ୍ଵେଲ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ବିଶେଷ କରି ମିଚେଲ୍ ମାର୍ଶ ଚଳିତ ବିଶ୍ଵ କପରେ ନିଜର ଦମଦାର ଇନିଂସ ଖେଳିଥିଲେ। ଅର୍ଦ୍ଧଶତକ ହାସଲ କରିବା ସହ ଶେଷ ପର୍ଯ୍ୟନ୍ତ ରହି ଦଳକୁ ବିଜୟୀ କରାଇଛନ୍ତି। ମାର୍ଶ ଓ ମ୍ୟାକ୍ସଓ୍ଵେଲ ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୬6 ରନ ଯୋଡି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ମିଚେଲ୍ ମାର୍ଶ ୫୦ ବଲ୍‌ରୁ ୬ ଚୌକା ଓ ୪ ଛକା ସହ ଅପରାଜିତ ୭୭ ରନ ଏବଂ ମ୍ୟାକ୍ସଓ୍ଵେଲ ୨୫ ରନରେ ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ୧୮.୫ ଓଭରରେ ୨ ଓ୍ଵିକେଟ୍ ହରାଇ ୧୭୩ ରନ କରି ଫାଇନାଲ୍ ମ୍ୟାଚ୍ ଜିତିବା ସହ ଟି-୨୦ ବିଶ୍ଵ କପ୍ ଚାମ୍ପିଅନ ହୋଇଛି।

ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟଙ୍କୁ ବାଦ୍ ଦେଲେ ବାକି ବୋଲର ପ୍ରଭାବଶାଳୀ ବୋଲିଂ କରି ପାରିନଥିଲେ। ବୋଲ୍ଟ ୧୮ ରନ ଦେଇ ୨ ଓ୍ଵିକେଟ୍ ନେଇଥିଲେ।

{"id":543876,"sizeSlug":"full","linkDestination":"none"}

ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ମାର୍ଟିନ୍‌ ଗପ୍ଟିଲ ଏବଂ ଡାରିଲ ମିଚେଲ ଭଲ ଆରମ୍ଭ କରିଥିଲେ । ଗପ୍ଟିଲ ବ୍ୟକ୍ତିଗତ ଭାବେ ୩୫ ବଲରୁ ୨୮ ରନ କରି ଆଉଟ ହୋଇଥିବା ବେଳେ ମିଚେଲ ୧୧ରନ କରି ଆଉଟ ହୋଇଥିଲେ । ପରେ ଅଧିନାୟକ ଓ୍ବିଲିୟମସନ୍‌ ବିସ୍ଫୋରକ ବ୍ୟାଟିଂକରି ୪୮ ବଲରୁ ୧୦ ଚୌକା ଏବଂ ୩ଟି ଛକା ସହାୟତାରେ ୮୫ ରନର ଦମଦାର ଇନିଂସ ଖେଳିଥିଲେ । ଗ୍ଲେନ୍‌ ଫିଲିପ୍ସ ୧୭ ବଲ ଖେଳି ଗୋଟିଏ ଲେଖାଏଁ ଛକା ଏବଂ ଚୌକା ବଳରେ ୧୮ ରନ କରି ପାଭିଲିୟନ ଫେରିଥିଲେ । ଜେମସ୍‌ ନିଶାମ୍‌ ୧୩ ଏବଂ ଟିମ ସେଇଫର୍ଟ ୮ ରନ କରି ଅପରାଜିତ ଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର ବୋଲା ମିଚେଲ ଷ୍ଟାର୍କ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ୪ ଓଭର ବୋଲିଂ କରି ୬୦ ରନ ଦେଇ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଛନ୍ତି ଷ୍ଟାର୍କ । ଗ୍ଲେନ୍‌ ମାକ୍ସଓ୍ବେଲ ୩ ଓଭରରେ ୨୮ ରନ ଦେଇଥିବା ବେଳେ, ଜୋସ୍‌ ହେଜେଲଉଡ୍‌ ଚମତ୍କାର ବୋଲିଂକରି ୪ ଓଭରରେ ୧୬ରନ ଦେଇ ୩ ଓ୍ବିକେଟ, ପ୍ୟାଟ୍‌ କମିନ୍ସ ୪ ଓଭରରେ ୨୭ ରନ, ଆଡାମ ଜାମ୍ପା ୪ ଓଭରରେ ୨୬ରନ ୧ ଓ୍ବିକେଟ, ମିଚେଲ ମାର୍ସ ୧ ସଭରରେ ୧୧ ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.