ବିରାଟ କୋହଲିଙ୍କ ଅର୍ଦ୍ଧଶତକ ନିଷ୍ଫଳ, ଶେଷ ଟି-୨୦କୁ ୧୨ ରନରେ ଜିତି ସମ୍ମାନ ରଖିଲା ଅଷ୍ଟ୍ରେଲିଆ, ୨-୧ରେ ସିରିଜ୍ ଜିତିଲା ଭାରତ

Published By : Prameya-News7 Bureau | December 08, 2020 IST

ସିଡନୀ ୦୮।୧୨: ୨୦୧୬ର ସଫଳତାକୁ ଦୋହରାଇବାରେ ବିଫଳ ହୋଇଛି ଭାରତୀୟ ଦଳ। ଅଧିନାୟକ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ଇନିଂସ ସତ୍ଵେ ଶେଷ ଟି-୨୦ ମୁକାବିଲାରେ ଭାରତ ଅଷ୍ଟ୍ରେଲିଆ ହାତରୁ ୧୨ ରନରେ ପରାଜିତ ହୋଇଛି। ଏହି ବିଜୟ ସହିତ ଘରୋଇ ଅଷ୍ଟ୍ରେଲିଆ ହ୍ଵାଇଟ୍‌ ଓ୍ଵାଶରୁ ବର୍ତ୍ତିବା ସହ ନିଜର ସମ୍ମାନ ରକ୍ଷା କରି ପାରିଛି। ଶେଷ ଟି-୨୦ ହାରିବା ସତ୍ଵେ ଭାରତ  ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୨-୧ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ମାଥ୍ୟୁ ଓ୍ଵାଦେଙ୍କ ୮୦ ରନ ଓ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ୫୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଅଧିନାୟକ ବିରାଟ କୋହଲିଙ୍କ ୮୫ ରନର ଦମଦାର ସତ୍ଵେ ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା।

୧୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତକୁ ପ୍ରଥମ ଓଭରର ଦ୍ଵିତୀୟ ବଲରେ ଝଟକା ଲାଗିଥିଲା। ଲୋକେଶ ରାହୁଲ ଖାତା ଖୋଲିବା ପୁର୍ବରୁ ପାଭିଲିୟନ ଫେରିଥିଲେ। ଏହା ପରେ ଶିଖର ଧାଓ୍ଵନ ଓ ବିରାଟ କୋହଲି ଦଳର ଇନିଂସ ଆଗକୁ ବଢାଇଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍‌ ପାଇଁ ୭୪ ରନ ଯୋଡି ବିଜୟର ମୂଳଦୁଆ ପକାଇଥିଲେ। ଶିଖର ଧାଓ୍ଵନ ୨୮ ରନ କରି ଆଉଟ୍ ହୋଇଥିଲେ। ପରେ ଭାରତ ସଅଳ ଦୁଇଟି ଓ୍ଵିକେଟ୍ ହରାଇଥିଲା। ସଞ୍ଜୁ ସାମସନ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରିନଥିଲେ। ସେ ୧୦ ରନ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ।

ଅନ୍ୟପଟେ କ୍ରିଜରେ ଜମି ରହିଥିବା କୋହଲି ଟି-୨୦ ଅନ୍ତରାଷ୍ଟ୍ରୀୟରେ ୨୪ତମ ଅର୍ଦ୍ଧଶତକ ହାସଲ କରିଥିଲେ। କୋହଲି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ପଞ୍ଚମ ଓ୍ଵିକେଟ୍‌ରେ ୪୪ ରନ ଯୋଡିଥିଲେ। ଏହି ଯୋଡି କ୍ରିଜରେ ଥିବା ପର୍ଯ୍ୟନ୍ତ  ଭାରତର ବ୍ୟାଟିଂ ଆଶା ଉଜ୍ଜିବୀତ ଥିଲା। ହେଲେ ଆଡମ ଜାମ୍ପା ହାର୍ଦ୍ଦିକଙ୍କୁ ଆଉଟ୍ କରି ଭାରତକୁ ଜୋରଦାର ଝଟକା ଦେଇଥିଲେ। ପାଣ୍ଡ୍ୟା ୧୩ ବଲରୁ ୨୦ ରନ କରି ଆଉଟ୍  ହୋଇଥିଲେ। ବିରାଟ କୋହଲି ଆଉଟ୍ ହେବା ଭାରତ ବିଜୟଠୁ ଦୂରେଇ ଯାଇଥିଲା। କୋହଲି ୬୧ ବଲରୁ ୪ ଚୌକା ଓ ୩ ଛକା ସହ ୮୫ ରନର ଦମଦାର ଇନିଂସ ଖେଳି ଆଉଟ୍ ହୋଇଥିଲେ। ଭାରତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୪ ରନରେ ସୀମିତ ହୋଇଥିଲା। ଶାର୍ଦ୍ଦୁଳ ଠାକୁର ୭ ବଲରୁ ୧୭ ରନ କରିଥିଲେ ହେଁ ଦଳ ପାଇଁ ପର୍ଯ୍ୟାପ୍ତ ହୋଇନଥିଲା।

ଅଷ୍ଟ୍ରେଲିଆ ତରଫରୁ ମିଚେଲ ସ୍ଵେପସନ ୨୩ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ,  ଆଡମ ଜାମ୍ପା ଓ ସିନ ଆବଟ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.