ଟି ୨୦ ବିଶ୍ବକପ : ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ, ୮ଓ୍ବିକେଟରେ ଜିତିଲା କଙ୍ଗାରୁ ବାହିନୀ

Published By : Prameya-News7 Bureau | November 04, 2021 IST

ଦୁବାଇ ୦୪/୧୧ : ଟି ୨୦ ବିଶ୍ବକପର ଗୁରୁବାରର ପ୍ରଥମ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୭୩ ରନ କରିବାକୁ ସକ୍ଷମ ହୋଇଥିଲା ବାଂଲାଦେଶ । ଜବାବରେ ମାତ୍ର ୬.୨ ଓଭର ଖେଳି ୨ଟି ଓ୍ବିକେଟ ହରାଇ ୭୮ ରନ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଛି ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଓପନର ଡେଭିଡ ଓ୍ବାର୍ଣ୍ଣର ଏବଂ ଅଧିନାୟକ ଆରୋନ୍‌ ଫିଞ୍ଚ ଜବରଦସ୍ତ ଆରମ୍ଭ କରିଥିଲେ । ଫିଞ୍ଚ ବ୍ୟକ୍ତିଗତ ଭାବେ ୨୦ ବଲ ଖେଳି ୨ ଚୌକା ଏବଂ ୪ ଛକା ସହାୟତାରେ ୪୦ ରନ, ଡେଭିଡ୍‌ ଓ୍ବାର୍ଣ୍ଣର ୧୮ରନ କରି ଆଉଟ ହୋଇଛନ୍ତି । ମିଚେଲ ମାର୍ସ ୧୬ ରନ ଏବଂ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୦ରନ କରି ଅପରାଜିତ ଅଛନ୍ତି । ତସ୍କିନ୍‌ ଅହମ୍ମଦ ୩.୨ ଓଭରରେ ୩୬ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ମୁସ୍ତଫିଜୁର ରେହମାନ ୨ ଓଭରରେ ୩୨ରନ ଏବଂ ଇସଲାମ ୧ ଓଭରରେ ୯ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

ସୂଚନାଯୋଗ୍ୟ, ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । କଙ୍ଗାରୁ ଟିମର ଶାଣିତ ବୋଲିଂ ସାମ୍ନାରେ ଧରାଶୟୀ ହୋଇଥିଲା ବାଂଲାଦେଶ । ୧୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ଦଳ ସଂଗ୍ରହ କରିଥିଲା ମାତ୍ର ୭୩ ରନ । ଅଷ୍ଟ୍ରେଲିଆକୁ ଜିତିବାକୁ ୭୪ ରନ ଆବଶ୍ୟକ ଥିଲା । ଆଡମ ଜାମ୍ପାଙ୍କ ଘାତକ ବୋଲିଂ ସାମ୍ନାରେ ଆତ୍ମସମର୍ପଣ କରିଥିଲା ବାଂଲାଦେଶ ।

ଦଳ ପକ୍ଷରୁ ଓପନର ମହମ୍ମଦ ନଇମ୍‌ ଏବଂ ଲିଟନ ଦାସ ନିରାଶ କରିଥିଲେ । ନଇବ ମାତ୍ର ୧୭ ରନ କରି ଆଉଟ ହୋଇଥିବା ବେଳେ, ଲିଟନ ଦାସ ଖାତା ମଧ୍ୟ ଖୋଲିପାରି ନଥିଲେ । ସୌମ୍ୟ ସରକାର ୫ରନ, ମସ୍ତଫିଜୁର ରହିମ ୧ରନ, ଅଧିନାୟକ ମହମ୍ମଦଉଲ୍ଲା ୧୬, ଆଫିଫ୍‌ ହୋସେନ୍‌ ୦, ସମୀମ୍‌ ହୋସେନ ୧୯ରନ, ମହେଦୀ ହାସନ ୦ରନ, ମୁସ୍ତଫିଜୁର ରେହମାନ ୪, ସୋରିଫୁଲ ଇସଲାମ ୦ରନ କରି ଆଉଟ ହୋଇଥିଲେ । ତସ୍କିନ୍‌ ଅହମ୍ମଦ ୬ ରନ କରି ଅପରାଜିତ ଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୪ ଓଭରରେ ୨୧ ରନ ଦେଇ ୨ ଓ୍ବିକେଟ ନେଇଥିବା ବେଳେ, ହେଜେଲଉଡ ୨ ଓଭରରେ ୮ରନ ଦେଇ ୨ ଓ୍ବିକେଟ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୨ ଓଭରରେ ୬ ରନ ୧ ଓ୍ବିକେଟ, ପ୍ୟାଟ୍ କମିନ୍ସ ୩ ଓଭରରେ ୧୮ ରନ, ଏବଂ ଆଡମ ଜାମ୍ପା ୪ ଓଭରରେ ମାତ୍ର ୧୯ ରନ ଦେଇ ୫ଟି ଓ୍ବିକେଟ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.