ଟିମ୍ ଇଣ୍ଡିଆକୁ ପୁଣି ଜରିମାନା, ଧିମା ବୋଲିଂ ପାଇଁ କଟିଲା ମ୍ୟାଚ୍ ଫି

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୦୯/୧୨ : ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଧିମା ବୋଲିଂ ପାଇଁ ପୁଣି ଥରେ ଭାରତକୁ ଜରିମାନା ଦେବାକୁ ପଡିଛି । ଧିମା ବୋଲିଂ ପାଇଁ ମ୍ୟାଚ୍ ଫି’ ର ୨୦ ପ୍ରତିଶତ କଟାଯାଇଛି । ଆଇସିସି ମ୍ୟାଚ୍ ରେଫରୀ ଡେଭିଡ୍ ବୁନ ଏହି ଜରିମାନା ଲଗାଇଛନ୍ତି । ମଙ୍ଗଳବାର ଦିନ ଖେଳାଯାଇଥିବା ତୃତୀୟ ତଥା ଶେଷ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ସମୟ ଠାରୁ ଏକ ଓଭର ପଛରେ ଚାଲୁଥିଲା ।

ଆଇସିସି ବୁଧବାର ଜାରି କରିଥିବା ବୟାନରେ କହିଛି ଯେ, ‘ ଆଇସିସି ଖେଳାଳି ଏବଂ ସହଯୋଗୀ ଷ୍ଟାଫମାନଙ୍କ ପାଇଁ ଆଚାର ସଂହିତାର ଧାରା ୨.୨୨ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଓଭର ଶେଷ କରିନପାରିଲେ ମ୍ୟାଚ ଫି ର ୨୦ ପ୍ରତିଶତ ଜରିମାନା ଲଗାଯାଏ’ ।

 ଅଧିନାୟକ ବିରାଟ କୋହଲି ଏହାକୁ ସ୍ବୀକାର କରିଛନ୍ତି । ମାମଲାର ଔପଚାରିକ ଶୁଶାଣି କରାଯାଇନାହିଁ । ପଡିଆ ଅମ୍ପାୟାର ରଡ୍ ଟକ୍କର, ଗେରାର୍ଡ ଅବୁଡ୍, ଟିଭି ଅମ୍ପାୟାର ପୋଲ ଓ୍ବିଲସନ୍, ଏବଂ ଚତୁର୍ଥ ଅମ୍ପାୟାର ସୈମ ନୋଗାକ୍ସୀ ଏହି ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ଟିମ୍ ଇଣ୍ତିଆ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଧିମା ବୋଲିଂ ପାଇଁ ଜରିମାନା ଦେଇଥିଲା । ସିଡିନରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୬୬ ରନରେ ପରାଜିତ ହୋଇଥିଲା । ତେବେ ଭାରତୀୟ ଟିମ ନିର୍ଦ୍ଧାରିତ ସମୟ ଠାରୁ ଗୋଟିଏ ଓଭର କମ ବୋଲିଂ କରିଥିବାରୁ ମ୍ୟାଚ ଫି କଟା ଯାଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.