ତୃତୀୟ ଦିନିକିଆ : କଙ୍ଗାରୁ ଟିମ୍କୁ ୩୦୩ରନ୍ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ, ଶେଷ ବେଳକୁ ଚମକ ଦେଖାଇଲେ ହାର୍ଦ୍ଦିକ-ଜାଡେଜା
2/12/2020 at 12:41 PM

କାନବେରା ୦୨।୧୨: ଭାରତ-ଅଷ୍ଟ୍ରେଲିଆ ଦିନିକିଆର ସିରିଜର ଅନ୍ତିମ ମ୍ୟାଚ କାନ୍ବେରାରେ ଜାରି ରହିଛି । ଅନ୍ତିମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ଦୁଇଟି ମ୍ୟାଚ୍ରେ ପରାସ୍ତ ପରେ ଇଣ୍ଡିଆ ଟିମ୍ରେ ୪ଟି ପରିବର୍ତ୍ତନ କରାଯାଇଥିଲା । ତେବେ ମ୍ୟାଚ୍ରେ ଅଧିନାୟକ କୋହଲି , ହାର୍ଦ୍ଦିକ ଓ ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ୍ ହରାଇ ୩୦୨ ରନ୍ କରିଛି। ଯାହାଫଳରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ୩୦୩ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ।
ଭାରତ ପକ୍ଷରୁ ଶିଖର ଧାଓ୍ବନ ଓ ଶୁଭମନ୍ ଗିଲ୍ ଓପନିଂ କରିବାକୁ ଆସିଥିଲେ। ହେଲେ ଦଳ ପାଇଁ ଭଲ ଆରମ୍ଭ କରି ପାରିନଥିଲେ। ଦଳୀୟ ସ୍କୋର ୨୬ ଥିବା ବେଳେ ଟିମ୍ ଇଣ୍ଡିଆକୁ ଲାଗିଥିଲା ପ୍ରଥମ ଝଟକା। ଶିଖର ଧାଓ୍ବନ ବ୍ୟକ୍ତିଗତ ୧୬ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲ। ପରେ ଅଧିନାୟକ ବିରାଟ କୋହଲି କ୍ରିଜକୁ ଆସି ଶଭମନ୍ ଗିଲଙ୍କ ସହ ମିଶି ଦଳୀୟ ସ୍କୋରକୁ ବଢ଼ାଇଥିଲେ। କିନ୍ତୁ ୧୬ ତମ ଓଭରରେ ଗିଲ୍ ବ୍ୟକ୍ତିଗତ ୩୩ ରନ୍ କରି ପ୍ୟାଭିଲିଅନ୍ ଫେରିଯାଇଥିଲେ। ପରେ ଶ୍ରେୟସ୍ ଆୟର ଓ କେଏଲ ରାହୁଲ ବ୍ୟାଟିଂ କରିବାକୁ ଆସି ବିରାଟଙ୍କ ସାଥ ଦେଇ ପାରି ନଥିଲେ। ଶ୍ରେୟସ୍ ୧୯ ଓ କେଏଲ ରାହୁଲ ୫ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ ୬୩ ରନ୍ କରି ମଧ୍ୟ ପ୍ୟାଭିଲିଅନ୍କୁ ଫେରିଯାଇଥିଲେ। ଏହାପରେ ହାର୍ଦ୍ଦିକ ଓ ରବିନ୍ଦ୍ର ଜାଡେଜା ଡେଥ୍ ଓଭରରେ ଭଲ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟ ବ୍ୟାଟସମ୍ୟାନ୍ ଅଷ୍ଟ୍ରେଲିଆର ବୋଲରଙ୍କୁ ସାମ୍ନା କରି ଦଳକୁ ଭଲ ସ୍କୋରରେ ପହଞ୍ଚାଇଥିଲେ । ପ୍ରଥମ ଇନିଂସ ଶେଷ ବେଳକୁ ଜାଡେଜା ୬୬ରନ୍ ଓ ହାର୍ଦ୍ଦିକ ୯୨ରନ୍ କରି ଅପରାଜିତ ରହିଛନ୍ତି ।
ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆଷ୍ଟନ ଆଗର ସର୍ବାଧିକ ୨ଟି ଓ୍ୱିକେଟ ହାସଲ କରିଥିବା ବେଳେ, ଜୋଷ ହାଜେଲଉଡ, ଆଡମ ଜାମ୍ପା ଓ ସେନ୍ ଆବୋଟ ଗୋଟିଏ ଲେଖାଏ ଓ୍ୱିକେଟ୍ ନେଇଛନ୍ତି । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ସେନ୍ ଆବୋଟ ନିଜ ସୀମିତ ଓଭରରେ ଅଧିକ ରନ୍ ଦେଇଛନ୍ତି । ଆବୋଟ ୧୦ ଓଭର ବୋଲିଂ କରି ୮୪ରନ୍ ବ୍ୟୟ କରି ଗୋଟିଏ ଓ୍ୱିକେଟ ନେଇଛନ୍ତି ।