ବକ୍ସିଂ ଡେ’ ଟେଷ୍ଟ୍ : ୨୦୦ରନ୍‌ରେ କଙ୍ଗାରୁ ଟିମ୍ ଅଲଆଉଟ୍, ଭାରତକୁ ଟାର୍ଗେଟ ୭୦

Published By : Prameya-News7 Bureau | December 29, 2020 IST

ମେଲବର୍ଣ୍ଣ ୨୯।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍‌ ମେଲବର୍ଣ୍ଣରେ ଖେଳାଯାଉଛି । ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ରେ ମଙ୍ଗଳବାର ୪ର୍ଥ ଦିନ ଖେଳ ଜାରି ରହିଛି । ତେବେ ୪ର୍ଥ ଦିନରେ ଅଷ୍ଟ୍ରେଲିଆ ଟିମ୍ ୨୦୦ରନ୍‌ରେ ଅଲଆଉଟ୍ ହୋଇଯାଇଛି । ଫଳରେ ଭାରତକୁ ୭୦ରନ୍‌ ଟାର୍ଗେଟ ଦେଇଛି କଙ୍ଗାରୁ ଟିମ୍ । ୨ୟ ପାଳିରେ ଭାରତକୁ ବିଜୟ ହାସଲ କରିବାକୁ ହେଲେ ୭୦ରନ୍‌ର ଟାର୍ଗେଟକୁ ପୂରଣ କରିବାକୁ ପଡିବ ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । ଏହାପରେ ଭାରତ ପ୍ରଥମ ଇନିଂସରେ ୩୨୬ରନ୍‌ କରିଥିଲା । ଭାରତକୁ ପ୍ରାରମ୍ଭିକ ଝଟକା ଲାଗିବା ସତ୍ତ୍ୱେ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଲଢୁଆ ଶତକୀୟ ଇନିଂସ ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଦଳରେ ଭାରତ ଅଷ୍ଟ୍ରେଲିଆଠୁ ୧୩୧ ରନ୍ ଆଗରେ ରହିଥିଲା ।

ଦ୍ୱିତୀୟ ଇନିଂସ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦଳୀୟ ସ୍କୋର ୪ ରନ୍ ଥିବା ବେଳେ ଜୋଏ ବର୍ଣ୍ଣସ୍ ଆଉଟ ହୋଇଥିଲେ । ସେହିପରି ଏମ ଲାବୁସେନ ୨୮ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ଓ୍ୱାଡେ ୪୦, ଷ୍ଟିଭ୍ ସ୍ମିଥ୍ ୮, ଟ୍ରାଭିସ୍ ହେଡ୍ ୧୭ ଓ ଟିମ୍ ପେନ୍ ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଗତକାଲି ଖେଳ ଶେଷ ସୁଦ୍ଧା କ୍ରିଜରେ କ୍ୟାମରନ୍ ଗ୍ରୀନ ୧୭ ଓ ପ୍ୟାଟ୍ କ୍ୟୁମିନ୍ସ ୧୫ ରନରେ ବ୍ୟାଟିଂ ଜାରି ରଖିଥିଲେ । ତେବେ ଆଜି ୪ର୍ଥ ଦିନରେ ପଡିଆକୁ ଓହ୍ଲାଇଥିବା କଙ୍ଗାରୁ ବ୍ୟାଟ୍‌ସମ୍ୟାନ୍‌ । ଆଜି ଦିନର ଖେଳ ଆରମ୍ଭରୁ ଅଷ୍ଟ୍ରେଲିଆ ଟିମ୍‌ର ଲଗାତର ଭାବେ ଓ୍ୱିକେଟ୍‌ ପଡିଥିଲା । ଯାହାଫଳରେ ଅଷ୍ଟ୍ରେଲିଆ ଟିମ୍‌ ମୋଟ ୨୦୦ ରନ୍‌ କରିବାର ସମର୍ଥ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାମରନ୍ ଗ୍ରୀନ ସର୍ବାଧିକ ୪୫ରନ୍‌ କରିଥିବା ବେଳେ ମ୍ୟାଥ୍ୟୁ ଓ୍ୱାଡେ ୪୦ ରନ୍‌, ଲାବୁସେନ୍‌ ୨୮ ରନ୍‌, ଟ୍ରାଭିସ୍‌ ହେଡ଼୍‌ ୧୭ରନ୍‌, ପ୍ୟାଟ୍‌ କମିନ୍‌ସ ୨୨ରନ୍‌, ଷ୍ଟାକ୍‌ ୧୪ ରନ୍‌, ହେଜେଲହୁଡ଼୍‌ ୧୦ ରନ୍‌ କରିଛନ୍ତି ।

ମେଲବର୍ଣ୍ଣ ଟେଷ୍ଟରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ଦଳ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୩ଟି ଓ୍ୱିକେଟ୍‌ ନେଇଥିବା ବେଳେ ଜସପ୍ରିତ୍‌ ବୁମ୍‌ରାହ, ରବିଚନ୍ଦ୍ରନ୍‌ ଅଶ୍ୱିନୀ ଓ ରବିନ୍ଦ୍ର ଜାଡେଜା ୨ଟି ଲେଖାଏଁ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ଅନ୍ୟପଟେ ଉମେଶ ଯାଦବଙ୍କ ଖାତାରେ ଗୋଟିଏ ଓ୍ୱିକେଟ୍ ରହିଛି । ‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.