କୋଭିଡ ଟିକାକରଣ ନିଷ୍ପତ୍ତିରୁ ଓହରିଲା ଅଷ୍ଟ୍ରେଲିଆ, ୫.୧କୋଟି ଡୋଜ କ୍ୟାନସଲ
11/12/2020 at 10:40 PM

ମୋଲବର୍ଣ୍ଣ ୧୧।୧୨: ଅଷ୍ଟ୍ରେଲିଆ କୋଭିଡ ଟିକାକରଣ କାର୍ଯ୍ୟକ୍ରମକୁ ଦେଶରେ ବାତିଲ କରିଦେଇଛି। ଏହା ସହ ଟିକାକରଣ ଲାଗି ଦେଶରେ ନିର୍ମିତ ହେବାକୁ ଯାଉଥିବା ୫.୧କୋଟି ଡୋଜ ମଧ୍ୟ ସରକାର ରଦ୍ଦ କରିଛନ୍ତି। ଅଷ୍ଟ୍ରେଲିଆରେ ଟିକାକରଣ ଲାଗି ପରୀକ୍ଷଣ ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷାମୂଳକ ଟିକା ନେଇଥିବା ଲୋକଙ୍କ ଠାରେ ଏଚଆଇଭି ଆଣ୍ଟିବଡି ବିକଶିତ ହେଉଥିବା ଜଣା ପଡିବାମାତ୍ରେ ସରକାର ଟିକାକରଣ ନିଷ୍ପତ୍ତି ବଦଳାଇଦେଇଛନ୍ତି।
ବ୍ରିଟେନ ଓ କାନାଡା ଫାଇଜର କୋଭିଡ ଟିକାକୁ ଦେଶରେ ଏମାର୍ଜେନ୍ସି ଆପ୍ରୁଭାଲ ଦେଇଛନ୍ତି। ହୁଏତ ଆମେରିକା ମଧ୍ୟ ଟିକାକରଣ ଦିଗରେ ପଦକ୍ଷେପ ନେଇପାରେ। ଶନିବାର ସୁଦ୍ଧା ଦେଶରେ ଟିକାକୁ ମଞ୍ଜୁରି ମିଳିବା ପରେ ଆଗାମୀ ସପ୍ତାହରୁ ଟିକାକରଣ ଆରମ୍ଭ ହେବାର ଅନୁମାନ କରାଯାଉଛି। ତେବେ ଅଷ୍ଟ୍ରେଲିଆରେ ଟିକାର ପରୀକ୍ଷଣ ବେଳେ ଏହା ଯୋଗୁ ହେଉଥିବା ପ୍ରତିକ୍ରିୟାର ପ୍ରଥମ ସୂଚନା ମିଳିଛି।
ଅଷ୍ଟ୍ରେଲିଆ ସରକାର ଦେଶରେ କୋଭିଡ ମୁକାବିଲା ଲାଗି ୫.୧ କୋଟି ଡୋଜ ନିମନ୍ତେ ଅର୍ଡର ଦେଇସାରିଥିଲେ। ଏହି ଭାକ୍ସିନ ଡୋଜ୍ ଦେଶରେ ନିର୍ମିତ ହୋଇଥାନ୍ତା। ତେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଜଣାପଡିଯିବାରୁ ସରକାର ଟିକା ଲାଗି ଦେଇଥିବା ଅର୍ଡର ବାତିଲ କରିଦେଇଛନ୍ତି। ତେବେ ଯେଉଁ ଟିକା ଏଚଆଇଭି ଆଣ୍ଟିବଡି ବିକଶିତ କରୁଛି ତାହା ଅଷ୍ଟ୍ରେଲିୟ ଔଷଧ କମ୍ପାନୀ ବିକଶିତ କରିଥିଲେ ବୋଲି ଜଣାପଡିଛି। ଅଷ୍ଟ୍ରେଲିଆରେ ୪ଟି କମ୍ପାନୀ କୋଭିଡ ଭେକ୍ସିନ ଲାଗି ଗବେଷଣା ଓ କ୍ଲିନିକାଲ ଟ୍ରାୟଲ କରୁଥିଲେ।