ଇତିହାସ ରଚିଲା ଅଷ୍ଟ୍ରେଲିଆ: ପ୍ରଥମ ଥର ଜିତିଲା ଟି-୨୦ ବିଶ୍ଵ କପ୍, ୬ ବର୍ଷରେ ତୃତୀୟ ଫାଇନାଲ୍ ହରାଇଲା ନ୍ୟୁଜିଲାଣ୍ଡ

Published By : Prameya-News7 Bureau | November 14, 2021 IST

ଦୁବାଇ ୧୪।୧୦: ଦୁନିଆକୁ ମିଳିଗଲା ନୂତନ ଟି-୨୦ ବିଶ୍ଵ କପ୍ ଚାମ୍ପିଅନ। ଅଷ୍ଟ୍ରେଲିଆ ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୮ ଓ୍ଵିକେଟ୍‌ରେ ହରାଇ ଟି-୨୦ ବିଶ୍ଵ କପ୍‌ ୨୦୨୧ର ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଟି-୨୦ ଫମାର୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଥର ବିଶ୍ଵ କପ୍ ଟ୍ରଫି ଜିତିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ପୁଣି ଥରେ ନିରାଶ ହୋଇଛି। ଦଳ ୨୦୧୫ ଦିନିକିଆ ବିଶ୍ଵ କପ୍‌ରେ ମଧ୍ୟ ଅଷ୍ଟ୍ରେଲିଆ ହାତରୁ ପରାଜୟ ହୋଇଥିଲା। ଆଉ ଦଳର ପ୍ରଥମ ବିଶ୍ଵ କପ୍ ସ୍ଵପ୍ନ ଧୂଳିସାତ ହୋଇଥିଲା। ଆଜି ପୁଣି ଥରେ କିଓ୍ଵି ଦଳ କ୍ଷେତ୍ରରେ ପୁନରାବୃତ୍ତି ଘଟିଛି।

୫ ଥର ଦିନିକିଆ ବିଶ୍ଵ କପ୍ ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାରେ ସକ୍ଷମ ହୋଇଛି। ଦଳ ଏହା ପୂର୍ବରୁ ୨୦୧୦ରେ ଫାଇନାଲ୍‌ରେ ପ୍ରବେଶ କରିଥିଲା। କିନ୍ତୁ ଇଂଲଣ୍ଡ ହାତରୁ ପରାଜିତ ହୋଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନଙ୍କ ଦମଦାର ୮୫ ରନର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୭୨ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଗୁପଟିଲ୍ ୨୮ ରନ କରିଥିଲେ। ଜବାବରେ ମିଚେଲ ମାର୍ଶଙ୍କ ଅପରାଜିତ ୭୭ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୩ ରନ ବଳରେ ଅଷ୍ଟ୍ରେଲିଆ ୧୮.୫ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଗ୍ଲେନ ମ୍ୟାକ୍ସଓ୍ଵେଲ ୨୮ ରନର ଅପରାଜିତ ଇନିଂସ ଖେଳିଥିଲେ। ନ୍ୟୁଜିଲାଣ୍ଡ ଇନିଂସରେ ଅଷ୍ଟ୍ରେଲିଆ ତରଫରୁ ହେଜେଲଡ ମାତ୍ର ୧୬ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ।

{"id":543885,"sizeSlug":"full","linkDestination":"none"}

୬ ବର୍ଷ ପରେ ଆଇସିସି ଟ୍ରଫି ଜିତିଲା ଅଷ୍ଟ୍ରେଲିଆ

ଦିନିକିଆରେ ଅନେକ ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍‌ ଚାମ୍ପିଅନ ହୋଇଛି। ଖାସ୍ କଥା ପ୍ରାୟ ୬ ବର୍ଷ ପରେ ଅଷ୍ଟ୍ରେଲିଆ ହାତକୁ ଆଇସିସି ଟ୍ରଫି ଆସିଛି। ଶେଷ ଥର ୨୦୧୫ରେ ଦଳ ଦିନିକିଆ ବିଶ୍ଵ କପ୍ ଜିତିଥିଲା। ଏହା ପରେ ୨୦୧୯ ଦିନିକିଆ ବିଶ୍ଵ କପ୍‌ରେ ଅଷ୍ଟ୍ରେଲିଆ ସେମି ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ହେଲେ ୨୦୨୧ ଟି-୨୦ ବିଶ୍ଵ କପ୍‌କୁ ନିଜ ନାମରେ କରିବାରେ ସଫଳ ହୋଇଛି କଙ୍ଗାରୁ ଦଳ।

ପୁଣି ଥରେ ନିରାଶ  ହେଲା କିଓ୍ଵି ଦଳ

ନ୍ୟୁଜିଲାଣ୍ଡକୁ ପୁଣି ଥରେ ନିରାଶ ହେବାକୁ ପଡିଛି। ୨୦୧୫ ଦିନିକିଆ ବିଶ୍ଵ କପ୍ ଫାଇନାଲ୍‌ରେ ମଧ୍ୟ ଅଷ୍ଟ୍ରେଲିଆ ହାତରୁ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲା। ସେହି ସମୟରେ ବ୍ରେଣ୍ଡନ ମ୍ୟାକକୁଲମ ଦଳର ଅଧିନାୟକ ଥିଲେ। ଏବେ ଟି-୨୦ ବିଶ୍ଵ କପ୍‌ରେ ଦଳ ସେହି ସମାନ ପରିଣାମ ଅଷ୍ଟ୍ରେଲିଆ ହାତରୁ ଭୋଗିଛି। ଏଥିସହ ନ୍ୟୁଜିଲାଣ୍ଡ ୬ ବର୍ଷରେ ତୃତୀୟ ଆଇସିସି ଟ୍ରଫ ହରାଇଛି। ୨୦୧୫ ଦିନିକିଆ ବିଶ୍ଵ କପ୍ ପରେ ୨୦୧୯ ବିଶ୍ଵ କପ୍‌ରେ ନ୍ୟୁଜିଲାଣ୍ଡ ଫାଇନାଲ୍‌ରେ ଇଂଲଣ୍ଡଠୁ  ହାରିଥିଲା। ଆଉ ଏବେ ୨୦୨୧ ଟି-୨୦ ବିଶ୍ଵ କପ୍‌ର ପରିଣାମ ସଭିଙ୍କ ସାମ୍ନାରେ।

ଟି-୨୦ ବିଶ୍ଵ କପ୍ ଚାମ୍ପିଅନ

୨୦୦୭- ଭାରତ

୨୦୦୯- ପାକିସ୍ତାନ

୨୦୧୦- ଇଂଲଣ୍ଡ

୨୦୧୨- ଓ୍ଵେଷ୍ଟଇଣ୍ଡିଜ

୨୦୧୪- ଶ୍ରୀଲଙ୍କା

୨୦୧୬- ଓ୍ଵେଷ୍ଟଇଣ୍ଡିଜ

୨୦୨୧- ଅଷ୍ଟ୍ରେଲିଆ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.