ଅଷ୍ଟ୍ରେଲିଆରେ ବସ୍ ଡ୍ରାଇଭର ଭାବେ କାମ କରୁଛନ୍ତି ଶ୍ରୀଲଙ୍କାର ଏହି ବୋଲର, ଏକଦା ସେହ୍ୱାଗଙ୍କୁ ଶତକ କରିବାକୁ ଦେଇନଥିଲେ ...

Published By : Prameya-News7 Bureau | March 01, 2021 IST

ମେଲବର୍ଣ୍ଣ,୦୧/୦୩:  ୨୦୦୧ରେ ଶ୍ରୀଲଙ୍କା ବିଶ୍ୱକପ ଦଳରେ ସାମିଲ ଥିବା ଅଫ୍ ସ୍ପିନର ସୂରଜ ରଣଦୀପ ଅଷ୍ଟ୍ରେଲିଆରେ ବସ୍ ଡ୍ରାଇଭର ଭାବେ କାମ କରୁଛନ୍ତି । ସେ ମେଲବର୍ଣ୍ଣ ସ୍ଥିତ କମ୍ପାନୀ ଟ୍ରାନ୍ସଡେବରେ ବସ୍ ଚଲାଉଛନ୍ତି । ସୂରଜ ରଣଦୀପ ଶ୍ରୀଲଙ୍କା ତରଫରୁ ୧୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାମରେ ୪୩ଟି ଓ୍ୱିକେଟ୍ ମଧ୍ୟ ରହିଛି । ଦିନିକିଆରେ ସେ ୩୧ଟି ମ୍ୟାଚ୍ ଖେଳି ୩୬ ଓ୍ୱିକେଟ୍ ନେଇଛନ୍ତି । ଏପରିକି ୭ଟି ଟି୨୦ରୁ ସେ ୭ଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।

ସେ ୨୦୧୯ରେ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ସେଠାରେ ସେ ବସ୍ ଚଳାଇବା ବ୍ୟତୀତ ଏକ ଲୋକାଲ କ୍ଲବରେ କ୍ରିକେଟ୍ ମଧ୍ୟ ଖେଳୁଥିଲେ । ସେ ନିଜର ଶେଷ ଘରୋଇ ମ୍ୟାଚ୍ ୨୦୧୯ରେ ଖେଳଥିଲେ । ତେବେ ସେ ଶ୍ରୀଲଙ୍କା ଜର୍ସିରେ ଶେଷଥର ପାଇଁ ୨୦୧୬ରେ ପଡିଆକୁ ଓହ୍ଲାଇଥିଲେ । ଭାରତୀୟ ଦଳ ଯେବେ ଅଷ୍ଟ୍ରେଲିଆ ଗସ୍ତରେ ଥିଲା ସୂରଜ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଟିମ୍‌କୁ ଅଭ୍ୟାସ ମଧ୍ୟ କରାଉଥିଲେ ।

ଏକଦା ସୂରଜଙ୍କ ବଲରେ ବିରେନ୍ଦ୍ର ସେହ୍ୱାଗ ଅସୁବିଧାରେ ପଡିଥିଲେ। ଏପରିକି ସେ ଶତକ କରିବାରୁ ବର୍ତ୍ତିଥିଲେ । ୯୯ ରନରେ ବ୍ୟାଟିଂ କରୁଥିବା ସେହ୍ୱାଗଙ୍କୁ ୨୦୧୦ରେ ରଣଦୀପ ଏକ ନୋ ବଲ୍ ପକାଇଥିଲେ । ଏଥିରେ ସେହ୍ୱାଗ ଛକା ମାରିଥିଲେ ବି ତାହାକୁ ଗଣତି କରାଯାଇନଥିଲା । ସେତେବେଳେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ରଣଦୀପଙ୍କୁ ଗୋଟିଏ ମ୍ୟାଚରୁ ସସପେଣ୍ଡ କରିଥିଲା । ଏପରିକି ତିଳକରତ୍ନେ ଦିଲସାନଙ୍କ ଉପରେ ଜରିମାନା ଲାଗିଥିଲା ।

ସୂରଜ ଆଇପିଏଲରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳି ସାରିଛନ୍ତି । ୨୦୧୧ରେ ସେ ସିଏସକେ ପାଇଁ ୮ଟି ମ୍ୟାଚ୍ ଖେଳି ୬ ଓ୍ୱିକେଟ୍ ନେଇଥିଲେ । ଏହି ସିଜିନରେ ସିଏସକେ ଚାମ୍ପିଅନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.