ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | November 29, 2020 IST

ସିଡନୀ ୨୯।୧୧: ସେହି ସମାନ ପଡିଆ ଆଉ ସେହି ସମାନ ଦଳ ଏବଂ ପରିଣାମ ମଧ୍ୟ ସମାନ। 'କର ବା ମର' ମୁକାବିଲାରେ ହାରିଲା ଭାରତ। ପୁଣି ଥରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଘରୋଇ ଅଷ୍ଟ୍ରେଲିଆ ସିଡନୀରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତକୁ ୫୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ କବ୍‌ଜା କରିଛି। ଆଉ ଗୋଟିଏ ମ୍ୟାଚ୍ ବାକି  ଥିବା ବେଳେ ଦଳ ସିରିଜ୍‌ରେ ୨-୦ରେ ଅଗ୍ରଣୀ ହାସଲ କରିଛି।

ପ୍ରଥମ ମ୍ୟାଚ୍ ପରି ଦ୍ଵିତୀୟ ମୁକାବିଲାରେ ମଧ୍ୟ ଭାରତୀୟ ଦଳ ସବୁ ବିଭାଗରେ ନିରାଶଜନକ ପ୍ରଦର୍ଶନ କରି ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ଷ୍ଟିଭ୍‌ ସ୍ମିଥ୍‌ଙ୍କ ୧୦୪ ରନ, ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୮୩, ମାର୍ନସ ଲାବୁସାନେଙ୍କ ୭୦ ରନ ଓ ମାକ୍ସ ଓ୍ଵେଲଙ୍କ ବିସ୍ଫୋରକ ଅପରାଜିତ ୬୩ ରନ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ବିଶାଳ ୩୮୯ ରନ କରିଥିଲା। ଜବାବରେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ୮୯ ରନ ଓ କେଏଲ ରାହୁଲଙ୍କ ୭୬ ରନ ସହାୟତାରେ ୯ ଓ୍ଵିକେଟ୍ ହରାଇ ୩୩୮ ରନ କରିବାକୁ ସକ୍ଷମ ହୋଇଛି।

୩୯୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତର ଦୁଇ ଓପନର ଶିଖର ଧାଓ୍ଵନ ଓ ମୟଙ୍କ ଅଗ୍ରଓ୍ଵାଲ ଦଳକୁ ଭଲ ଆରମ୍ଭ ଦେଇଥିଲେ। ୭.୪ ଓଭରରେ ୫୮ ରନ ଯୋଡିଥିଲେ। ପରେ ପରେ ଦଳକୁ ଦୁଇଟି ଝଟକା ଲାଗିଥିଲା। ଶିଖର ଧାଓ୍ଵନ ୩୦ ରନ କରି ଆଉଟ୍  ହୋଇଥିଲେ। ମୟଙ୍କ ଅଗ୍ରଓ୍ଵାଲ ମଧ୍ୟ ମିଳିଥିବା ସୁଯୋଗ ଫାଇଦା ଉଠାଇପାରିନଥିଲେ। ସେ ୨୮ ରନ କରି ବିଦାୟ ନେଇଥିଲେ।

ଏହା ପରେ ଅଧିନାୟକ ବିରାଟ କୋହଲି ଓ ଶ୍ରେୟସ ଆୟର ଦଳର ଇନିଂସ ସମ୍ଭାଳିଥିଲେ। ଆବଶ୍ୟକ ରନ ହାର ବଜାୟ ରଖି ସ୍କୋରକୁ ୧୫୩ ରନରେ ପହଞ୍ଚାଇଥିଲେ ଏବଂ ଦଳର ବିଜୟ ଆଶା ବଜାୟ ରଖିଥିଲେ। ହେନରିକ୍ସ ଶ୍ରେୟସଙ୍କୁ ଆଉଟ୍ କରି ଭାରତକୁ ବଡ ଝଟକା ଦେବା ସହ ଭାଗିଦାରୀ ଭାଙ୍ଗିଥିଲେ। ଶ୍ରେୟସ ୩୬ ବଲରୁ ୫ ଚୌକା ସହ ୩୮ ରନ କରି ପାଭିଲିୟନ ଫେରିଥିଲେ। ଏହା ପୂର୍ବରୁ ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ପାଇଁ ୯୩ ରନ ଯୋଡିଥିଲେ। ଅନ୍ୟପଟେ ବିରାଟ କୋହଲି ଦିନିକିଆରେ ୫୮ତମ ଅର୍ଦ୍ଧଶତକ ହାସଲ କରିଥିଲେ।

ଏହା ପରେ କୋହଲି ଓ ଲୋକେଶ ରାହୁଲଙ୍କ ମଧ୍ୟରେ ଆଉ ଏକ ସୁନ୍ଦର ଭାଗିଦାରୀ ଦେଖିବାକୁ ମିଳିଥିଲା। ଦୁଇ ବ୍ୟାଟମସ୍ୟାନ ଚତୁର୍ଥ ଓ୍ଵିକେଟ୍‌ରେ ୭୨ ରନ ଯୋଡି ଦଳର ସ୍ଥିତିକୁ ମଜବୁତ କରିଥିଲେ। ହେଲେ ଶତକ ଅଭିମୁଖେ ଗତି କରୁଥିବା ବିରାଟ କୋହଲି ହେଜଲେଉଡଙ୍କ ବୋଲିଂରେ ଆଉଟ୍ ହୋଇଥିଲେ। କୋହଲି ୮୭ ବଲରୁ ୭ ଚୌକା ଓ ୨ ଛକା ସହ ୮୯ ରନକରି ପାଭିଲିୟନ ଫେରିଥିଲେ। ପୁଣି ଲୋକେଶ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ବଢାଇଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍‌ରେ ୬୩ ରନ ଯୋଡିଥିଲେ। ହେଲେ ଏହା ଦଳ ପାଇଁ ପର୍ଯ୍ୟାପ୍ତ  ହୋଇନଥିଲା।

ରାହୁଲ ଦିନିକିଆରେ ସପ୍ତମ ଅର୍ଦ୍ଧଶତକ ହାସଲ କରିବା ସହିତ ୬୬ ବଲରୁ ୪ ଚୌକା ଓ ୫ ଛକା ସହ ୭୬ ରନର ଉଲ୍ଲେଖନୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଏଥିସହ ଭାରତ ବିଜୟଠୁ ବହୁ ପଛରେ ପଡି ଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ୨୪ ରନ କରି ୪୭ ତମ ଓଭରରେ ପାଟ୍ କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ଶେଷରେ ଭାରତ ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୩୩୮ ରନ କରିବାକୁ ସକ୍ଷମ ହୋଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ପାଟ୍ କମିନ୍ସ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲେ। ଜୋସ୍ ହେଜେଲଉଡ ଓ ଆଡମ ଜାମ୍ପା ପ୍ରତ୍ୟେକ ୨ ଓ୍ଵିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆ ଇନିଂସ

ଏହା ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ୨ ଓପନର ଡେଭିଡ୍ ଓ୍ୱାର୍ଣ୍ଣର ଓ ଆରୋନ ଫିଞ୍ଚ୍ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ଫିଞ୍ଚ ୬୯ ବଲରୁ ୬୦ ରନ୍ କରିଥିଲେ । ଓ୍ୱାର୍ଣ୍ଣର ୮୩ ରନ୍ କରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ଦ୍ରୁତ ରନ୍ କରିଥିଲେ । ସେ ଶତକ ଅର୍ଜନ କରିଥିଲେ । ସେ ୬୪ ବଲରୁ ୧୦୪ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ମାକ୍ସଓ୍ୱେଲ ୬୩ ଓ ମାମ୍ୟୁସ୍ ଲାବ୍ୟୁସେନ୍ ୭୦ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ୱିକେଟ୍ ହରାଇ ୩୮୯ ରନ୍ କରିଥିଲା ।

ଭାରତ ପକ୍ଷରୁ ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.