ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷଣା, ଦିନିକିଆ ଟିମ୍‌ରୁ ବାଦ୍ ପଡିଲେ ୭ ଖେଳାଳି

Published By : Prameya-News7 Bureau | December 18, 2019 IST

ମେଲବୋର୍ଣ୍ଣ ୧୮।୧୨: ଆସନ୍ତା ମାସରେ ଦିନିକିଆ ସିରିଜ୍‌ ପାଇଁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ ଟିମ୍ । ଏହି ସିରିଜ୍‌ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଦିନିକିଆ ଦଳ ଘୋଷଣା କରାଯାଇଛି । ଅଷ୍ଟ୍ରେଲିଆ ଟିମ୍ ର ଅଧିନାୟକ ଦାୟିତ୍ବରେ ଏରୋନ ଫ୍ରିଞ୍ଚ ରହିବେ । ସେହିଭଳି ଏଲେକ୍ସ କୈରୀ ଏବଂ ପେଟ୍ କମିନ୍ସ ଉପ-ଅଧିନାୟକ ଦାୟିତ୍ବରେ ରହିବେ ।

ଅଷ୍ଟ୍ରେଲିଆ ଟିମ୍ ୭ଜଣ ଖେଳାଳି ବାଦ୍ ପଡିଛନ୍ତି । ଗତ ମାର୍ଚ୍ଚ ମାସରେ ଭାରତ ଗସ୍ତରେ ଆସିଥିବା ଉସମାନ ଖୱାଜା, ସନ ମାର୍ଶ, ମାର୍କସ ଷ୍ଟଇନିସ ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଦିନିକିଆ ଦଳରୁ ବାଦ ପଡ଼ିଛନ୍ତି । 

ଗତ ଭାରତ ଗସ୍ତ ସମୟରେ ଡେଭିଡ୍‌ ୱାର୍ଣ୍ଣର ଓ ଷ୍ଟିଭେନ ସ୍ମିଥ୍‌ ଅଷ୍ଟ୍ରେଲିଆ ଦଳର ସଦସ୍ୟ ନଥିଲେ । ବଲ୍‌ ଟ୍ୟାମ୍ପରିଂ ମାମଲା ଯୋଗୁଁ ଉଭୟଙ୍କ ଉପରେ ବାସନ୍ଦାଦେଶ ଲାଗୁ କରାଯାଇଥିଲା । ବିଶ୍ବକପ୍‌ ପୂର୍ବରୁ ସେମାନଙ୍କ ବାସନ୍ଦ ଅବଧି ପୂରଣ ହୋଇଥିଲା । ଆଗାମୀ ଭାରତ ଗସ୍ତ ପାଇଁ ଉଭୟଙ୍କୁ ଦଳରେ ସ୍ଥାନ ମିଳିଛି ।

ଟେଷ୍ଟ କ୍ରିକେଟ୍‌ରେ ଆକର୍ଷଣୀୟ ପ୍ରଦର୍ଶନ ପରେ ମାର୍ନସ ଲାବୁସାନଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୁଖ ପେସ୍‌ ବୋଲର ଜୋସ ହାଜେଲଉଡ୍‌, ସିନ ଆବୋଟ୍‌, ବ୍ୟାଟ୍ସମ୍ୟାନ୍‌ ଆଷ୍ଟନ ଟର୍ଣ୍ଣର ଓ ସ୍ପିନର ଆଷ୍ଟନ ଅଗର ଦିନିକିଆ ଦଳକୁ ଫେରିଛନ୍ତି ।

ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର ବିଶ୍ରାମ ନେବାକୁ ଚାହୁଁଥିବାରୁ ଭାରତ ଗସ୍ତରେ ଆସିବେ ନାହିଁ । ତାଙ୍କ ସ୍ଥାନରେ ସହକାରୀ କୋଚ୍‌ ଆଣ୍ଡ୍ର‌୍ୟୁ ମ୍ୟାକ୍‌ଡୋନାଲ୍ଡଙ୍କ ଉପରେ ଦଳର ଦାୟିତ୍ବ ନ୍ୟସ୍ତ ରହିବ । ଗତ ବିଶ୍ବକପ୍‌ ସେମିଫାଇନାଲ୍‌ ପରାଜୟ ପରଠୁ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ କୌଣସି ଦିନିକିଆ ସିରିଜ୍‌ ଖେଳିନାହିଁ ।

ଘୋଷିତ ଦଳ: ଆରୋନ ଫିଞ୍ଚ (ଅଧିନାୟକ), ସିନ ଆବୋଟ, ଆଷ୍ଟନ ଅଗର, ଆଲେକ୍ସ କ୍ୟାରୀ, ପ୍ୟାଟ୍ରିକ୍‌ କମିନ୍ସ, ପିଟର ହ୍ୟାଣ୍ଡ୍‌ସକମ୍ବ, ଜୋସ ହାଜେଲଉଡ୍‌, ମାର୍ନସ ଲାବୁସାନ, କେନ ରିଚାର୍ଡସନ, ଷ୍ଟିଭେନ ସ୍ମିଥ୍‌, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ଣ୍ଣର, ଡେଭିଡ୍‌ ୱାର୍ଣ୍ଣର, ଆଡାମ ଜାମ୍ପା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.