ଟି୨୦ ବିଶ୍ୱକପ : ଅଷ୍ଟ୍ରେଲିଆକୁ ଭେଟିବ ବାଂଲାଦେଶ, ପ୍ରଥମ ବିଜୟ ଆଶାରେ ଟିମ୍ ମହମ୍ମୁଦଲାହ

Published By : Prameya-News7 Bureau | November 04, 2021 IST

ଆବୁଧାବି, ୦୪/୧୧: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୧)ରେ ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ୩ଟି ମ୍ୟାଚ୍‌ ଖେଳି ଅଷ୍ଟ୍ରେଲିଆ ୨ଟି ବିଜୟ ସହ ୪ ପଏଣ୍ଟ ହାସଲ କରିଛି । ଗୁରୁବାର ବାଂଲାଦେଶକୁ ବଢ ବ୍ୟବଧାନରେ ହରାଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ହାସଲ କରିବାକୁ ଦଳ ପ୍ରୟାସ କରିବ । ୬ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟ ପଟରେ ୪ଟି ମ୍ୟାଚ୍‌ ଖେଳି ପଏଣ୍ଟ ଖାତା ଖୋଲିପାରି ନଥିବା ବାଂଲାଦେଶ ବିପର୍ଯ୍ୟୟ ଘଟାଇବା ସହ ସମ୍ମାନର ସହ ସ୍ୱଦେଶ ଫେରିବାକୁ ପ୍ରୟାସ କରିବ ।

ଇଂଲଣ୍ଡ ଠାରୁ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ମନୋବଳ ହରାଇଛି । ତଥାପି ବାଂଲାଦେଶକୁ ହରାଇବା ପାଇଁ ସେମାନଙ୍କୁ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ବାଂଲା ଦଳର ଷ୍ଟାର୍‌ ଖେଳାଳି ସାକିବ ଅଲ୍‌-ହାସନ ଆହତ ହୋଇ ବାଦ ପଡ଼ିସାରିଛନ୍ତି । ତାଙ୍କ ଅନୁପସ୍ଥିତିରେ ଦଳ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶ ମାତ୍ର ୮୪ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା ।

ତାରକା ଖଚିତ ଅଷ୍ଟ୍ରେଲିଆର ବୋଲିଂ ବିଭାଗ ପୂର୍ବଭଳି ଶକ୍ତିଶାଳୀ ରହିଛି । ବ୍ୟାଟ୍ସମ୍ୟାନମାନେ ଫର୍ମରେ ନଥିବାରୁ ପ୍ରଦର୍ଶନରେ ଅବନତି ଦେଖିବାକୁ ମିଳିଛି । ଆଜିର ମ୍ୟାଚ୍‌ରେ ଡେଭିଡ ୱାର୍ଣ୍ଣର ଓ ଆରୋନ ଫିଞ୍ଚଙ୍କୁ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାକୁ ପଡ଼ିବ । ଦୁଇ ଓପନର ସଫଳ ହେଲେ ଅଷ୍ଟ୍ରେଲିଆର ବିଜୟ ମହଜ ହେବ । ଗ୍ଲେନ ମ୍ୟାକ୍ସୱେଲଙ୍କ ଉପରେ ନଜର ରହିବ । ଗତ ଆଇପିଏଲ୍‌ର ସଫଳତାକୁ ସେ ଦୋହରାଇବାକୁ ଚେଷ୍ଟା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.