ଦୁବାଇ ୧୪।୧୦: ୨୦୧୫ ମାର୍ଚ୍ଚ ୨୯…ଏ ହେଉଛି ସେହି ତାରିଖ, ଯେଉଁଦିନ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦିନିକିଆ ବିଶ୍ଵ କପ୍ ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ। ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ହରାଇ ଟାଇଟଲ୍ ଜିତିଥିଲା। ଏହା ପରେ ଅଷ୍ଟ୍ରେଲିଆ ଦଳ କୌଣସି ଟାଇଟଲ୍ ଜିତି ପାରିନାହିଁ। ନ୍ୟୁଜିଲାଣ୍ଡ କ୍ରମାଗତ ୨୦୧୯ରେ ଦ୍ଵିତୀୟ ଥର ଦିନିକିଆ ବିଶ୍ଵ କପ୍ ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଦଳ ନହାରି ମଧ୍ୟ ବାଉଣ୍ଡରୀ ଗଣତି ଆଧାରରେ ଇଂଲଣ୍ଡକୁ ଚାମ୍ପିଅନ ଘୋଷଣା କରାଯାଇଥିଲା। ଏବେ କିଓ୍ଵି ଦଳ ଟି-୨୦ ବିଶ୍ଵ କପ୍ ୨୦୨୧ର ସେମି ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ବିଶ୍ଵ କପ୍ ଫାଇନାଲର ପ୍ରତିଶୋଧ ନେଇ ସାରିଛି। ଏବେ ପାଳି ଅଷ୍ଟ୍ରେଲିଆ ସହ ହିସାବ ବରାବର କରିବା। ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଫାଇନାଲରେ ପହଞ୍ଚିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ୫ ଥର ଦିନିକିଆ ବିଶ୍ଵ କପ୍ ଜିତିଥିଲେ ମଧ୍ୟ ଟି-୨୦ ବିଶ୍ଵ କପ୍ ଜିତି ପାରିନାହିଁ। ଦୁଇ ଦଳ ଆଜି ଟାଇଟଲ୍ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ।
ନ୍ୟୁଜିଲାଣ୍ଡ ଗତ କିଛି ବର୍ଷରୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ଆସୁଛି। ୨୦୧୫ ଦିନିକିଆ ବିଶ୍ଵ କପ୍ ଫାଇନାଲ୍, ୨୦୧୯ ଦିନିକିଆ ବିଶ୍ଵ କପ୍ ଫାଇନାଲ୍, ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଟାଇଟଲ୍ ଜିତିବା କିଓ୍ଵି ଦଳର ସବୁଠୁ ବଡ ଉପଲବ୍ଧି। ଟି-୨୦ରେ ଦୁଇ ଦଳର ରେକର୍ଡ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆର ଦବଦବା ରହିଛି। ନ୍ୟୁଜିଲାଣ୍ଡ ୨୦୧୬ ବିଶ୍ଵ କପରେ ଅଷ୍ଟ୍ରେଲିଆକୁ ଥରୁଟିଏ ହରାଇବାରେ ସଫଳ ହୋଇଥିଲା।
ନକଆଉଟ୍ରେ ଦମ ଦେଖାଇଛନ୍ତି ବ୍ୟାଟସମ୍ୟାନ
ଗ୍ରୁପ ପର୍ଯ୍ୟାୟରେ କେନ ଓ୍ଵିଲିୟମସନଙ୍କ ନେତୃତ୍ଵାଧୀନ ନ୍ୟୁଜିଲାଣ୍ଡ ଦଳ ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ। ହେଲେ ସେମି ଫାଇନାଲରେ କିଓ୍ଵି ଦଳ ଟାଇଟଲ୍ ଦାବିଦାର ଇଂଲଣ୍ଡ ଦଳ ବିପକ୍ଷରେ ଦମଦାର ବ୍ୟାଟିଂ କରିଥିଲା। ପୁଣି ମାର୍ଟିନ ଗୁପଟିଲ୍ଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ ରେକର୍ଡ ଭଲ ରହିଛି। ତାଙ୍କ ଓପନିଂ ଯୋଡି ଡେରିଲ ମିଚେଲ ମଧ୍ୟ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଖେଳିବା ପରେ ଆଜି ଫାଇନାଲ୍ ମ୍ୟାଚ୍ ଖେଳିବେ। ମଧ୍ୟକ୍ରମରେ ଜିମ୍ମି ନିଶାନ ଇନିଂସ ସମ୍ଭାଳୁଛନ୍ତି। ହେଲେ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଡେଭନ କନଓ୍ଵେ ଆହତ ହେବା କିଓ୍ଵି ଦଳକୁ ଝଟକା ଲାଗିଛି। ତାଙ୍କ ସ୍ଥାନରେ ଟିମ୍ ସେଇଫର୍ଟ ଖେଳିବେ। ଟିମ୍ ସାଉଦି ଓ ଟ୍ରେଣ୍ଟ ବୋଲ୍ଟଙ୍କ ପରି ଅନୁଭବ ଦ୍ରୁତ ବୋଲର ଏବଂ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟସମ୍ୟାନ ଆରୋନ ଫିଞ୍ଚ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିପାରେ।
ଓ୍ଵାର୍ଣ୍ଣର ଓ ମ୍ୟାକ୍ସଓ୍ଵେଲଙ୍କ ଉପରେ ନଜର
ଫିଞ୍ଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ରେ ସବୁଠୁ ଅଧିକ ରନ କରିଛନ୍ତି। ଗତ ୨ଟି ଇନିଂସରେ ଡେଭିଡ୍ ଓ୍ଵାର୍ଣ୍ଣର ଭଲ ଫର୍ମରେ ନଜର ଆସିଛନ୍ତି। ଓ୍ଵାର୍ଣ୍ଣରଙ୍କ ସହିତ ଗ୍ଲେନ ମ୍ୟାକ୍ସଓ୍ଵେଲ ମଧ୍ୟ କିଓ୍ଵି ବୋଲରଙ୍କ ପାଇଁ ଚିନ୍ତାର କାରଣ ପାଲଟି ପାରନ୍ତି। ନ୍ୟୁଜିଲାଣ୍ଡ ବୋଲର କଦାପି ମାର୍କସ ଷ୍ଟୋଇନିସ୍ ଓ ମାଥ୍ୟୁ ଓ୍ଵାଦେଙ୍କୁ ହାଲୁକାରେ ନେବାର ଭୁଲ୍ କରିବ ନାହିଁ।
ଓ୍ଵାଦେ ସେମି ଫାଇନାଲ୍ ମୁକାବିଲାରେ କ୍ରମାଗତ ୩ ଛକା ମାରି ପାକିସ୍ତାନ ହାତରୁ ବିଜୟ ଛଡାଇ ନେଇଥିଲେ। ଅଷ୍ଟ୍ରେଲିଆ ବୋଲିଂ ବିଭାଗରେ ଲେଗ୍ ସ୍ପିନର ଆଡମ ଜାମ୍ପା ଟୂର୍ଣ୍ଣାମେଣ୍ଟରେ ୧୦.୯୧ ହାରରେ ୧୨ ଓ୍ଵିକେଟ୍ ନେଇଛନ୍ତି। ସେ ମଧ୍ୟକ୍ରମରେ ମଧ୍ୟ ଦମଦାର ବୋଲିଂ କରିଛନ୍ତି। ମ୍ୟାକ୍ସଓ୍ଵେଲ ମଧ୍ୟ ବୋଲିଂରେ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି। ମିଚେଲ୍ ଷ୍ଟାର୍କ, ପାଟ୍ କମିନ୍ସ ଓ ଜୋସ୍ ହେଜେଲଉଡଙ୍କ ତ୍ରିମୂର୍ତ୍ତି ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବେ।