ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ୩୬ ମିନିଟ୍‌ର ଅଡିଓ କ୍ଲିପ୍ ଭାଇରାଲ‌…

Published By : Prameya-News7 Bureau | August 31, 2020 IST

ମୁମ୍ବାଇ ୩୧।୦୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟର ପର୍ଦ୍ଦାଫାସ ହେବାରେ ଲାଗିଛି। ଇତିମଧ୍ୟରେ ତାଙ୍କର ଏକ ଅଡିଓ କ୍ଲିପ୍‌ ସାମ୍ନାକୁ ଆସିଛି, ଯାହା ତାଙ୍କ ମୃତ୍ୟୁର ୫ ମାସ ପୂର୍ବର ଅର୍ଥାତ୍‌ ଜାନୁଆରୀର ବୋଲି ଜଣାପଡ଼ିଛି।

ଏହି ଅଡିଓ କ୍ଲିପ୍‌ରେ ସୁଶାନ୍ତଙ୍କ ସମେତ ରିୟା, ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଏବଂ କିଛି ଆର୍ଥିକ ଉପଦେଷ୍ଟାଙ୍କ ସ୍ୱର ଶୁଣିବାକୁ ମିଳୁଛି । ଏଥିରେ ସୁଶାନ୍ତ ବଲିଉଡ୍‌ ଛାଡ଼ିବା କଥା କହୁଛନ୍ତି ଏବଂ ଭବିଷ୍ୟତର ଯୋଜନା ବାବଦରେ ବତାଉଛନ୍ତି। ଏମିତି କି ଖର୍ଚ୍ଚ କମାଇବା ନେଇ ସେ ସମସ୍ତଙ୍କ ସହ କଥା ହେଉଥିବା ଶୁଣିବାକୁ ମିଳିଛି। ଏଥିରୁ ଜଣାପଡୁଛି ଯେ ସୁଶାନ୍ତଙ୍କ ଟଙ୍କା ଉପରେ ପୂରା କଣ୍ଟ୍ରୋଲ ରିୟାଙ୍କର ଥିଲା । ରିୟା ପ୍ରଚୁର ଅର୍ଥ ଉଡ଼ାଉଥିବାରୁ ସୁଶାନ୍ତ ଏଭଳି କହିଥିବା ଚର୍ଚ୍ଚା ହେଉଛି।

ଆଉ ଏକ ରିପୋର୍ଟ ମୁତାବକ ଏହି ଅଡିଓ କ୍ଲିପ୍‌ ୩୬ ମିନିଟ୍‌ର । ଏଥିରେ ରିୟା ସୁଶାନ୍ତଙ୍କୁ କହୁଛନ୍ତି ଯେ ଟଙ୍କାର ସ୍ଥାୟୀ ଜମା ହେବା ଆବଶ୍ୟକ। ସ୍ଥାୟୀ ଜମା ପାଇଁ ମୁଁ ସୁଶାନ୍ତଙ୍କୁ ପରାମର୍ଶ ଦେବାକୁ ଚାହିଁବି । ତାଙ୍କ ଆକାଉଣ୍ଟରେ ୧୦-୧୫ ଲକ୍ଷରୁ ଅଧିକ ଟଙ୍କା ରହିବା ଉଚିତ ନୁହେଁ । ଆଉ ଏକ କଥା ହେଉଛି ସ୍ଥାୟୀ ଜମା ଦ୍ୱାରା ତାଙ୍କୁ ସୁଧ ମିଳିଚାଲିବ । ତାଙ୍କ ଜମା ସୁରକ୍ଷିତ ବି ରହିବ। ତାଙ୍କ ଦସ୍ତଖତ ବିନା ଅନ୍ୟ କେହି ତାଙ୍କ ସ୍ଥାୟୀ ଜମାରେ ହାତ ମାରିପାରିବେ ନାହିଁ।

ଏହି ଅଡିଓ କ୍ଲିପ୍‌ରେ ଜାଣିବାକୁ ମିଳିଛି ଯେ ସୁଶାନ୍ତ ମୁମ୍ବାଇ ଛାଡ଼ିବାକୁ ଚାହୁଁଥିଲେ ଏବଂ ରିୟା ତାଙ୍କୁ ଗାଁକୁ ଫେରିଯିବାକୁ ପରାମର୍ଶ ଦେଉଛନ୍ତି । ରିୟା ପୁଣି କହୁଛନ୍ତି, ଆମେ ମାସେ ଦୁଇମାସ ପାଇଁ ଗୋଆ ଯିବା ଏବଂ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା । ଏହାପରେ ସୁଶାନ୍ତ ନିଜ ଅବସର ଯୋଜନା ବାବଦରେ କହୁଛନ୍ତି ଏବଂ ଏହା କିଭଳି ହେବ, ସେ ନେଇ ସମସ୍ତଙ୍କୁ ପଚାରୁଛନ୍ତି । ଏହା ଉପରେ ରିୟା କହୁଛନ୍ତି, ସର୍ବପ୍ରଥମେ ସେହି ଟଙ୍କା କଥା ଚିନ୍ତା କରିବାକୁ ହେବ, ଯାହା ସୁଶାନ୍ତଙ୍କ ପାଖରେ ରହିଛି । ସେଥିରୁ ରିଟର୍ଣ୍ଣ କେତେ ମିଳିବ, ତାହା ଉପରେ ବିଚାର କରିବାକୁ ହେବ।

ଉକ୍ତ ଅଡିଓ କ୍ଲିପ୍‌ରେ ସୁଶାନ୍ତ ପ୍ରାକୃତିକ ଏବଂ ସବୁଜିମା ଭରା ସ୍ଥାନରେ ରହିବା କଥା କହୁଛନ୍ତି, ଯେଉଁଠାରେ ତାଙ୍କୁ ଶାନ୍ତି ମିଳିବ । ଏହା ଉପରେ ରିୟା ତାଙ୍କୁ ମହାରାଷ୍ଟ୍ରର ପାୱନା ସ୍ଥାନ ନେଇ ପରାମର୍ଶ ଦେଉଛନ୍ତ । ଏ ନେଇ ରିୟା କହୁଛନ୍ତି, ‘ଆମେ ଦିନେ ଦୁଇଦିନ ମଧ୍ୟରେ ପାୱନା ଯିବା ଏବଂ ସେଠାରେ କେମିତି ଲାଗୁଛି ଦେଖିବା। ମୁଁ ଅଧିକାଂଶ ସମୟ ତାଙ୍କ (ସୁଶାନ୍ତ) ସାଙ୍ଗରେ ରହିବାକୁ ଚାହୁଁଛି ।’

ଏହାପରେ ରିୟା ସୁଶାନ୍ତଙ୍କୁ କୌଣସି ବିଜ୍ଞାପନ ପାଇଁ ସାଇନ୍‌ କରାଇଥିବା ବାବଦରେ ପ୍ରଶ୍ନ କରୁଛନ୍ତି । ଏହା ଉପରେ ଅନ୍ୟଜଣେ ମହିଳା (ସମ୍ଭବତଃ ଶ୍ରୁତି ମୋଦି)ଙ୍କ ସ୍ୱର ଶୁଣିବାକୁ ମିଳୁଛି । ସେ କହୁଛନ୍ତି, ହଁ, ଆମେ ଟାଇଟନ ଓ ସୋନି ଲେକ୍ସସ୍‌ ଭଳି କିଛି ବ୍ରାଣ୍ଡ୍‌ ସହ ସାଇନ୍‌ କରି ଅର୍ଥ ହାସଲ କରିଛୁ । ସୁଶାନ୍ତ ଏ ନେଇ ଚୁପ୍‌ ରହିବା ପରେ ରିୟା କହୁଛନ୍ତି, ଏବେ ଯେତେ ବିଜ୍ଞାପନ ପାଇଁ ସାଇନ୍‌ ହୋଇଛି, ତାହା ସୁଶାନ୍ତ ଶେଷ କରାଇନେବା ଆବଶ୍ୟକ । ପରେ ଅନ୍ତିମ ନିଷ୍ପତ୍ତି ତାଙ୍କୁ ହିଁ ନେବାକୁ ହେବ ।

ଅନ୍ୟପକ୍ଷରେ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦଶମ ଦିନରେ ପହଞ୍ଚିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ୮ଘଣ୍ଟା ଧରି ଜେରା କରିଛି । ଶନିବାର ୭ ଘଣ୍ଟା ମଧ୍ୟରେ ତାଙ୍କୁ ୨୦ରୁ ଅଧିକ ପ୍ରଶ୍ନ କରିଥିଲା । ଏହାର ପୂର୍ବଦିନ ରିୟାଙ୍କୁ ୧୦ ଘଣ୍ଟା ଜେରା କରିଥିଲା ସିବିଆଇ । ରିୟାଙ୍କ ପୂର୍ବରୁ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର ସାମୁଏଲ୍‌ ମିରାଣ୍ଡା, ଫ୍ଲାଟ୍‌ମେଟ୍‌ ସିଦ୍ଧାର୍ଥ ପିଠାନି, ରୋଷେୟା ନିରଜ ସିଂହ ପ୍ରମୁଖଙ୍କୁ ଜେରା କରିସାରିଛି ।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବାକୁ ଯାଉଛି। ଏହି ମାମଲାରେ ତଦନ୍ତ ଏଜେନ୍ସି ସୁଶାନ୍ତଙ୍କ ପିତା, ଭଉଣୀ ଓ ଭିଣୋଇଙ୍କୁ ଜେରା ପାଇଁ ଡକାଇବ। ତେବେ ଇତିମଧ୍ୟରେ ସିବିଆଇ ସୁଶାନ୍ତଙ୍କ ବଡ଼ ଭଉଣୀ ମିତୁ ସିଂହଙ୍କୁ ସମନ୍‌ ଜାରି କରିଛି ଏବଂ ସୋମବାର ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଛି । ମିତୁ ସିଂହ ଜୁନ୍‌ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଘରେ ଉପସ୍ଥିତ ଥିଲେ।

ରିୟା ନିଜର ଏକ ସାକ୍ଷାତକାରରେ ପରିବାର ଲୋକଙ୍କ ସହିତ ସୁଶାନ୍ତଙ୍କର ଭଲ ସମ୍ପର୍କ ନ ଥିବା ଦାବି କରିଥିଲେ। ଏହାବ୍ୟତୀତ ଜୁନ୍‌ ୧୨ ପର୍ଯ୍ୟନ୍ତ ମିତୁଙ୍କ ସହିତ ସେ ନିଜେ ଉପସ୍ଥିତ ଥିବା କହିଥିଲେ । ତେଣୁ ଏହାର ସତ୍ୟତା ଜାଣିବା ପାଇଁ ସିବିଆଇ ମିତୁଙ୍କୁ ସମନ ଜାରି କରିଛି। ମିତୁଙ୍କ ବ୍ୟତୀତ ତାଙ୍କ ପରିବାରର ଅନ୍ୟମାନଙ୍କୁ ବି ସମନ୍‌ ଜାରି କରାଯିବ ବୋଲି ଜଣାପଡ଼ିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.