ଆଇପିଏଲର ୨ ନୂତନ ଟିମ୍ ପାଇଁ ଅକ୍ଟୋବରରେ ନିଲାମୀ, ଜାନୁଆରୀରେ ହୋଇପାରେ ଖେଳାଳିଙ୍କ ମେଗା ଅକ୍ସନ

Published By : Prameya-News7 Bureau | September 14, 2021 IST

ନୂଆଦିଲ୍ଲୀ ୧୪।୦୯: ଆଇପିଏଲର ଦୁଇଟି ନୂତନ ଦଳର ନିଲାମୀକୁ ନେଇ ପ୍ରସ୍ତୁତି ସାରିଛି ବିସିସିଆଇ। ଅକ୍ଟୋବର ୧୭ରେ ହୋଇପାରେ ନିଲାମ। ୨୦୨୨ରୁ ଆଇପିଏଲରେ ୮ ପରିବର୍ତ୍ତେ ୧୦ଟି ଦଳ ଅଂଶଗ୍ରହଣ କରିବେ।  ଏଥିପାଇଁ ଜାନୁଆରୀରେ ଖେଳାଳିଙ୍କ ମେଗା ନିଲାମ ହେବାକୁ ଯାଉଛି। ବୋର୍ଡ ଦୁଇଟି ଦଳର ନିଲାମୀରୁ ୫୦୦୦ରୁ ୬୦୦୦ କୋଟି ଟଙ୍କାର ଆୟ କରିପାରେ। ଦଳ ସଂଖ୍ୟା ବଢିଲେ ମ୍ୟାଚ୍ ସଂଖ୍ୟା ମଧ୍ୟ ବଢିବ। ତେଣୁ ପ୍ରସାରଣରୁ ହେଉଥିବା ଆୟରେ ବଡ ବୃଦ୍ଧି ଘଟିବ ବୋଲି ବୋର୍ଡ ଆଶା ରଖିଛି।

କ୍ରିକବଜ୍‌ର ଖବର ଅନୁଯାୟୀ, ବିସିସିଆଇ ଦୁଇଟି ଦଳର ନିଲାମ ପ୍ରକ୍ରିୟାର ପ୍ରମୁଖ ତାରିଖ ଜଣାଇଛି। ଅକ୍ଟୋବର ୫ ସୁଦ୍ଧା ଟେଣ୍ଡର ଡକ୍ୟୁମେଣ୍ଟ କିଣି ପାରିବେ ଆଶାୟୀ ବ୍ୟକ୍ତି କିମ୍ବା ସଂସ୍ଥା। ଅକ୍ଟୋବର ୧୭ରେ ଦୁଇଟି ଦଳର ନିଲାମ ହୋଇପାରେ। ଏହା ମଧ୍ୟ କୁହାଯାଉଛି ଖେଳାଳିଙ୍କ ଇ ଅକ୍ସନ  ହେବ ନାହିଁ। ପୁରୁଣା ନିୟମ ଅନୁସାରେ, ବୋଲି ପ୍ରକ୍ରିୟା ଆପଣାଯିବ। ପ୍ରତି ଦଳ ଦୁଇ ଜଣ ଖେଳାଳିଙ୍କୁ ରିଟେନ୍ କରି ପାରିବେ। ଆଉ ଦୁଇ ଜଣଙ୍କୁ ରାଇଟ୍ ଟୁ ମ୍ୟାଚ୍‌ରେ ସାମିଲ୍ କରି ପାରିବେ।

ଦଳ ସଂଖ୍ୟା ବଢିଲେ ପ୍ରତିଟି ଟିମ୍‌କୁ ୧୪ କିମ୍ବା ୧୮ ଲିଗ୍ ମ୍ୟାଚ୍ ଖେଳିବାକୁ ପଡିପାରେ। ପ୍ରତି ଫ୍ରାଞ୍ଚାଇଜି ଘରୋଇ ଗ୍ରାଉଣ୍ଡରେ ୭ ଏବଂ ଅନ୍ୟ ଗ୍ରାଉଣ୍ଡରେ ୭ ମ୍ୟାଚ୍ ଖେଳିବେ। ବର୍ତ୍ତମାନ ମଧ୍ୟ ପ୍ରତିଟି ଦଳ ଏହି ନିୟମ ଆଧାରରେ ମ୍ୟାଚ୍ ଖେଳୁଛନ୍ତି। ଯଦି ପ୍ରତି ଦଳକୁ ୧୮ ମ୍ୟାଚ୍ ଖେଳିବାକୁ ପଡେ ତେବେ ଟୁର୍ଣ୍ଣାମେଣ୍ଟର ଅବଧି ବଢିଯିବ। ଏମିତିରେ ଅନ୍ତର୍ଜାତୀୟ ମ୍ୟାଚ୍ ଉପରେ ଏହାର  ପ୍ରଭାବ ପଡିବ। ଲିଗ୍ ମ୍ୟାଚ୍‌ର ସଂଖ୍ୟା ୭୪ କିମ୍ବା ୯୪ ହୋଇପାରେ ଏବଂ ଦଳଗୁଡିକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇପାରେ।

ସୂଚନା ଅନୁଯାୟୀ ଆରପିଏସଜି ଗ୍ରୁପର ସଞ୍ଜୀବ ଗୋଏନିକା ଲକ୍ଷ୍ନୌ ଦଳ କିଣିବା ଦୌଡରେ ଅଛନ୍ତି। ସେ ପୂର୍ବେ ପୁଣେ ଫ୍ରାଞ୍ଚାଇଜିର ମାଲିକ ରହି ସାରିଛନ୍ତି। ଦୁଇଟି ନୂତନ ଦଳ କଥା ଯଦି କୁହାଯାଏ ସେଥିରେ ଅହମ୍ମଦାବାଦ, ଲକ୍ଷ୍ନୌ, ଇନ୍ଦୋର, କଟକ, ଗୌହ୍ଵାଟୀ ଓ ଧର୍ମଶାଳା ଦୌଡରେ ଅଛନ୍ତି। ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ସବୁଠୁ ଆଗରେ ଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.