ଆଉ ଜଣେ ବୟଫ୍ରେଣ୍ଡ ଗିରଫ- ରାଜଧାନୀରେ ଯୁବତୀଙ୍କୁ ଗୁଳି ମାଡ଼ ଘଟଣା
13/02/2020 at 7:05 PM

ଭୁବନେଶ୍ୱର ୧୩।୦୨ – ଭୁବନେଶ୍ବର ଇମ୍ଫୋସିଟି ଥାନା ଅଂଚଳରେ ଫ୍ୟାସନ ଟେକ୍ନୋଲୋଜି ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ଆହତ ଛାତ୍ରୀ ସୋନାଲିଙ୍କ ଆଉ ଜଣେ ବୟଫ୍ରେଣ୍ଡ ପ୍ରଦୀପ ଅଗସ୍ତି ଓରଫ ଟୁକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ବାଲେଶ୍ବର ଅଂଚଳର ଏହି ବିବାହିତ ଯୁବକଙ୍କ ସହ ସୋନାଲିଙ୍କ ନିବିଡ଼ ସମ୍ପର୍କ ରହିଛି । ଏମିତିକି ସୋନାଲିଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ ପ୍ରଦୀପ ହିଁ ବହନ କରୁଥିବା ଜଣାପଡ଼ିଛି ।

ଏମିତିରେ ପ୍ରଦୀପ ହିଁ ପୂରା ଘଟଣାର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ କରିଛନ୍ତି ଗୁଳିମାଡ଼ର ଶିକାର ଛାତ୍ରୀଙ୍କ ବାପା ।ସେପଟେ ଦୀର୍ଘ ସମୟର କସରତ ପରେ ବି ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକର ଏପର୍ଯ୍ୟନ୍ତ ଟେର୍ ପାଉନି ପୋଲିସ ।

ଭୁବନେଶ୍ବରରେ ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡଙ୍କ ବନ୍ଧୁକ ଖେଳର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଛି । ଏହି ଘଟଣାରେ ପ୍ରଥମେ ଗୁଳିମାଡ଼ର ଶିକାର ଛାତ୍ରୀ ସୋନାଲିଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ଆଶିଷ ନାୟକକୁ ଉଠାଇଥିବା ବେଳେ ଏବେ ଆଉ ଜଣେ ବୟଫ୍ରେଣ୍ଡ ପ୍ରଦୀପ ଅଗସ୍ତି ଓରଫ୍ ଟୁକକୁ ଗିରଫ କରିଛି ।

ଆହତ ଛାତ୍ରୀଙ୍କ ଘର ବାଲେଶ୍ବର ଅଂଚଳର ପ୍ରଦୀପ ବିବାହିତ ଏବଂ ତାଙ୍କର ଗୋଟିଏ ୨ବର୍ଷର ଝିଅ ଥିବା ଜଣାପଡ଼ିଛି । ଏହାପରେ ମଧ୍ୟ ପ୍ରଦୀପଙ୍କ ସହ ଆହତ ଛାତ୍ରୀଙ୍କ ନିବିଡ଼ ସମ୍ପର୍କର ପ୍ରମାଣ ଲାଗିଛି ପୋଲିସ ହାତରେ । ଘଟଣା ପୂର୍ବ ରାତିରେ ସୋନାଲିଙ୍କ ସହ ପ୍ରଦୀପ ଥିଲେ । ସେଦିନ ରାତିରେ ଦୁହେଁ ମିଶି ପ୍ରସ୍ତୁତ କରିଥିବା ଟିକଟକ୍ ଭିଡିଓ ସାମ୍ନାକୁ ଆସିଛି । ଘଟଣାଦିନ ପ୍ରଦୀପ ଓ ଆଶିଷ ଉଭୟ ସୋନାଲିଙ୍କ ରୁମ୍ରେ ଉପସ୍ଥିତ ଥିଲେ । ତେବେ ପ୍ରଦୀପ ଓରଫ ଟୁକ ହିଁ ପୂରା ଘଟଣାର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ କରିଛନ୍ତି ଗୁଳିମାଡ଼ର ଶିକାର ଛାତ୍ରୀଙ୍କ ବାପା ।

ସେପଟେ ସୋନାଲିଙ୍କ ପ୍ରଥମ ବୟ ଫ୍ରେଣ୍ଡ ପ୍ରଦୀପ ଅଗସ୍ତିକୁ ଗିରଫ କରିଥିଲେ ମଧ୍ୟ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକର ଟେର୍ ପାଇନି କମିଶନରେଟ ପୋଲିସ । ଆଶିଷ ତା’ର ସାଙ୍ଗ ରାକେଶକୁ ବନ୍ଧୁକ ଫିଙ୍ଗିଦେବାକୁ କହିଥିବା ବେଳେ ପୋଲିସ ରାକେଶକୁ ଦେଇ ବହୁ ଖୋଜାଖୋଜି ପରେ ବି ବନ୍ଧୁକ ପାଇନଥିଲା ।

ଏବେ ରାକେଶ ପୋଲିସକୁ ବିଭିନ୍ନ କଥା କହି ଭୁଆଁ ବୁଲାଉଛି । ରାକେଶ୍ କଥାରେ ପୋଲିସ ନୟାଗଡ଼ ଠାରୁ ଆରମ୍ଭ କରି ଆଠଗଡ଼ ପର୍ଯ୍ୟନ୍ତ କସରତ ଚଳାଇଥିଲେ ମଧ୍ୟ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକର ଟେର୍ ପାଉନି ।

ଏ ନେଇ କମିଶନରେଟ୍ ପୋଲିସ ଠାରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଘଟଣା ଘଟିବାର ଘଣ୍ଟାଏ ଭିତରେ ବନ୍ଧୁକ କୁଆଡ଼େ ଗଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
