ପୂର୍ବତନ CJIଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ ଆବେଦନ ଖାରଜ କଲେ ଆଟର୍ଣ୍ଣିଂ ଜେନେରାଲ୍

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ ୨୭/୦୨ : ସୁପ୍ରିମକୋର୍ଟଙ୍କ ନ୍ୟାୟ ବ୍ୟବସ୍ଥାକୁ ନେଇ ବିବାଦୀୟ ବୟାନ ଦେଇଥିବା ପୂର୍ବତନ ଚିଫ୍‌ ଜଷ୍ଟିସ୍‌ ଅଫ୍‌ ଇଣ୍ଡିଆ ତଥା ରାଜ୍ୟସଭା ସଦସ୍ୟ ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ମାମଲା ଚାଲୁ କରିବା ପାଇଁ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି । ସାମାଜିକ କର୍ମୀ ସାକେତ୍‌ ଗୋଖଲେ, ପୂର୍ବତନ ମୁଖ୍ୟ ନ୍ୟାୟାଧିପତିଙ୍କ ବୟାନକୁ ନେଇ ମାମଲା ଚାଲୁ କରିବା ପାଇଁ ଆବେଦନ କରିଥିଲେ । ତେବେ ଏହା ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି ।

ସୂଚନାଯୋଗ୍ୟ, ଏକ କାର୍ଯ୍ୟକ୍ରମରେ ପୂର୍ବତନ ଚିଫ୍‌ ଜଷ୍ଟିସ୍‌ ଅଫ୍‌ ଇଣ୍ଡିଆ ତଥା ରାଜ୍ୟସଭା ସଦସ୍ୟ ରଞ୍ଜନ ଗୋଗୋଇ କହିଥିଲେ ଯେ, ‘ଦେଶରେ ନ୍ୟାୟପାଳିକା ଅବସ୍ଥା ଜଟିଳ ହୋଇଯାଇଛି ଏବଂ କୌଣସି ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ନ୍ୟାୟ ମିଳିପାରୁ ନାହିଁ । ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥା ତିଆରିକରିବାକୁ ଚାହୁଁଥିବା ଦେଶରେ ନ୍ୟାୟପାଳିକା ଅବସ୍ଥା ଶୋଚନୀୟ’। ଏପରି ବୟାନ ପରେ ରାଜ୍ୟସଭା ସାଂସଦ ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଆବେଦନ ହୋଇଥିଲା ଯାହାକୁକି ଖାରଜ କରିଦେଇଛନ୍ତି ଆଟର୍ଣ୍ଣିଂ ଜେନେରାଲ୍‌ କେ.କେ. ବେଣୁଗୋପାଳ ।

ପୂର୍ବତନ CJI ତଥା ବର୍ତ୍ତମାନାର ରାଜ୍ୟସଭା ସାଂସଦଙ୍କ ଏଭଳି ବୟାନ ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ମାମଲା ରୁଜୁ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ପୂର୍ବରୁ ଆଟର୍ଣ୍ଣିଂ ଜେନେରାଲ୍‌ କେ.କେ. ବେଣୁଗୋପାଳ ଆବେଦନକାରୀଙ୍କୁ ପତ୍ର ମାଧ୍ୟମରେ କହିଥିଲେ ଯେ, ପୂର୍ବତନ ପ୍ରଧାନ ବିଚାରପତି ଯାହା କହିଛନ୍ତି ତାହା ନ୍ୟାୟ ବ୍ୟବସ୍ଥାର ଭଲ ପାଇଁ କହିଛନ୍ତି । ଅଦାଲତ ଏବଂ ତଳ ଅଦାଲତକୁ ନେଇ ବ୍ୟକ୍ତିଗତଭାବେ କୌଣସି ଟିପ୍ପଣି ଦେଇଛନ୍ତି ।

ଆଟର୍ଣ୍ଣିଂ ଜେନେରାଲ୍‌ କେ.କେ. ବେଣୁଗୋପାଳ କହିଛନ୍ତି, ଅବମାନନା ଆଇନ ଏବଂ ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ଅବମାନନା ମାମଲା ଦାଖଲ କରିବା ପୂର୍ବରୁ ଆଟର୍ଣ୍ଣି ଜେନେରାଲ ଏବଂ ସଲିସିଟର୍‌ ଜେନେରାଲଙ୍କ ଅନୁମତି ନେବା ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.