FICCIର ୯୩ତମ ସାଧାରଣ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ନିବେଶର ପେଣ୍ଠସ୍ଥଳୀ ପାଲଟିଛି ଓଡ଼ିଶା
12/12/2020 at 8:57 PM

ଭୁବନେଶ୍ଵର ୧୨।୧୨: ଦେଶର ପ୍ରଗତି ପାଇଁ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗପତି ମହାସଂଘ ନିତ୍ୟାନ୍ତ ଆବଶ୍ୟକ । FICCI (ଫିକି)ର ୯୩ତମ ସାଧାରଣ ବୈଠକରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ଓଡ଼ିଶାରେ ନିବେଶ ପ୍ରୋତ୍ସାହନ, ନୀତି ନିର୍ଦ୍ଧାରଣ, ବ୍ୟବସାୟ ପରିବେଶ ସୃଷ୍ଟି କରିବା ଏବଂ ବିଶେଷ କରି ରାଜ୍ୟର ମହିଳାମାନଙ୍କୁ ଷ୍ଟାର୍ଟ ଅପ୍ ବିଜନେସ ଜରିଆରେ ସ୍ବାବଲମ୍ବୀ କରିବାର ଭାଗିଦାରୀକୁ ଶତ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଦେଶର ନିବେଶକ ସମୁଦାୟକୁ ପ୍ରତିନିଧିତ୍ବ କରିବା ସହ ଦେଶର ଉଦ୍ୟୋଗିକ ବିକାଶର ଉଲ୍ଲେଖନୀୟ କାର୍ଯ୍ୟ କରିଛି ଫିକି । ଏଥି ପାଇଁ ଫିକିର ସମସ୍ତ ସଦସ୍ୟଙ୍କୁ ଅଜସ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ନବୀନ । ଓଡିଶା ପୂର୍ବ ଭାରତର ରାଜ୍ୟ ଭାବେ ପ୍ରଗତି ଧାରାରେ ସାମିଲ ହୋଇଛି । ନିବେଶର ପେଣ୍ଠସ୍ଥଳୀ ପାଲଟିଛି ଓଡ଼ିଶା । ରାଜ୍ୟରେ ବ୍ୟବସାୟ ଏବଂ ବ୍ୟବହାରିକ ପରିବର୍ତ୍ତନ ପାଇଁ 5T ଅଧୀନରେ ଥିବା ମୋ ସରକାର କାର୍ଯ୍ୟ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ପୁଞ୍ଜି ନିବେଶ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ନୁହେଁ । ଶିଲ୍ପାନୁଷ୍ଠାନଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ହେଉଛି ମୂଳ ଲକ୍ଷ୍ୟ । ଶିଳ୍ପାୟନକୁ ଅଧିକ ବ୍ୟାପକ କରିବା ପାଇଁ ଅନୁଗୋଳ ଓ ଝାରସୁଗୁଡ଼ାରେ ଆଲୁମିନିୟମ ଡାଉନଷ୍ଟ୍ରିମ ଏବଂ କଳିଙ୍ଗନଗରରେ ଇସ୍ପାତ ଡାଉନଷ୍ଟ୍ରିମ୍ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରୁଛନ୍ତି । ସେହିଭଳି ପାରାଦୀପକୁ ପୂର୍ବ ଭାରତର ରସାୟନ ଓ ପେଟ୍ରୋକେମିକାଲ ହବ୍ ଭାବେ ଗଢ଼ି ତୋଳିବାକୁ ଉଦ୍ୟମ କରାଯାଉଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।