କ୍ବାରେଣ୍ଟାଇନ୍ ସେଣ୍ଟରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲେ ପୀଡିତା

Published By : Prameya-News7 Bureau | June 02, 2020 IST

ନୀଳଗିରି୨/୬: କ୍ବାରେଣ୍ଟାଇନ୍ ସେଣ୍ଟରରେ ଦୁଷ୍କର୍ମ ଘଟଣାରେ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲେ ପୀଡିତା। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଆଶ୍ରମରେ କ୍ବାରେଣ୍ଟାଇନ୍ ସେଣ୍ଟର ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ଏବେ ଉଗ୍ରରୂପ ନେଇଛି। ଏହି ଘଟଣା ଅଭିଯୋଗ ପରେ ଅଭିଯୁକ୍ତ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ଏତଲା ବଦଳାଇବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ନ୍ୟାୟ ପାଇବା ପାଇଁ ପୀଡିତା ଜଣଙ୍କ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଏପରି କି ପୀଡିତା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଆଶ୍ରମରେ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରେ ଗତ ୨୬ ତାରିଖରେ ଗୋହିରା ଅଞ୍ଚଳର ରତ୍ନାକର ଜେନା ନାମକ ଯୁବକ ସେଣ୍ଟରକୁ ଅବାଧରେ ପ୍ରବେଶ କରି ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ଉଠିଥିଲା।

ଯୁବତୀ ଜଣକ ପାଟି କରିବାରୁ ତାଙ୍କ  ୩ ଜଣ ସହଯୋଗୀ ଦୌଡ଼ି ଆସି ରତ୍ନାକରକୁ ଏକ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ। ଜଗୁଆଳି ପ୍ରତାପ ଚନ୍ଦ୍ର ବାରିକ ତାଙ୍କୁ ସହଯୋଗ କରିଥିବାରୁ ତାଙ୍କ ନାମ ସହ ମୁଖ୍ୟ ଅଭିଯୁକ୍ତ ରତ୍ନକାରଙ୍କ ବିରୁଦ୍ଧରେ ବରମପୁର ଥାନାରେ ପୀଡିତା ଲିଖତ ଅଭିଯୋଗ କରିଥିଲେ।  ଏଏସଆଇ ଚିତ୍ତରଞ୍ଜନ ମିଶ୍ର ପହଁ ତଦନ୍ତ କରି  ଧାରା ୧୮୮,୩୪୧,୨୯୪,୩୫୪ (ଏ),୫୦୯ ରେ ୩୯ ନମ୍ବର ମାମଲା ରୁଜୁ କରିଥିଲେ।ପରଦିନ ଅଭିଯୁକ୍ତ କୋର୍ଟ ଚାଲାଣ ପରେ ତାଙ୍କୁ ସହଜରେ ଜାମିନ ମିଳିଯାଇଥିଲା।

ପୀଡିତା ଜଣଙ୍କ ଏତଲା ବଦଳ କରିବାକୁ ତଦନ୍ତକାରୀ ପୋଲିସ ଅଧିକାରୀ କହିବାରୁ ସେ ତାଙ୍କୁ ଭରସା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଶା ରଖି ଆଉ ଗୋଟିଏ ଏତଲା ପୋଲିସ ଡାକିବାରୁ ସେ ଲେଖି ଥିଲେ। ପରେ ପୀଡିତା ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ହୋଇଥିବା ଜାଣିବା ପରେ ଗତ ମାସ ୩୦ ତାରିଖରେ ନୀଳଗିରି ସବ୍‌ଡିଭିଜନାଲ ବାର ଆସୋସିଏସନ ସଭାପତି ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ସହଯୋଗରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ନ୍ୟାୟ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ।

ହେଲେ ଏପର୍ଯ୍ୟନ୍ତ ସେ ନ୍ୟାୟ ନପାଇବାରୁ ଆଜି ଜାତୀୟ ମାନବଧିକାର କମିଶନଙ୍କୁ ସମସ୍ତ ଘଟଣା ବିଷୟରେ ଲିଖିତ ଭାବେ ଜଣାଇ ନ୍ୟାୟ ଭିକ୍ଷା କରିଛନ୍ତି।ଏପରି କି ରାଜ୍ୟ ସରକାରଙ୍କ ୫-ଟି ଯୋଜନା ବାଟବଣା ଥିବାରୁ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।ଦିନକୁ ଦିନ ସମୟ ଗଡି ଚାଲିଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଅଞ୍ଚଳରେ ଆନ୍ଦୋଳନର ଦାନା ବାନ୍ଧିବା ପୂର୍ବରୁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.