ଡେଲିଭରୀ ବୟଙ୍କୁ ହତ୍ୟା ଉଦ୍ୟମ ପଣ୍ଡ : ଧରାପଡିଲେ ୨ ଯୁବକ, ନିର୍ଧୁମ ଛେଚା ଖାଇବା ପରେ ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | October 18, 2020 IST

ଭୋଗରାଇ,୧୮/୧୦: ଫ୍ଲିପ୍‌କାର୍ଟରୁ ଏକ ଦାମୀ ମୋବାଇଲ ନେବା ନିମନ୍ତେ ଅର୍ଡର ଦେଲେ। ପୂର୍ବ ଆକ୍ରୋଶ ସୁଝାଇବା ଉଦ୍ଦେଶ୍ୟରେ ଦୁଇ ଫ୍ଲିପକାର୍ଟ ଡେଲିଭରି ବୟକୁ ଏକ ନିଛାଟିଆ ସ୍ଥାନକୁ ଡକାଇ ବେକରେ ଗାମୁଛା ଗୋଡ଼ାଇ କଲେ ହତ୍ୟା ଉଦ୍ୟମ । ହେଲେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଛେଚା ଖାଇଲେ ଆକ୍ରମଣକାରୀ ଦୁଇ ଯୁବକ। ଦୀର୍ଘ ସମୟ ଚାଲିଲା ଉତ୍ତମମଧ୍ୟମ । ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଛି । ଫ୍ଲିପ୍‌କାର୍ଟ ଶାଖା ପରିଚାଳକଙ୍କ ଲିଖିତ ଅଭିଯୋଗ ମୂଳେ ଥାନାରେ ମାମଲା ରୁଜୁ ହେବା ସହ ହତ୍ୟା ଉଦ୍ୟମ କରିଥିବା ଦୁଇ ଯୁବକକୁ ପୁଲିସ ଗିରଫ କରିଛି । ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଶନିବାର ମଧ୍ୟାହ୍ନରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଜଳେଶ୍ୱର ଅଞ୍ଚଳରେ ଥିବା ଫ୍ଲିପ୍‌କାର୍ଟ ଶାଖା ଅଫିସରେ ଜଳେଶ୍ୱର ଥାନା ବର୍ତ୍ତନା ଗ୍ରାମର ନିର୍ମାଲ୍ୟ ଦାସ (୨୬) ଡେଲିଭରି ବୟ ଭାବେ କାର୍ଯ୍ୟ କରନ୍ତି । ସେହିପରି କମର୍ଦ୍ଦା ଥାନା ଅନ୍ତର୍ଗତ ଖଏର୍ଦ୍ଦା ଗ୍ରାମର ସଞ୍ଜୟ ଜେନା ଓ ଜଳେଶ୍ୱର ଥାନା ନାମ୍ପୋ ଗ୍ରାମର ପଦ୍ମଲୋଚନ ମହାନ୍ତି ମଧ୍ୟ ସେହି ଫ୍ଲିପକାର୍ଟ ଶାଖାରେ ଡେଲିଭରି ବୟ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଗ୍ରାହକଙ୍କ ଗୋଟିଏ ଲାପଟପ ଏବଂ ଗୋଟିଏ ମୋବାଇଲ ହେରଫେର ଘଟଣାକୁ ନେଇ ଆଜକୁ ୪ ଦିନ ତଳେ ସଂପୃକ୍ତ ଶାଖା ପରିଚାଳକ ସଞ୍ଜୟ ଓ ପଦ୍ମଲୋଚନକୁ କାର୍ଯ୍ୟରୁ ବାହାର କରିଦେଇଥିଲେ । ଉଭୟଙ୍କୁ କାର୍ଯ୍ୟରୁ ବାହାର କରିବାରେ ନିର୍ମାଲ୍ୟଙ୍କ ହାତ ରହିଥିବା ସନ୍ଦେହ କରିଥିଲେ ସଞ୍ଜୟ, ପଦ୍ମଲୋଚନ । ନିର୍ମାଲ୍ୟଙ୍କୁ ପାନେ ଦେବା ପାଇଁ ସଞ୍ଜୟ, ପଦ୍ମଲୋଚନ ଏକ ଗୁପ୍ତ ଯୋଜନା ପ୍ରସ୍ତୁତ କରିବା ସହିତ କୁଶୁଡ଼ା ଠିକଣାରେ ନାମ ପରିବର୍ତ୍ତନ କରି ସଞ୍ଜୟ ଫ୍ଲିପ୍‌କାର୍ଟରୁ ଏକ ୩୪ହଜାର ଟଙ୍କାର ମୋବାଇଲ ଅର୍ଡର କରିଥିଲେ । ଶନିବାର ସେହି ମୋବାଇଲ ଡେଲିଭରି ମିଳିବ ବୋଲି ଫ୍ଲିପ୍‌କାର୍ଟ ପକ୍ଷରୁ ସଞ୍ଜୟକୁ ସୂଚିତ କରାଯାଇଥିଲା । ଶନିବାର ମଧ୍ୟାହ୍ନ ପ୍ରାୟ ୧ଟା ୩୦ରେ ଡେଲିଭରି ବୟ ନିର୍ମାଲ୍ୟ ଭୋଗରାଇର ବିଭିନ୍ନ ଅଞ୍ଚଳର ଅନ୍ୟ ଗ୍ରାହକଙ୍କ ଅର୍ଡର ଦ୍ରବ୍ୟ ସହିତ ସଞ୍ଜୟର ମୋବାଇଲ ନେଇ କୁଶୁଡାରେ ପହଞ୍ଚିବା ପରେ ତାକୁ ଫୋନ କରିଥିଲେ । ହେଲେ ସଞ୍ଜୟ ଦୁଡ଼ପଳ ପଞ୍ଚାୟତ ବାହାର୍ଦ୍ଦା ଗାଁ ସ୍ଥିତ ପଦ୍ମପୋଖରୀ ପାଖକୁ ଆସିବା ପାଇଁ ନିର୍ମାଲ୍ୟଙ୍କୁ କହିଥିଲେ । ନିର୍ମାଲ୍ୟ ସେଠାରେ ପହଞ୍ଚିବା ମାତ୍ରେ ପୂର୍ବ ଯୋଜନା ମୁତାବକ ନିଛାଟିଆ ସ୍ଥାନର ସୁଯୋଗରେ ସଞ୍ଜୟ ଓ ପଦ୍ମଲୋଚନ ତାଙ୍କ ବେକରେ ଏକ ବେଲ୍ଟ ଗୋଡ଼ାଇ ନିର୍ଧୁମ ପିଟାମରା କରିବା ପରେ ଗୋଡ଼ହାତ ବାନ୍ଧି ପାଖ ବୁଦା ମୂଳକୁ ଘୋଷାରି ନେଇଥିଲେ ।

ସେଠାରେ ତାଙ୍କ ବେକରେ ଗାମୁଛା ଗୋଡ଼ାଇ ପାଖରେ ଥିବା ଏକ ବରଗଛ ଡାଳରେ ଫାଶିରେ ଝୁଲାଇବା ପାଇଁ ଉଦ୍ୟମ କରୁଥିବା ବେଳେ ସେହି ରାସ୍ତାରେ ଯାଉଥିବା ଜନୈକ ଡାକ ପିଅନ ଏହା ଦେଖି ଚିତ୍କାର କରିଥିଲେ । ଫଳରେ ସେମାନେ ନିର୍ମାଲ୍ୟଙ୍କୁ ଛାଡ଼ି ଧାନ ବିଲରେ ଦୌଡ଼ି ପଳାଇଥିଲେ । ସ୍ଥାନୀୟ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ସଞ୍ଜୟ ଓ ପଦ୍ମଲୋଚନକୁ ବିଲ ମଝିରେ କାବୁ କରିଥିଲେ । ଗୁରୁତର ଆହତ ଥିବା ଚେତାଶୂନ୍ୟ ନିର୍ମାଲ୍ୟଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜଳେଶ୍ୱର ଜିକେ ଭଟ୍ଟର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିବା ସଞ୍ଜୟ, ପଦ୍ମଲୋଚନ ଛେଚା ଖାଇ ଗୁରୁତର ହୋଇଛନ୍ତି । କମର୍ଦ୍ଦା ଥାନା ଆଇଆଇସି ପାସ୍କେଲ ଏକ୍କା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ସଞ୍ଜୟ ଓ ପଦ୍ମଲୋଚନକୁ ସେଠାରୁ ଉଦ୍ଧାର କରିବା ସହ ପୁଲିସ ହେପାଜତରେ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସନ୍ଧ୍ୟାରେ ଫ୍ଲିପ୍‌କାର୍ଟ ଜଳେଶ୍ୱର ଶାଖା ପରିଚାଳକ କମର୍ଦ୍ଦା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦେଇଛନ୍ତି । ପୁଲିସ ମାମଲା ରୁଜୁ କରି ସଞ୍ଜୟ ଓ ପଦ୍ମଲୋଚନକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.