ମହିଳାଙ୍କୁ ନିର୍ମମ ହତ୍ୟା , ପୁଅ ଓ ସ୍ବାମୀ ଗୁରୁତର
5/08/2019 at 12:52 PM

ସୁବର୍ଣ୍ଣପୁର ୫/୮: ସୁବର୍ଣ୍ଣପୁର ଜିଲ୍ଲା ମହାଦେବ ପାଲି ଫାଣ୍ଡି ଅଧିନସ୍ଥ ଘୋଡାଧାର ଗାଁରେ ଏକ ହତ୍ୟାକାଣ୍ଡ ହୋଇଛି । ଜମିବାଡି ବିବାଦରେ ଲାଗି ରହିଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗାଁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗାଁର ୫୦ବର୍ଷ ବୟସ୍କ ପାଂଜିସ୍ବରୀ ଲୁହାକୁ ବେକକାଟି ହତ୍ୟା କରାଯାଇଥିବା ବେଳେ ତାଙ୍କ ସ୍ବାମୀ ୬୦ ବର୍ଷ ବୟସ୍କ କଟିଆ ଲୁହା ଓ ପୁଅ ମହେଶ୍ବର ଲୁହାକୁ ବି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା ।
ଗାଁର ଦୁର୍ଜ ଭଏନା ,ପ୍ରହଲ୍ଲାଦ ବିଭାର ,ସୁଦର୍ଶନ ଭଏନା ,ନର ଭଏନା ଓ ଅଲେଖ ଜଗଦଲା ସାମୁହିକ ଭାବେ ପାଂଜିସ୍ବରୀର ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ପାଂଜିସ୍ବରୀର ପରିବାର ଲୋକେ ମହାଦେବ ପାଲି ଫାଣ୍ଡିରୁ ଅଭିଯୋଗ କରି ଫେରୁଥିବା ସମୟରେ ଗାଁ ପ୍ରାଥମିକ ବିଦ୍ୟାଳୟ ପାଖରେ ଏକୁଟିଆ ପାଇ ଏମାନଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ପାଂଜିସ୍ବରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇ ପଡିଥିବା ତାଙ୍କ ସ୍ବାମୀ ଓ ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।