ପୂର୍ବତନ ସରପଞ୍ଚ ଘରେ ପଶି ସଂଘବଦ୍ଧ ଆକ୍ରମଣ, ଗାଳିଗୁଲଜ ସହ ଘର ଉପରକୁ ଟେକା ପଥର ମାଡ
20/12/2018 at 8:43 AM

ଟାଙ୍ଗୀ ୨୦|୧୨: କଟକ ଜିଲ୍ଲା ଟାଙ୍ଗିଥାନା ଅନ୍ତର୍ଗତ ସଫା ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ ହୋଇଛି । ସଫା ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ କୁମାର ନାୟକଙ୍କ ଘରେ ପଶି ଦୁଇ ଥର ଆକ୍ରମଣ ହୋଇଥିବାର ଟାଙ୍ଗି ଥାନାରେ ଅଭିଯୋଗ ହୋଇଛି। ରାଜନୈତିକ ଶତ୍ରୁତା ଯୋଗୁଁ ସ୍ଥାନୀୟ ମହିଳା ସରପଞ୍ଚଙ୍କ ନେତୃତ୍ବରେ ୫୦ରୁ ଉର୍ଦ୍ଧ୍ବ ଯୁବକ ପ୍ରଫୁଲଙ୍କ ଘରେ ପଶି ତାଙ୍କ ପତ୍ନୀ ଓ ଭାଇବୋହୁଙ୍କୁ ଠେଲାପେଲା କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ପ୍ରଫୁଲ ଛାତ ଉପର ଘରେ ଲୁଚିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଯୁବକ ମାନେ ତାଙ୍କ ଘର ଉପରକୁ ପ୍ରବଳ ଟେକା ମାଡ କରିବାରୁ ଘରର ଝରକା କାଚ ଭାଙ୍ଗିବା ସହ ଗେଟକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ।

ପରେ ଖବର ପାଇ ଚୌଦ୍ବାର ଏସଡିପିଏ ସତ୍ୟନାରାୟଣ ଦାଶ ଓ ଟାଙ୍ଗି ଆଇଆଇସି ବିମଳ କୁମାର ବାରିକ ପହଂଚି ପ୍ରଫୁଲଙ୍କ ସୁରକ୍ଷା ବ୍ୟବସ୍ଥା କରିଥିଲେ। ତାଙ୍କ ଘର ଆଗରେ ସଶସ୍ତ୍ର ପୋଲିସ ମୁତୟନହୋଇଛନ୍ତି । ଘଟଣାକୁ ନେଇ ଗ୍ରାମରେ ଉଭୟ ଗୋଷ୍ଠୀ ଛକାପଞ୍ଝା ଅବସ୍ଥାରେ ଅଛନ୍ତି। ଶାସକ ଦଳର କର୍ମୀଙ୍କ ଗୁଣ୍ଡରାଜକୁ ପ୍ରଫୁଲ ବିରୋଧ କରିବାରୁ ଏଭଳି ଆକ୍ରମଣ ହୋଇଥିବା ସେ କହିଛନ୍ତି। ପ୍ରଫୁଲ ଏ ନେଇ ଥାନାରେ ଏତଲା ମଧ୍ୟ ଦେଇଛନ୍ତି।