ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କ କାରକେଡକୁ ଢେଲା ମାଡ, ଅଳ୍ପକେ ବର୍ତ୍ତିଲେ କୈଳାଶ ବିଜୟବର୍ଗୀୟ, ବିଜେପି ଅଧ୍ୟକ୍ଷ କହିଲେ, ‘ମା ଦୁର୍ଗାଙ୍କ କୃପାରୁ ବଞ୍ଚିଗଲି’
10/12/2020 at 5:13 PM

କୋଲକାତା ୧୦/୧୨ : ବଙ୍ଗାଲରେ ଦିନକୁ ଦିନ ରାଜନୈତିକ ତିକ୍ତତା ତୀବ୍ର ହେବାରେ ଲାଗିଛି । ପଶ୍ଚିମବଙ୍ଗର ଡାଇମଣ୍ଡ୍ ହାର୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଗାଡିକୁ ଆକ୍ରମଣ ହୋଇଛି । ନଡ୍ଡାଙ୍କ ପଶ୍ଚିମବଙ୍ଗ ଆଗମନ ବିରୁଦ୍ଧରେ ପ୍ରତିବାଦ କରି କିଛି ବ୍ୟକ୍ତି ତାଙ୍କ କନଭେନକୁ ରୋକିବାକୁ ଚେଷ୍ଟା କରିଥିଲେ । ତେବେ ଏହାରି ମଧ୍ୟରେ ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରୁ କିଛି ବ୍ୟକ୍ତି ନଡ୍ଡାଙ୍କ ଗାଡି ଉପରକୁ ପଥର ମାଡ କରିଥିବା ଅଭିଯୋଗ ହୋଇଛି । କାରକେଡରେ ସାମିଲ ଥିବା ବିଜେପି ମହାସଚିବ କୈଳାଶ ବିଜୟବର୍ଗୀୟଙ୍କ ଗାଡିର କାଚ ଭାଙ୍ଗିଯାଇଛି ଏବଂ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁସାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବିଜେପି ମହାସଚିବ କୈଳାଶ ବିଜୟବର୍ଗୀୟ ଏକ ବୈଠକକୁ ସମ୍ବୋଧିତ କରିବା ପାଇଁ ଦକ୍ଷିଣ ୨୪ ପ୍ରଗଣା ଯାଉଥିଲେ । ତେବେ ଡାଇମଣ୍ଡ୍ ହାର୍ବର ନିକଟରେ କିଛି ବ୍ୟକ୍ତି କାରକେଡକୁ ରୋକିବାକୁ ଚେଷ୍ଟା କରିବା ସହିତ ଗାଡି ଉପରକୁ ପଥର ମାଡ କରିଥିଲେ । ଏଥିରେ କୈଳାଶ ବିଜୟବର୍ଗୀୟଙ୍କ ଗାଡିର କାଚ ଭାଙ୍ଗିଯାଇଛି ଏବଂ କାରରେ ଥିବା ସମସ୍ତେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ଏହି ଘଟଣାର ଭିଡିଓ ମଧ୍ୟ ରେକଡିଂ କରିଥିଲେ ବିଜେପି ମହାସଚିବ କୈଳାଶ ବିଜୟର୍ଗୀୟ ।
ଏହି ଆକ୍ରମଣ ପରେ ବିଜେପି ମହାସଚିବ କୈଳାଶ ବିଜୟର୍ଗୀୟ କହିଛନ୍ତି ଯେ, ‘ଆକ୍ରମଣ ପରେ ମୁଁ ଆହତ ହୋଇଛି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡିକୁ ମଧ୍ୟ ଆକ୍ରମଣ କରାଯାଇଛି । କିନ୍ତୁ ସୌଭାଗ୍ୟବଶତଃ ସେ ରକ୍ଷା ପାଇଯାଇଛନ୍ତି । ତେବେ ଏହକୁ କଡା ନିନ୍ଦା କରୁଛୁ ବୋଲି ସେ କହିଛନ୍ତି’ । ତେବେ ପୋଲିସ ଉପସ୍ଥିତିରେ ଗୁଣ୍ଡାମନେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।
ଆକ୍ରମଣ ପରେ ଜେ ପି ନଡ୍ଡା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ଅରାଜକତା ଏବଂ ଅସହିଷ୍ଣୁତା ପ୍ରଦର୍ଶନ କରୁଛି । ସେ କହିଛନ୍ତି ଯଦି ମୁଁ ଆଜି ପଶ୍ଚିମବଙ୍ଗରେ ପହଞ୍ଚିପାରିଛି ତାହା କେବଳ ମା ଦୁର୍ଗାଙ୍କ ଆର୍ଶୀବାଦରୁ । ଟିଏମସି ଗୁଣ୍ଡାମାନେ ପ୍ରଜାତନ୍ତ୍ରର ତଣ୍ଟି ଚିପିବାକୁ ମଧ୍ୟ ପଛାଉନଥିବା ନଡ୍ଡା କହିଛନ୍ତି । ତେବେ ଏହି ଅରାଜକତା ଅଧିକ ଦିନ ଚାଲିବନି ଏବଂ ମମତା ସରକାର ଖୁବଶୀଘ୍ର ହଟିବାକୁ ଯାଉଛି ବୋଲି ଜେପି ନଡ୍ଡା କହିଛନ୍ତି ।