ଜମ୍ମୁ-କାଶ୍ମୀର: ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ

Published By : Prameya-News7 Bureau | May 16, 2020 IST

ଶ୍ରୀନଗର, ୧୬|୦୫: ଭାରତ ସମେତ ସାରା ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଛି । କିନ୍ତୁ ପଡୋଶୀ ଦେଶ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ପାଇଁ କୌଣସି ପଦକ୍ଷେପ ନେଉନାହିଁ । ଏହା ମଧ୍ୟରେ ଶନିବାର ଜମ୍ମୁ-କାଶ୍ମୀର କୁଲଗାମର ଫିସଲ ୟାରିପୋରାରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀମାନେ ଯବାନଙ୍କୁ ଲକ୍ଷ୍ୟ କରି ପ୍ରଥମେ ଗୁଳିମାଡ କରିବା ସହ ଗ୍ରେନେଡ୍ ମଧ୍ୟ ଫିଙ୍ଗିଥିଲେ ।

ଏହି ଆତଙ୍କବାଦୀ ଆକ୍ରମଣରେ ହେଡ୍ କନଷ୍ଟେବଳ ମହମ୍ମଦ ଅମିନ ସହିଦ ହୋଇଛନ୍ତି । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆହୁରି ମଧ୍ୟ କେତେକ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଜମ୍ମୁ-କାଶ୍ମୀରର କୁଲଗାମରେ ଗତ ଗୁରୁବାର ୮ ଘଣ୍ଟା ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଠାକାର ୟମରଚ ଅଞ୍ଚଳରେ ୩ଜଣ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରିଥିଲେ । ତେବେ ଏହି ଗୁଳି ବିନିମୟରେ କେହି ମୃତାହତ ହୋଇଥିବା ସୂଚନା ମିଳିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.