ପ୍ରଚାରର ଶେଷ ଦିନରେ ଦିଲ୍ଲୀପ ଘୋଷଙ୍କ ଉପରେ ଆକ୍ରମଣ: କହିଲେ,‘ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ ଟିଏମ୍‌ସି ଗୁଣ୍ଡା’

Published By : Prameya-News7 Bureau | September 27, 2021 IST

କୋଲକାତା ୨୭/୦୯ : ଭବାନୀପୁର  ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟର ଆଜି ହେଉଛି ଶେଷ ଦିନ । ଭୋଟଦାନକୁ ଆଉ ମାତ୍ର କେଇ ଘଣ୍ଟା ବାକିଥିବା ବେଳେ ବିଜେପି ନେତାଙ୍କୁ ଆକ୍ରମଣ ହୋଇଥିବା ଖବର ମିଳିଛି । ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ବିଜେପି ନେତାଙ୍କ ଉପରେ ଆକ୍ରମଣ କରିଛନ୍ତି । ଭବାନୀପୁରରେ ପ୍ରଗାର କାର୍ଯ୍ୟ ଜାରି ରହିଥିବା ବେ​‌ଳେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଉପରେ ଆକ୍ରମଣ ହୋଇଛି ।

ଏହାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦିଲ୍ଲୀପ ଘୋଷଙ୍କ ସୁରକ୍ଷାକର୍ମୀମାନେ ଭିଡ ନିୟନ୍ତ୍ରଣ ପାଇଁ ଉଦ୍ୟତ ହେଉଛନ୍ତି । ଘଟଣାକୁ ନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ତଥା ଗତ ନିର୍ବାଚନରେ ଦିଦିଙ୍କୁ ହରାଇଥିବା ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏଭଳି ହିଂସା କେବେ କମିବ । କେବେ ବେଙ୍ଗଲବାସୀ ଏଭଳି କୃରତାରୁ ରକ୍ଷା ପାଇବେ ।
ଆକ୍ରମଣ ପରେ ଦିଲ୍ଲୀପ ଘୋଷ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି, ଯେତେବେଳେ ଜଣେ ଲୋକ ପ୍ରତିନିଧିଙ୍କୁ ଭବାନୀପୁର​‌ରେ ଆକ୍ରମଣ ହେଉଛି ତେବେ ସାଧାରଣ ଲୋକମାନେ କିଭଳି ନିଜକୁ ସୁରକ୍ଷିତ ମଣିବେ ? ଭବାନୀପୁରରେ ଆଜି ଟିଏମ୍‌ସିର ଗୁଣ୍ଡାମାନେ ମାଡମାରିବାକୁ ଚେଷ୍ଟା କରିଥିଲେ ।

ଘଟଣାକୁ ନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ‘ମୁଁ କେବଳ ଏଥିପାଇଁ ହିଁ ତୃଣମୂଳ କଂଗ୍ରେସ ଛାଡିଥିଲି । ଟିଏମ୍‌ସି ଦଳ ଯେତେ ରକ୍ତପାତ କରିବ, ଲୋକମାନେ ସେତେ ଅଧିକ ଭୋଟ ଦେବାକୁ ଆସିବେ । ଏବେ ସାଧରଣ ଲୋକେ ଆଉ ଭୟ କରୁନାହାନ୍ତି । ଦିଦିଙ୍କ ଗୁଣ୍ଡାମାନେ ଯେଉଁ ଷଡଯନ୍ତ୍ର ଚଳାଇଛନ୍ତି ସେଥିରେ ସେମାନେ ବିଫଳ ହେବେ ।’

ଶୁଭେନ୍ଦୁ ଆହୁରି ମଧ୍ୟ କହିଛନ୍ତି, ଉପ ନିର୍ବାଚନ ସେତେବେଳେ ହୁଏ ଯେତେବେଳେ ଜଣେ ବିଧାୟକଙ୍କ ଅକାଳ ବିୟୋଗ ହୁଏ କିମ୍ବା ଦଳ ବଦଳ ହୁଏ ସେତେବେଳେ ଉପନିର୍ବାଚନ ହୋଇଥାଏ । କିନ୍ତୁ ଭବାନୀପୁର ବିଧାୟକ ଏବେ ସୁସ୍ଥ ଅଛନ୍ତି ଏବଂ ଟିଏମ୍‌ସିରେ ହିଁ ଅଛନ୍ତି ତଥାପି ସେଠାରେ ଉପ ନିର୍ବାଚନ ହେଉଛି । ଭବାନୀପୁରକୁ ନନ୍ଦୀଗ୍ରାମ କରିଦେବାକୁ ଭୋଟରଙ୍କୁ ଅପିଲ କରୁଛି । ନନ୍ଦୀଗ୍ରାମରେ ମମତାଙ୍କୁ ମୁଁ ୧୯୫୬ ଭୋଟରେ ହରାଇଥିଲି । ସେହିଭଳି ଭବାନୀପୁରରେ ବି ଜନସାଧାରଣ ବିଜେପିକୁ ଭୋଟ ଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.