ଆଶାକର୍ମୀଙ୍କ ମୁହଁକୁ ତତଲା ପେଜ ମାଡ, ଜଣେ ଅଭିଯୁକ୍ତ ଗିରଫ, ଆଉ ୨ଜଣ ଫେରାର
20/04/2020 at 10:48 PM

ନୟାଗଡ୨୦/୪: ଆଶା କର୍ମୀଙ୍କୁ ଗରମ ପେଜ ମାଡ। କରୋନା ଭଳି କଠିନ ସମୟରେ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନତା କରିବା, ମେଡିସିନ୍ ବାଣ୍ଟିବା ଏବଂ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁଥିବା ଆଶାକର୍ମୀଙ୍କ ଉପରକୁ ଗରମ ପେଜ ପିଙ୍ଗିଛନ୍ତି ଦୁବୃର୍ତ୍ତ। ଗୁରୁତର ଆଶାକର୍ମୀଙ୍କୁ ପ୍ରଥମେ ଦଶପଲ୍ଲା ଡାକ୍ତରଖାନା ଏବଂ ପରେ ନୟାଗଡ ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।
ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଗେନେଗେଣ୍ଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ଆଶାକର୍ମୀ ମଧୁରୀ ନାୟକ ସୋମବାର ଅପରାହ୍ନରେ କରୋନା ପାଇଁ ଗରିବ ଲୋକଙ୍କ ପାଇଁ ଗାଁରେ ହେଉଥିବା ରୋଷେଇ କାର୍ଯ୍ୟ ତଦାରଖ କରିବା ସହ ମେଡିସିନ୍ ବାଣ୍ଟୁ ଥିଲେ। ଏହି ସମୟରେ ମନୁ ନାୟକ ଜଣେ ବ୍ୟକ୍ତି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଧୁରୀଙ୍କୁ ଗାଳି ଗୁଲଜ କରିଥିଲେ ।
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଆଶାକର୍ମୀ ଜଣଙ୍କ ମନୁଙ୍କ ଘର ପାଖ ଦେଇ ଯିବା ସମୟରେ ମନୁ ହଠାତ୍ ତାଙ୍କ ଉପରକୁ ଗରମ ପେଜ ପିଙ୍ଗିଥିଲା। ଏଥିରେ ଆଶାକର୍ମୀଙ୍କ ମୁହଁରେ ସମ୍ପୂର୍ଣ୍ଣ ଫୋଟକା ହୋଇଯାଇଛି । ଘଟଣାରେ ତିନିଜଣ ସମ୍ପୃକ୍ତ ଥିବାବେଳେ ମନୁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ବାଣିଗୋଛା ପୋଲିସ୍ । ଅନ୍ୟ ଦୁଇଜଣ ଫେରାର ଅଛନ୍ତି।