‘ରଖେ ହରି ତ ମାରେ କିଏ’: ଆତ୍ମହତ୍ୟା ପାଇଁ ଟ୍ରେନ୍‌ ଲାଇନ୍‌ରେ ଶୋଇଥିଲେ, ୧୬ଟି ବଗି ଅତିକ୍ରମ ପରେ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର

Published By : Prameya-News7 Bureau | October 25, 2020 IST

ନୂଆପଡ଼ା ୨୫।୧୦: କଥାରେ ଅଛି, ରଖେ ହରି ତ ମାରେ କିଏ । ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲୱେ ଷ୍ଟେସନ ନିକଟରେ ଏହି ଉକ୍ତଟି ସତ୍ୟ ପ୍ରମାଣିତ ହୋଇଛି । ଗୋତମା ଗାଁ ଜଣେ ଯୁବକ ରେଲୱେ ଲାଇନ ତଳେ ଆତ୍ମହତ୍ୟା ପାଇଁ ଶୋଇ ଯାଇଥିଲେ । ତାଙ୍କ ଦେହ ଉପରେ ୧୬ଟି ବଗି ଅତିକ୍ରମ କରିଥିଲେ ବି ଦେହରେ କୌଣସି ଆଘାତ ଲାଗିନଥିଲା।

ଖବର ମୁତାବିକ, ଜୋଙ୍କ ଥାନା ଅଧୀନ ଆମସେନା ପଞ୍ଚାୟତ ଗୋତମା ଗାଁର ଟିକେଶ୍ୱର ସାହୁ (୧୯) ଘରକୁ ନିଶାଶକ୍ତ ଅବସ୍ଥାରେ ଫେରିବାରୁ ବାପା ସନାତନ ସାହୁ ଆକଟ କରିଥିଲେ । ଟିକେଶ୍ୱର ନାରାଜ ହୋଇ ଆତ୍ମହତ୍ୟା କରିବାକୁ ପାଇଁ ଖରିଆରରୋଡ ନିକଟ ରେଲୱେ ଲାଇନ୍‌ରେ ଶୋଇପଡ଼ିଥିଲେ । ଏହି ସମୟରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ପଟୁ ରାୟପୁର ପଟକୁ ମାଲ ବୋଝେଇ ଟ୍ରେନ ଯାଉଥିଲା ।

ଟ୍ରେନ ଚାଳକ ଯୁବକଙ୍କୁ ଦୂରରୁ ଦେଖି ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରି ଆପତ୍ତକାଳୀନ ବ୍ରେକ ମାରିଥିଲେ । ଟ୍ରେନଟି ଦ୍ରୁତ ଗତିରେ ଥିବାରୁ ଅଟକି ନଥିଲା । ଏହି ସମୟରେ ଟ୍ରେନର ୪୨ ବଗି ମଧ୍ୟରୁ ୧୬ଟି ବଗି ଯୁବକଙ୍କ ଉପର ଦେଇ ଅତିକ୍ରମ କରିଥିଲା । ଶେଷରେ ଟ୍ରେନ ଅଟକିଥିଲା । କଣ୍ଟାବାଞ୍ଜି ରେଲୱେ ପୁଲିସ ଯୁବକଙ୍କୁ ଉଦ୍ଧାର କରିଥିଲେ । ସେଠାରେ ଯୁବକ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ । ହେଲେ ତାଙ୍କ ଦେହରେ କୌଣସି କ୍ଷତ ବି ଲାଗିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.