ବଞ୍ଚିବା ଏକାଠି, ନହେଲେ ମରିବା ଏକାଠି : ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ସ୍ତ୍ରୀ

Published By : Prameya-News7 Bureau | May 30, 2021 IST

ରାଜକନିକା ୩୦।୦୫ : ସାଥୀ ହୋଇ ସାତ ଜନମ ଯାଏଁ ଏକାଠି ରହିବାକୁ ବାହା ବେଦୀରେ କଥା ଦେଇଥିଲେ । ଆଉ ସେଇ କଥାରୁ କେମିତି ବା ହଟିଯାଇଥାନ୍ତେ । ସ୍ୱାମୀଙ୍କ ମୃତ୍ୟୁର ଖବର ଶୁଣି ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ । ସ୍ୱାମୀଙ୍କ ମରଶରୀରର ଘରେ ପହଞ୍ଚିବା ପୂର୍ବରୁ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ । କେନ୍ଦ୍ରାପଡ଼ା ରାଜକନିକା ଚେରଣ୍ଟପଡ଼ା ଗାଁର ଘଟିଛି ଏପରି ଘଟଣା ।  

ଖବର ଅନୁଯାୟୀ, , ଚେରଣ୍ଟପଡ଼ା ଗାଁର ଅବସରପାପ୍ତ ପୋଷ୍ଟମାଷ୍ଟର ମଦନ ମୋହନ ତରାଇଙ୍କ ଏକମାତ୍ର ପୁଅ ମନୋଜ ଭଦ୍ରକ ଡିଆର୍‌ଡିଏ ଅଧୀନରେ ଥିବା ଆର୍‌ଜିପିଏସ୍‌ ସ୍କିମ୍‌ରେ ଡିପିଏମ୍‌ ଭାବରେ ନିଯୁକ୍ତି ପାଇଥିଲେ । ଦୈନିକ ସେ ଘରୁ ବାଇକ୍‌ରେ ଭଦ୍ରକକୁ ଯିବା ଆସିବା କରନ୍ତି। ତେବେ ଗତ ୨୫ ତାରିଖ ସଂଧ୍ୟାରେ ଭଦ୍ରକରୁ ଘରକୁ ଫେରୁଥିବା ବେଳେ ଚାନ୍ଦବାଲିର ମହୁଲିଆ ଛକରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପ୍ରଥମେ ରାଜକନିକା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପାଇ ତାଙ୍କ ପତ୍ନୀ ସ୍ୱପ୍ନାରାଣୀ ଆଜି ସକାଳ ପ୍ରାୟ ୧୧ଟା ୪୦ ମିନିଟ୍‌ରେ ଘରେ ବେକରେ ବେଡ୍‌ସିଟ୍‌ ଲଗାଇ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଜାନୁଆରୀ ମାସରେ ଅଶୋକବଜାରର ନୟନା ମଣ୍ଡପରେ ସେମାନଙ୍କର ବିବାହ ହୋଇଥିଲା । ପୁଅ ଓ ବୋହୂଙ୍କ ମୃତ୍ୟୁରେ ବାପା ମଦନମୋହନ ଓ ପରିବାର ପୁରା ଭାଙ୍ଗି ପଡ଼ିଛନ୍ତି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ନବଦମ୍ପତିଙ୍କ ମରଶରୀରକୁ ଗୋଟିଏ ଜୁଇରେ ସଂସ୍କାର କରାଯିବାର ପ୍ରକ୍ରିୟା ଜାରି ରହିଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.