ସୁଝିଲାନି ଜାତକ, ବିବାହ ପାଇଁ ମନା କଲେ ପରିବାର ଲୋକେ ; ଏକାଠି ଝୁଲି ପଡିଲେ ପ୍ରେମୀ ଯୁଗଳ

Published By : Prameya-News7 Bureau | April 13, 2021 IST

ଝାରସୁଗୁଡ଼ା ୧୩।୦୪: ପ୍ରେମ ପାଇଁ ଗଲା ଜୀବନ । ବଞ୍ଚିବା ଏକାଠି, ନେହେଲେ ମରିବା ଏକାଠି । ଆମେ ଯଦି ଆମର ନହେବା, ତାହେଲେ କାହାର ହେବାନି । ନା ତୁ ହେବୁ କାହାର, ମୁଁ ହେବି କାହାର ।ସାମାନ୍ୟ ଜାତକ ଆମ ଦୁହିଁକୁ ଅଲଗା କରିପାରିବନି । ଏପରି  କିଛି ନିଷ୍ପତ୍ତି ନେଇ ନିଜ ଜୀବନ ହାରିଦେଇଛନ୍ତି ପ୍ରେମୀ ଯୁଗଳ । କାହାଣୀ ଟି ଗପ ଲାଗୁଥିଲେ ବି ଘଟଣାଟି ସତ ।  ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କୁମ୍ଭାରବନ୍ଧ ପୋଲିସ ଫାଣ୍ଡି ରେଙ୍ଗାଳି କିଷାନପଡ଼ା ଗାଁରେ ଘଟିଯାଇଛି ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, କିଷାନପଡ଼ା ଗାଁର ଜଣେ ୨୭ବର୍ଷୀୟ ଯୁବକ ସମ୍ବଲପୁରର ଜଣେ ୨୨ବର୍ଷୀୟ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା । ଉଭୟ ପ୍ରେମକୁ ବିବାହର ରୂପ ଦେବାକୁ ଚେଷ୍ଟା କରିଥିଲେ । ପରିବାରକୁ ମଧ୍ୟ ପ୍ରେମ ସଂପର୍କ ବିଷୟରେ କହିଥିଲେ । ଉଭୟ ଗୋଟିଏ ଜାତିର ହୋଇଥିବାରୁ ବିବାହ ପାଇଁ ପରିବାର ଲୋକେ ରାଜି ହୋଇଥିଲା । କିନ୍ତୁ ପ୍ରେମର ଏହି ରାସ୍ତାରେ ବାଧକ ସାଜିଲା ଜାତକ ସୁଝା । ପରିବାର ଲୋକେ ଜାତକ ସୁଝା ପରେ ଉଭୟଙ୍କ ନାମ ପାଞ୍ଚି ଅନୁସାରେ ମେଳ ଖାଇନଥିଲା । ବିବାହ ପାଇଁ ରାଜି ହୋଇନଥିଲେ ।

ସେପଟେ ଯୁବକଙ୍କ ପରିବାର ଲୋକେ ଯୁବକଙ୍କ ବିବାହ ଅନ୍ୟ ଜାଗାରେ ଠିକ୍‌ କରିଦେଲେ । ଆସନ୍ତା ମେ ୫ତାରିଖରେ ବିବାହ ପାଇଁ ଲଗ୍ନ ସ୍ଥିର ମଧ୍ୟ ହୋଇଥିଲା । ଯୁବକର ଏହି ବାହାଘରେ କୌଣସି ପ୍ରକାରର ଉଚ୍ଛାନଥିଲା । ଏମିତିକି ପ୍ରେମିକାକୁ ବାଇକ୍‌ ଯୋଗେ ନିଜ ଘରକୁ ଆଣିଥିଲା ପ୍ରେମିକ । ଉଭୟଙ୍କ ପରିବାର ଲୋକ ଏହା ଜାଣିବା ପରେ ପ୍ରେମିକଙ୍କ ଘରେ କିଛି ସମାଧାନ ନେଇ ଆପୋଷ ବୁଝାମଣା ହୋଇଥିଲା । କିନ୍ତୁ ସେହିଦିନ ରାତିରେ ଉଭୟ ପ୍ରେମୀଯୁଗଳ ଗୋଟିଏ କୋଠରୀରେ ନିଜକୁ ବନ୍ଦ କରିଦେଇଥିଲା ।

ସକାଳ ହେବାରୁ ପରିବାର ଲୋକେ ଘର ଭିତରୁ କୌଣସି ଶବ୍ଧ ହେବାରୁ ଘରର କବାଟ ଖୋଲିଥିଲେ । କବାଟ ଖୋଳି ଦେଖିବା ବେଳକୁ ଘର ଭିତରେ ଝୁଲୁଛି ୨ଜଣଙ୍କ ମୃତଦେହ । ଘଟଣାସ୍ଥଳରେ କୁମ୍ଭାରବଦ୍ଧା ଫାଣ୍ଡି ଅଧିକାରୀ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି । ଏପରିକି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ  ନିକଟସ୍ଥ ମେଡିକାଲକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.