ସୋସିଆଲ୍ ମିଡିଆରେ ଝିଅର ଅଶ୍ଳୀଳ ଫଟୋ ଭାଇରାଲ, ମାଆ କଲେ ଆତ୍ମହତ୍ୟା : ଅଭିଯୁକ୍ତକୁ ଖୋଜୁଛି ପୋଲିସ

Published By : Prameya-News7 Bureau | August 25, 2020 IST

ଯାଜପୁର ୨୫।୦୮: ମୋବାଇଲ୍‌ରେ ସମ୍ପର୍କ ବାନ୍ଧନ୍ତି ବାଲେଶ୍ୱର ଜିଲ୍ଲାର ଯୁବକ-ଯାଜପୁରର ଯୁବତୀ । ପରେ ଯୁବତୀଙ୍କ ଫଟୋକୁ ଆପତ୍ତିଜନକ ଢଙ୍ଗରେ ସଜାଇ ଫେସ୍‌ବୁକରେ ଭାଇରାଲ କରିବାକୁ ଆଗେଇ ଆସେ ମନ୍ଦବୁଦ୍ଧି ଯୁବକ ଜଣକ। ଝିଅର ଭାଇରାଲ ଫଟୋକୁ ଦେଖିବା ପରେ ଆତ୍ମହତ୍ୟା କରନ୍ତି ଯୁବତୀଙ୍କ ମା’ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଥାନା ଅଞ୍ଚଳରେ । ଯାଜପୁର ଥାନାରେ ଏହି ଘଟଣାକୁ ଫୌଜଦାରୀ ମାମଲା ଭାବେ ରୁଜୁ କରାଯାଇ ଅଭିଯୁକ୍ତ ମନ୍ଦବୁଦ୍ଧି ଯୁବକଙ୍କୁ ପୁଲିସ୍‌ ଖୋଜିବା ଆରମ୍ଭ କରିଛି ।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କିଛି ମାସ ତଳେ ଯାଜପୁର ଥାନାଞ୍ଚଳର ଜନୈକା ଯୁବତୀ କୌଣସି ଏକ ମୋବାଇଲ୍‌ ଆପ୍‌ରେ ଯୋଡ଼ି ହୋଇଥିଲେ । ବାଲେଶ୍ୱର ଅଞ୍ଚଳର ଜନୈକ ଯୁବକ ଏହି ଆପ୍‌କୁ ସଂଯୋଗ କରି ସମ୍ପୃକ୍ତ ଯୁବତୀ ସହ ଘନିଷ୍ଠ ସମ୍ପର୍କ ଯୋଡ଼ିବାକୁ ଆଗେଇ ଆସିଥିଲେ । ଫେସ୍‌ବୁକ୍‌ରେ କିଛିଦିନ ଯୁବକ-ଯୁବତୀ ସାମାନ୍ୟ ବନ୍ଧୁଭଳି ଆଚରଣ ପ୍ରଦର୍ଶନ କରିଥିଲେ । ପରେ ଯୁବକ ଜଣକ ଯୁବତୀଙ୍କ ସହ ଭିନ୍ନଦୃଷ୍ଟିରେ ସମ୍ପର୍କ ବାନ୍ଧିବାକୁ ଉଦ୍ୟମ କରି ବ୍ଲାକ୍‌ ମେଲିଂ ଆରମ୍ଭ କରିଥିଲା । ଶେଷରେ ଯୁବତୀ ଜଣକ ଏହି ଘଟଣାକୁ ନିଜ ପରିବାରକୁ ଜଣାଇବା ସହ, ମୋବାଇଲ୍‌ ଆପ୍‌ ସମ୍ପର୍କରୁ ଓହରି ଆସିଥିଲେ । ୩ ଦିନ ତଳେ ଯୁବକ ଜଣକ ଯୁବତୀର କେତେକ ଫଟୋକୁ ଏଡିଟ୍‌ କରି ଆପତ୍ତିଜନକ ଢଙ୍ଗରେ ଫେସ୍‌ବୁକ୍‌ରେ ଅପଲୋଡ୍‌ କରି ଦେଇଥିଲେ । ଯୁବତୀଙ୍କ ନାଁରେ ଜାଲ୍‌ ଫେସ୍‌ବୁକ ଆକାଉଣ୍ଟ୍‌ ଖୋଲି ଯୁବତୀଙ୍କ ଫଟୋକୁ ଏପଟ ସେପଟ କରି ଆପତ୍ତିଜନକ ଭାବେ ଫେସ୍‌ବୁକ୍‌ରେ ପ୍ରସାର କରିବାକୁ ଯୁବକ ଜଣକ ଉଦ୍ୟମ କରିଥିଲା । ଝିଅର ଆପତ୍ତିଜନକ ଫଟୋକୁ ମୋବାଇଲ୍‌ ଆପ୍‌ରେ ଦେଖିବା ପରେ ଯୁବତୀଙ୍କ ମା’ ମ୍ରିୟମାଣ ହୋଇ ପଡ଼ିବା ସହ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ସୋମବାର ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ହେବା ସହ ଯାଜପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ଯାଜପୁର ଥାନାରେ ମାମଲା ସଂଖ୍ୟା-୩୭୧/୨୦ରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଭାରତୀୟ ପିଙ୍ଗଳ ଧାରା-୩୦୬ ଓ ୬୭ ଆଇ.ଟି ଆକ୍ଟରେ ମାମଲା ରୁଜୁ କରାଯାଇଛି । ଇନ୍ସପେକ୍ଟର ଅସିତ୍‌ ମହାନ୍ତି ସମ୍ପୃକ୍ତ ମାମଲାର ତଦନ୍ତ ଜାରି ରଖିଛନ୍ତି । ଯାଜପୁର ଏସ୍‌ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶ କ୍ରମେ, ପୁଲିସ୍‌ର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ବାଲେଶ୍ୱର ଅଞ୍ଚଳରେ ରହୁଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଯାଇଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.