ବଦ୍‌ନାମ ଭୟରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା , ଏକତରଫା ପ୍ରେମ କରି ଯୁବକ କରୁଥିଲେ ବ୍ଲାକମେଲିଂ

Published By : Prameya-News7 Bureau | September 04, 2020 IST

ଛତ୍ରପୁର ୦୪।୦୯: ବଦନାମ ଭୟରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା । ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମରେ ଜଣେ ଶିକ୍ଷୟିତ୍ରୀ ସାଗରିକା ନାୟକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ଏନେଇ ମୃତ ଶିକ୍ଷୟତ୍ରୀଙ୍କ ବାପା ସୌରା ନାୟକ ଥାନାରେ ଲିଖିତ ଅଭିଯାଗ କରିଥିବା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ରମ୍ଭା ଥାନାରେ ଅପମୃତ୍ୟ ମାମଲା ୩୧୫/୨୦ରେ ମକଦ୍ଦମା ରୁଜୁ ହୋଇଛି । ଶବ ବ୍ୟବଛେଦ ହୋଇ ପରିବାରକୁ ହସ୍ତାନ୍ତର କରାଯାଇଛି। ଶିକ୍ଷୟିତ୍ରୀ ଜଣକ ଅବିବାହିତ ଥିଲେ । ଘଟଣାସ୍ଥଳକୁ ଆଇଆଇସି ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ସୁବଳୟା ଗ୍ରାମର ସୌରା ନାୟକଙ୍କ ଝିଅ ସାଗରିକା ନାୟକ କୋରାପୁଟ ଜିଲ୍ଲାରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ସେହି ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ କରୁଥିଲେ । ତାଙ୍କ ବିରୋଧରେ ମୃତ ଶିକ୍ଷୟିତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ସମ୍ପୃକ୍ତ ଯୁବକ ଫେସ୍‌ବୁକରେ ବିଭିନ୍ନ ଅଶାଳୀନ ମନ୍ତବ୍ୟ ପଠାଉ ଥିବା ସହ ଧମକ ଦେଇ ଆସୁଥିଲା । ଏପରିକି ଗତ ୩୧ ତାରିଖରେ ଧମକ ଦେଇଥିଲା । ଅନ୍ୟ କାହାକୁ ବିବାହ କଲେ ସ୍ୱାମୀକୁ ହତ୍ୟା କରିବ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ମୃତ ଶିକ୍ଷୟିତ୍ରୀଙ୍କ ଭାଇ ଗୌତମ ନାୟକଙ୍କୁ ମଧ୍ୟ ଧମକ ଦେଇଥିଲା। ଏପରିକି ଚାକିରି କରୁଥିବା ଅଞ୍ଚଳରେ ବଦନାମ କରିବି ବୋଲି ଯୁବକ କହିବା ପରେ ଗତ ୧ ତାରିଖ ରାତ୍ର ଝିଅ କୀଟନାଶକ ଖାଇ ଦେଇଥିବା ସୌରା ନାୟକ ଥାନାରେ ଅଭିଯୋଗ କରିଛନ୍ତି । ସେହିଦିନ ରାତିରେ ଛତ୍ରପୁର ଡାକ୍ତରଖାନାକୁ ଝିଅ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଅଭିଯୋଗ ଲିଖିତ ଭାବେ ମୃତ ଶିକ୍ଷୟିତ୍ରୀଙ୍କ ବାପା ସୌରା ନାୟକ ରମ୍ଭା ଥାନାରେ ଦେଇଥିବା ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.