ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଆରସିଏମ କମ୍ପାନୀର ଡ୍ରାଇଭର କରିଥିଲା ୪୦ଲକ୍ଷ ଟଙ୍କା ଚୋରୀ: ଜାଣନ୍ତୁ ଚତୁର ଡ୍ରାଇଭରର ଲୁଟ କୌଶଳ

Published By : Prameya-News7 Bureau | November 13, 2018 IST

ଭୁବନେଶ୍ବର ୧୩|୧୧: ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଆରସିଏମ କମ୍ପାନୀର ଟଙ୍କା  ଲୁଟ ଘଟଣାର ପର୍ଦାଫାସ କରିଛି କମିଶନରେଟ ପୋଲିସ ।  ଟଙ୍କା ଡିପୋଜିଟ ସମୟରେ କମ୍ପାନୀ ଗାଡିର ଡ୍ରାଇଭର ଖୁବ୍‌ ଚତୁରତାର ସହ ୪୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିବା ପରେ ସଂପୃକ୍ତ ଡ୍ରାଇଭର ଏବଂ ତା’ର ଜଣେ ସହଯୋଗୀକୁ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ ।…. ଆରସିଏମ ଭ୍ୟାନ୍‌ରୁ ୪୦ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ପର୍ଦ୍ଦାଫାସ୍‌ କଲା କମିଶନରେଟ୍‌ ପୋଲିସ । ଗାଡ଼ିର ଡ୍ରାଇଭର ହିଁ ଲୁଟି ନେଇଥିଲା ଏହି ଟଙ୍କା । ଗଲା ୫ ତାରିଖ ଦିନ କ୍ୟାପିଟାଲ ଥାନା ପାଖ ଏସବିଆଇ ବ୍ୟାଙ୍କରୁ ୨ କୋଟି ୪୦ଲକ୍ଷ ଟଙ୍କା ଧରି ବାହାରିଥିଲା ଆରସିଏମ୍‌ ଭ୍ୟାନ୍‌ । ୧୦ଟି ଏଟିଏମରେ ୨କୋଟି ଟଙ୍କା ଭର୍ତ୍ତି କରିସାରିବା ପରେ ଗାଡ଼ିରୁ ଆଉ ୪୦ଲକ୍ଷ ଟଙ୍କା ଗାଏବ୍‌ ହୋଇଯାଇଥିବା ଜାଣିବାକୁ ପାଇଥିଲେ ଆରସିଏମ କର୍ମଚାରୀ । କମ୍ପାନୀକୁ ଏ ସମ୍ପର୍କରେ ଜଣାଇବା ପରେ କ୍ୟାପିଟାଲ ଥାନାରେ ରୁଜୁ ହୋଇଥିଲା ମାମଲା । ଘଟଣାର ତଦନ୍ତ ଦାୟିତ୍ବ ଥିଲା କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ ହାତରେ । ଆଉ ଶେଷରେ ଗାଡ଼ି ଡ୍ରାଇଭର ରତ୍ନାକର ରାଉତ ପାଖରୁ ୩୯ଲକ୍ଷ ଟଙ୍କା ଜବତ କରିବା ସହ ତାକୁ ଧରିଥିଲା ପୋଲିସ । ଟଙ୍କା ଲୁଟିବାକୁ ପୂରା ପ୍ରି-ପ୍ଲାନ୍‌ କରିଥିଲା ଆରସିଏମ ଗାଡ଼ିର ଡ୍ରାଇଭର ରତ୍ନାକର । ସୁଯୋଗ ପାଇ ସେ ପ୍ରଥମେ ଗାଡ଼ିପଛ ଡୋରର ଡୁପ୍ଲିକେଟ୍‌ ଚାବି ବନାଇଥିଲା । ଆଉ ମଉକା ପାଇ ଉଠାଇନେଇଥିଲା ବିଡ଼ା ବିଡ଼ା ଟଙ୍କା । ଏମିତିକି ଅନ୍‌ ଡ୍ୟୁଟି ସେ ଏହି ଟଙ୍କାକୁ ଜଣେ ସହଯୋଗୀ ହାତରେ ପଠାଇ ଦେବାକୁ ସକ୍ଷମ ବି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.