ଇଣ୍ଡୋନେସିଆରେ ୬.୨ ତୀବ୍ରତାର ଭୂକମ୍ପ ଝଟ୍‌କା : ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ, ଶତାଧିକ ଆହତ

Published By : Prameya-News7 Bureau | January 15, 2021 IST

ଜକାର୍ତ୍ତା ୧୫।୧: ଇଣ୍ଡୋନେସିଆରେ ଭୂକମ୍ପ ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୨ । ଏହି ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଛି । ଶତାଧିକ ଲୋକ ଆହତ ହୋଇଛନ୍ତି । ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୦ କିଲୋମିଟର ତଳେ ବୋଲି ସୂଚନା ମିଳିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ସବୁଠୁ ଅଧିକ କ୍ଷତି ଇଣ୍ଡୋନେସିଆର ସୁଲାବେସି ସହରରେ ହୋଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜରି ରହିଛି । ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।

ଭୂକମ୍ପର କେନ୍ଦ୍ର ମଜାନେ ସହରରୁ ୬ କିଲୋମିଟର ଦୂର ଉତ୍ତର-ପୂର୍ବରେ କୁହାଯାଉଛି । ଭୂକମ୍ପ ଝଟକା ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଅନୁଭୂତ ହୋଇଥିଲା । ପ୍ରାୟ ୭ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିଲା । ରିପୋର୍ଟ ଅନୁସାରେ ୬୦ରୁ ଅଧିକ ଘର ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି । ଭୂକମ୍ପ ପରେ ସୁନାମୀର ଚେତାବନୀ ଦିଆଯାଇନାହିଁ । ଏହା ପୂର୍ବରୁ ଗୁରୁବାର ଦିନ ଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଭୂକମ୍ପ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ସେୟାର ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ଲୋକ ନିଜ ନିଜ ଘରୁ ବାହାରି ଦୌଡୁଛନ୍ତି । ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଭୂକମ୍ପ ଫଳରେ ତିନୋଟି ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି । ଦେଶର ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.