୬ ବର୍ଷର ଝିଅ କାନ୍ଦୁଥିଲା, ମାଆକୁ ଛାଡି ଦେବାକୁ ଗୋଡ ଧରି ନେହୁରା ହେଉଥିଲା, କିନ୍ତୁ ଗାଁ ଦାଣ୍ଡରେ ବୋହୂକୁ ଗଡେଇ ପିଟୁଥିଲେ ଶାଶୂଘର ଲୋକେ

Published By : Prameya-News7 Bureau | November 04, 2020 IST

ଆଠଗଡ, ୦୪/୧୧: ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ କଲେ ଶାଶୂଘର ଲୋକେ । କିଛି  ଗାଁ ଲୋକ ମଧ୍ୟ ଶାଶୂ ଘର ଲୋକଙ୍କ ସହ ମିଶି  ଗାଁ ଦାଣ୍ଡରେ ବୋହୂଙ୍କୁ ଉଲଗ୍ନ କରି ଠେଙ୍ଗା ବାଡିରେ  ମାଡମାରି ଗାଁ କୋଠଘରେ ତାଲା ପକାଇ ରଖିଥିଲେ । ପୋଲିସ ପହଞ୍ଚି ବୋହୂ ଏବଂ ତାଙ୍କର ୬ ବର୍ଷର ଝିଅକୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି  ଆଠଗଡ ଉପଖଣ୍ଡ କାନପୁର ଥାନା ଅଧିନସ୍ଥ ସିଆରିଆ ଗାଁରେ।

{"id":356171,"sizeSlug":"large"}

ସୂଚନାନୁସାରେ, ୨୦୧୭ ମସିହାରେ କୁରାଞ୍ଜ ଗାଁର ମୁଧୁସ୍ମିତା ରାଉତ ସିଆରିଆ ଗାଁର ଅମରେଶ ଚନ୍ଦ୍ର ସାହୁଙ୍କୁ ଦ୍ୱିତୀୟ ବିବାହ କରିଥିଲେ।  ମଧୁସ୍ମିତା ଅମରେଶକୁ ପ୍ରେମ ବିବାହ କରି ଯୌତୁକ ବାବଦରେ ୫ଲକ୍ଷ ଟଙ୍କା ଓ ସମସ୍ତ ଆସବାପତ୍ର ଆଣିଥିଲେ।  କିନ୍ତୁ ଏତିକି ଯୌତୁକରେ ଶାଶୁଘର ଲୋକ ସନ୍ତୁଷ୍ଟ ନଥିଲେ । ଅଧିକ ଯୌତୁକ ଦାବିକରି ଅନେକ ସମୟରେ ଘରେ ଝଗଡା ସୃଷ୍ଟି ହେଉଥିଲା । ଏପରିକି ତାଙ୍କ ଘରଲୋକ ମଧୁସ୍ମିତାଙ୍କ ସ୍ବାମୀଙ୍କୁ ଆକ୍ରମଣ କରିବା ମାମଲା ଥାନା ଯାଏଁ ଯାଇଥିଲା।ଗତ ଜାନୁଆରୀ ମାସରେ ମଧୁସ୍ମିତାଙ୍କ ସ୍ବାମୀ ଅମରେଶ ଭାରତ ବାହାରକୁ ଚାକିରୀ ପାଇଁ ଯାଇଥିବାବେଳେ ତାର ସୁଯୋଗ ନେଇ ଏଭଳି ଘଟଣା ଘଟାଇ ଥିବା ମଧୁସ୍ମିତା ଅଭିଯୋଗ କରିଛନ୍ତି।

{"id":356172,"sizeSlug":"large"}

ଗତ ରବିବାର ସଂଧ୍ୟାରେ ମଧୁସ୍ମିତା ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଦେଢଶୂର ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ମଧୁସ୍ମିତା ଏହାକୁ ବିରୋଧ କରିବାରୁ ତାଙ୍କୁ ଘରୁ ଟାଣି ଆଣି ଘରଲୋକଙ୍କ ସହ ଗାଁର କିଛି ଲୋକ ମିଶି  ଦାଣ୍ଡରେ  ମାଡମାରିଥିଲେ।  ନିଜ ମାଆକୁ ବଞ୍ଚାଇବାକୁ ଯାଇ ୬ବର୍ଷର ଝିଅଟି ଗାଁ ଦାଣ୍ଡରେ ସମସ୍ତଙ୍କ  ଗୋଡଧରି ନେହୁରା ହୋଇଥିଲେ  ମଧ୍ୟ କେହି ଶୁଣି ନଥିଲେ। ଘଟଣା ସ୍ଥଳରେ କାନପୁର ପୋଲିସ ମହିଳାଙ୍କୁ ଉଦ୍ଧାର କରିବାରେ ବିଫଳ ହେବାପରେ ଘଟଣା ସ୍ଥଳରେ ଆଠଗଡ ଏସଡିପିଓ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ଏନେଇ କାନପୁର ଥାନାରେ ୧୩୩/୨୦୨୦ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଖୁବଶୀଘ୍ର ସମସ୍ତ ଅଭିଯୁକ୍ତମାନଙ୍କୁ  ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.